ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭାରତୀୟ ତୈଳ ନିଗମ ତାହାର ପାରାଦୀପ ବିଶୋଧନାଗାରର ସମ୍ପ୍ରସାରଣ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଖଟାଇବା ପାଇଁ ନିଷ୍ପତ୍ତି ନେଇଛି । ଏହା କାର୍ଯ୍ୟକାରୀ ପରେ ପାରଦୀପ ତୈଳ ବିଶୋଧନାଗାରର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କର୍ମନିଯୁକ୍ତି ସମ୍ଭାବନା ବି ଢେର୍ ବଢ଼ିବ ।
ପାରାଦୀପ ତୈଳ ବିଶୋଧନାଗାର ୨୦୧୬ ଫେବ୍ରୁଆରୀ ୧୬ରେ ଉଦ୍ଘାଟିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୫ ହଜାର କୋଟି ଟଙ୍କାର ପୁଞ୍ଜି ଖଟାଯାଇଥିଲା । ଏଠାରେ ଏବେ ଉତ୍ପାଦନ ବେଶ୍ ସନ୍ତୋଷଜନକ ରହିଛି । ଏହି ବିଶୋଧନାଗାରର ସମ୍ପ୍ରସାରଣ ପାଇଁ ନିଗମ ୧ ଲକ୍ଷ ୩୦୦ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ରଖିଛି । ଏହାଛଡ଼ା ଏଠାରେ ପିଏକ୍ସପିଟିଏ କମ୍ପେ୍ଲକ୍ସ ସ୍ଥାପନ ପାଇଁ ମଧ୍ୟ ନିଗମ ଆଉ ୯ ହଜାର କୋଟି ଟଙ୍କାର ପୁଞ୍ଜି ଖଟାଇବାକୁ ଯାଉଛି ।
ଦେଶରେ ଏବେ ୨୩ଟି ତୈଳ ବିଶୋଧନାଗାର ରହିଛି ଓ ସେଥିରୁ ୧୧ଟି ଆଇଓସିଏଲ୍ର । ଏଗୁଡ଼ିକର ବାର୍ଷିକ ଉତ୍ପାଦନ ପରିମାଣ ପ୍ରାୟ ୮୧ ନିୟୁତ ମେଟ୍ରିକ୍ ଟନ୍ । ୨୦୧୮-୧୯ ବର୍ଷରେ ତୈଳ ନିଗମ ୬,୦୫,୯୨୪ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଏଥିରୁ ଲାଭର ପରିମାଣ ୧୬,୮୯୪ କୋଟି ଟଙ୍କା । ଦେଶର ଏକ ପ୍ରମୁଖ ଲାଭଦାୟକ ସଂସ୍ଥା ଭାବେ ଏବେ ତୈଳ ନିଗମ ପରିଗଣିତ ହେଉଛି ।
ପାରାଦୀପରେ ଥିବା ତୈଳ ବିଶୋଧନାଗାରର ବାର୍ଷିକ ଉତ୍ପାଦନ କ୍ଷମତା ୧୫ ନିୟୁତ ମେଟ୍ରିକ୍ ଟନ୍ ଥିବାବେଳେ ଏହାକୁ ୨୫ ନିୟୁତ ମେଟ୍ରିକ୍ ଟନ୍କୁ ବୃଦ୍ଧି କରିବା ଲାଗି ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି । ଏଥିପାଇଁ ଆଉ ପ୍ରାୟ ୪,୨୦୦ ଏକର ଜମି ଆବଶ୍ୟକ ପଡ଼ିବ । ସରକାରୀ ଓ ବେସରକାରୀ ଜମି ଏହି ସମ୍ପ୍ରସାରଣ ପାଇଁ ଉପଲବ୍ଧ ଥିବାବେଳେ ଏହାର ବ୍ୟାପକ ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ଗଢ଼ାଯାଇଛି ।
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ଲାଗି ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶା ଏଥିରୁ ବିଶେଷ ଲାଭବାନ ହେଉଛି । ପାରାଦୀପ ତୈଳ ବିଶୋଧନାଗାରର ସମ୍ପ୍ରସାରଣ କରାଗଲେ ଆଉ ହଜାର ଲୋକ ପ୍ରତ୍ୟକ୍ଷ ଓ ପ୍ରାୟ ୭ ହଜାର ଲୋକ ପରୋକ୍ଷ ଭାବେ କର୍ମନିଯୁକ୍ତି ପାଇବେ । ଆଇଓସିଏଲ୍ ମଧ୍ୟ ଏଠାରେ ବାର୍ଷିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ପିଟିଏ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରଖିଛି । ଏଥିରେ ୯,୧୩୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ଓ ତାହା କାର୍ଯ୍ୟକାରୀ ହେଲେ ଆଉ ୩୨୦୦ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ପାଇବେ ।
ସମ୍ପ୍ରସାରଣ ପ୍ରକଳ୍ପରେ ପେଟ୍ କୋକ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟ ଓ କ୍ରାକର୍ ୟୁନିଟ୍ ଆଦି ଗଢ଼ି ଉଠିବ । ଏହାଛଡ଼ା ଏଥିଲିନ୍, ବୁଟାଡିନ୍, ବେଞ୍ଜିନ୍, ଆମୋନିଆ, ସଲ୍ଫର୍ ଆଦି ବିଭିନ୍ନ ପଦାର୍ଥ ମଧ୍ୟ ଏହି ସମ୍ପ୍ରସାରିତ ୟୁନିଟ୍ରେ ଉତ୍ପାଦିତ ହେବ । ପାରାଦୀପ ତୈଳ ବିଶୋଧନାଗାରରୁ ଏବେ ପେଟ୍ରୋଲ୍, ଡିଜେଲ୍, କିରୋସିନି, ଉଡ଼ାଜାହାଜ ପାଇଁ ଆବଶ୍ୟକ ଆଭିଏସନ୍ ଟର୍ବାଇନ୍ ଫୁଏଲ୍, ସଲ୍ଫର୍ ଓ ପେଟ୍ରୋଲିୟମ୍ କୋକ୍ ଆଦି ଉତ୍ପାଦିତ ହେଉଛି ।
Comments are closed, but trackbacks and pingbacks are open.