ସମ୍ବଲପୁରୀ ଶାଢ଼ି ସହ ବିଦ୍ୟାଙ୍କ ଯୋଗସୂତ୍ର ଅମ୍ରିତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଳା ରଙ୍ଗର ଶାଢ଼ିରେ ଗୋଲାପି ପାଢ଼ୀ । ଖାଲି ସେତିକି ନୁହେଁ ଏହି ହସ୍ତତନ୍ତ ଶାଢ଼ି ଉପରେ ଗାଣିତିକ ସୂତ୍ର ଓ ସମସ୍ୟାର ସମାଧାନ ବେଶ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଉଛି । ଏହି ସମ୍ବଲପୁରୀ ବାନ୍ଧ ଶାଢ଼ିଟି ମଲବେରୀ ସିଲ୍କ ସୂତାରେ ବୁଣାଯାଇଛି । ଶାଢିଟି ଦେଖିବାକୁ ଯେତିକି ଆକର୍ଷଣୀୟ ତାର ଇତିହାସ ମଧ୍ୟ ସେତିକି ରୋଚକ । କାରଣ ‘ଶକୁନ୍ତଳା ଦେବୀ’ ହିନ୍ଦୀ ଚଳଚ୍ଚିତ୍ରର ଇ-ପ୍ରମୋସନ ପାଇଁ ଏହାକୁ ପରିଧାନ କରିଥିଲେ ବଲିଉଡ଼ର ଆଗଧାଡ଼ି ନାୟିକା ବିଦ୍ୟା ବାଲାନ । ଶକୁନ୍ତଳା ଦେବୀ ଚଳଚ୍ଚିତ୍ର ସହିତ ଓଡ଼ିଶାର ଏହି ସମ୍ବଲପୁରୀ ଶାଢ଼ିଟି ବିଶ୍ୱରେ ପରିଚିତ ହେବା ସହ ଅନେକଙ୍କ ମନ ଜିଣିବାରେ ସଫଳ ହେବ ବୋଲି ପ୍ରତିଟି ଓଡ଼ିଆଙ୍କ ଆଶା ।
ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ପାଖରେ ଓଡ଼ିଶାର ଏହି ସମ୍ବଲପୁରୀ ବାନ୍ଧ ଶାଢ଼ି କିପରି ପହଞ୍ଚିଲା ତାହା ଜାଣିବାକୁ ଏବେ ଅନେକଙ୍କ ମନରେ ଉତ୍ସାହ । ଏହା କେବଳ ଭୁବନେଶ୍ୱର ଉକ୍ରଳ ଅମ୍ରିତା ସଂସ୍ଥାର ପ୍ରଚେଷ୍ଟା ଓ ସାବତ୍ ଏକ୍ସପୋର୍ଟସ ଏମ୍ଡି ଅମ୍ରିତା ସାବତଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । ଅମ୍ରିତା କୁହନ୍ତି, ବର୍ଷେ ତଳର କଥା । ୨୦୧୯ ଅଗଷ୍ଟରେ ବମ୍ବେରେ ଏକ ପ୍ରଦର୍ଶନୀ ଆରମ୍ଭ କରିଥିଲୁ । ସେହି ସମୟରେ ବିଦ୍ୟା ମ୍ୟାମ୍ଙ୍କ ଟିମ୍ ସହିତ ଇନ୍ଷ୍ଟାଗ୍ରାମରେ ପରିଚିତ ହେଲା । ତାଙ୍କ ଟିମ୍କୁ କହିଥିଲୁ, ବିଦ୍ୟା କିପରି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ପରିଧାନ କରିବେ । ଆପଣ କିଛି ଡିଜାଇନ୍ ଦିଅନ୍ତୁ ଆମେ ତାକୁ ଦେଖି ସ୍ଥିର କରିବୁ । କଥାବାର୍ତ୍ତା ଭିତରେ ଜାଣିବାକୁ ପାଇଲୁ ‘ଶକୁନ୍ତଳା ଦେବୀ’ ନାମରେ ବିଦ୍ୟାଙ୍କ ଏକ ଚଳଚ୍ଚିତ୍ର ରିଲିଜ୍ ହେବାର ଅଛି, ଯେଉଁଥିରେ ସେ ଜଣେ ଗଣିତ ବିଶାରଦ ଭୂମିକାରେ ନଜର ଆସିବେ । ଆମ ବୁଣାକାରମାନେ ସେହି ସମୟରେ ଉକ୍ତ ଶାଢୀ ଦେଇଥିଲେ । ଶାଢ଼ୀର ଡିଜାଇନ୍ ଦେଖି ଭାବିଲୁ ଏହା ଚଳଚ୍ଚିତ୍ର ବିଷୟବସ୍ତୁ ସହ ବିଦ୍ୟାଙ୍କୁ ପୂରା ସୁଟ୍ କରିବ । ତାଙ୍କ ରୋଲ ସହିତ ଏହି ଶାଢ଼ିର ଡିଜାଇନ ପୂରା ଖାପ ଖାଉଥିଲା । ତାଙ୍କ ଟିମ୍ ଶାଢୀ ଦେଖି ଖୁସି ହେବା ସହିତ ଏପ୍ରିଲ ମାସରେ ଯୋଗାଯୋଗ କରିବା ପାଇଁ କହିଥିଲେ । ତେବେ ଏପ୍ରିଲ ବେଳକୁ କୋଭିଡ୍-୧୯ ପାଇଁ ଚଳଚ୍ଚିତ୍ର ରିଲିଜ୍ ଓ ସିନେମା ହଲ୍ ବନ୍ଦ ରହିବା ଦେଖି ସନେ୍ଦହରେ ଥିଲାୁ । ପରେ ଜାଣିବାକୁ ପାଇଲୁ ଏହା ଅନ୍ଲାଇନ୍ରେ ରିଲିଜ ହେବ । ତେଣୁ ତାଙ୍କ ଟିମ୍ ସହିତ ଯୋଗାଯୋଗ କଲୁ । ଶେଷରେ ବୁଧୁବାର ଆମକୁ କହିଲେ ଶାଢୀଟି ପଠାଇବାକୁ । ଆମେ ଶନିବାର ସୁଦ୍ଧା ବିଦ୍ୟାଙ୍କ ପାଖରେ ଶାଢୀଟି ପହଞ୍ଚାଇଦେଲୁ । ସେ ଫିଲ୍ମ ପ୍ରମୋସନରେ ଏହାକୁ ପିନ୍ଧିଲେ । ବିଦ୍ୟାଙ୍କ ପାଖରେ ଶାଢ଼ି ପହଞ୍ଚାଇବା ପାଇଁ ବର୍ଷେ ହେଲା ଲାଗିଥିଲୁ । ଏବେ ଲାଗୁଛି କଷ୍ଟର ମୂଲ୍ୟ ମିଳିଗଲା ବୋଲି କହିଛନ୍ତି ଅମ୍ରିତା ।
ଏହି ଶାଢ଼ୀ ୨୦୧୭ରେ ସ୍ୱର୍ଗତ ଭଗବାନ ମେହେରଙ୍କ ଦ୍ୱାରା ତିଆରି ହୋଇଥିଲା । ସେ ଏହାର ୪ଟି ପିସ୍ ତିଆରି କରିଥିଲେ । ସେଥିରୁ ଗୋଟିଏ କଳାଭୂମି ମୁ୍ୟଜିୟମ୍ରେ ଅଛି । ଗୋଟିଏ ହ୍ୟାଣ୍ଡଲୁମ୍ ନ୍ୟାସନାଲ ଆୱାର୍ଡ ପାଇଁ ଓ ଆର ଦୁଇଟି ବିକ୍ରି ପାଇଁ ତିଆରି କରାଯାଇଥିଲା । ପରେ ସୋନପୁର କେନ୍ଦୁପଲିର ରମାକାନ୍ତ ମେହେର ଏହାକୁ ବୁଣିଥିଲେ । ଭୁବନେଶ୍ୱର ଉକ୍ରଳ ଅମ୍ରିତା ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିଲା । ଶାଢ଼ୀଟି କିଣିବା ସମୟରେ ଏହାର ଦାମ୍ ଥିଲା ୧୮ହଜାର ଟଙ୍କା । ଏହା ତିଆରିରେ ଅନେକ ବୁଣାକାର ସାମିଲ ଅଛନ୍ତି । ସେମାନଙ୍କ ପରିଶ୍ରମ ଫଳରେ ଏତେ ସୁନ୍ଦର ଶାଢ଼ୀ ହୋଇପାରିଛି । କିନ୍ତୁ ଅମ୍ରିତାଙ୍କ କହିବାନୁସାରେ ବିଦ୍ୟା ଏହି ଶାଢୀର ଭିଡ଼ିଓ ଜାରି କରିବା ପରେ ଅନେକ ବୁଣାକାର ଓ ସଂସ୍ଥା ଶାଢ଼ୀ ତାଙ୍କର ବୋଲି ଦାବି କରୁଛନ୍ତି । ତା’ସହିତ ଭିଡ଼ିଓକୁ ଏଡିଟ୍ କରି ନିଜ ସଂସ୍ଥା ନାମ ରଖି ଛାଡୁଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ । ଆମ ସଂସ୍ଥା ଏକ ବର୍ଷ ଧରି ଏହି ଶାଢ଼ୀକୁ ବିଦ୍ୟାଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି । ହେଲେ ଅନ୍ୟମାନେ ଏହାର ସଫଳତାର ସ୍ୱାଦ ଚାଖିବାକୁ ଆଗଭର ହେଉଛନ୍ତି । ତା’ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବଲପୁରୀ ବାନ୍ଧ ଶାଢ଼ୀ ଜିଆଇ ଟ୍ୟାଗ ମାନ୍ୟତା ପାଇସାରିଛି । ହସ୍ତତନ୍ତ ଶାଢ଼ୀକୁ ସମସ୍ତେ ପରିଧାନ କରିବା ସହିତ ବୁଣାକାରଙ୍କୁ ପରୋକ୍ଷ ଭାବେ ଉତ୍ସାହିତ କରନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons