ସମ୍ବାଇ ସୀମାରେ ଖୁଣ୍ଟ ପୋତିଲା ଆନ୍ଧ୍ର

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୀମାରେ ଶନିବାର ଦୁଇ ରାଜ୍ୟ ଅଧିକାରୀ ସୀମା ସ୍ଥିତି ନିରୀକ୍ଷଣ କରିଛନ୍ତି । ଆନ୍ଧ୍ର ବନ ବିଭାଗ ଗୁଗୁଲ ମ୍ୟାପ୍ ଦେଖି ସୀମା ସର୍ଭେ କରିଛି । ସୀମାରେ ଖୁଣ୍ଟ ପୋତିବା ସହିତ ପଥରରେ ଚିହ୍ନ ଦେଇଛି । ଅନ୍ୟପକ୍ଷରେ ଓଡ଼ିଶା ଅଧିକାରୀମାନେ ସମ୍ବାଇ ସୀମାରେ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରିଛନ୍ତି । ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ସୁପରଭାଇଜର ରଘୁନାଥ ଖଟେଇ, ଆରଆଇ ଶୋଭା ହରିଜନ, ପଟ୍ଟାଙ୍ଗି ଆଇଆଇସି ବୈଦ୍ୟନାଥ ସେଠ୍ ପ୍ରମୁଖ ଆନ୍ଧ୍ର ବନବିଭାଗର ସର୍ଭେ ବେଳେ ଉପସ୍ଥିତ ରହିଥିଲେ ।
ମିଳିଥିବା ସୂଚନା ପ୍ରକାରେ, ଆନ୍ଧ୍ରପ୍ରଦେଶ ଆର୍କୁ ରେଞ୍ଜର ଡ଼ି.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ବାଇ ସୀମା ଜାମୁଗୁଡ଼ାଠାରୁ ସୁନାବେଡ଼ା ପର୍ଯ୍ୟନ୍ତ ଜିପିଏସ୍ ସର୍ଭେ କରିଥିଲେ । ଗୁଗୁଲ ମ୍ୟାପ୍ ଯେଉଁସବୁ ଅଞ୍ଚଳ ଆନ୍ଧ୍ରର ବୋଲି ଦର୍ଶାଇଛି, ସେହି ଅଞ୍ଚଳରେ ସର୍ଭେ କରିସୀମାରେ ଆନ୍ଧ୍ର ଅଧିକାରୀ ଚିହ୍ନ ଦେଇଥିଲେ । ଏନେଇ ପଟ୍ଟାଙ୍ଗି ତହସିଲଦାର ଶ୍ରୀ ମଣ୍ଡଳ କହିଛନ୍ତି, ଆନ୍ଧ୍ର ବନ ବିଭାଗ ପକ୍ଷରୁ ଜିପିଏସ୍ ସର୍ଭେ ଗତ ଜାନୁଆରୀ ମାସରେ ଚାଲିଥିବା ବେଳେ ଓଡ଼ିଶା ସୀମା ଜାମୁଗୁଡ଼ା ଓ ସୁନାବେଡ଼ା ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଫଳରେ କାମ ସ୍ଥଗିତ ରହିଥିଲା । ଏବେ ସେମାନେ ସର୍ଭେ ଆରମ୍ଭ କରିଛନ୍ତି । କେବଳ ସେମାନଙ୍କ ଜଙ୍ଗଲ ଜମି ସର୍ଭେ କରାଯାଇଛି । ସୀମାନ୍ତ ପଥର କେଉ ସବୁ ସ୍ଥାନରେ ରହିଛି ଆନ୍ଧ୍ର ଅଧିକାରୀ ଅନୁଧ୍ୟାନ କରିଥିଲେ । ପାହାଡ଼ ଚଢ଼ି ଆନ୍ଧ୍ର ଅଧିକାରୀ ସୀମା ପଥର ଚିହ୍ନଟ କରିଥିଲେ । ତାହା ଠିକ ସ୍ଥାନରେ ରହିଛି । ଓଡ଼ିଶାର ଇଞ୍ଚେ ଜମି ଛାଡ଼ିବାର ପ୍ରଶ୍ନ ଉଠୁ ନାହିଁ । ଜାମୁଗୁଡ଼ା ଗାଁର ଘରୋଇ ଜମି ଯେଉଠାରୁ ଆରମ୍ଭ ସେଠାରୁ ଓଡ଼ିଶା ସୀମା ହେଉଛି ୩୭ ଚେନ୍ । ତେବେ ସେଠାରେ ପହଞ୍ଚିବା ବେଳକୁ ସେମାନେ ଆଗୁଆ ସର୍ଭେ ସାରି ପହାଡ଼ ଉପରେ ସର୍ଭେ କାମ କରୁଥିଲେ ବୋଲି ତହସିଲଦାର ଶ୍ରୀ ମଣ୍ଡଳ କହିଛନ୍ତି । ଏହା ଦୁଇ ରାଜ୍ୟର ରାଜସ୍ୱ ବିଭାଗ ପକ୍ଷରୁ ଯୁଗ୍ମ ସର୍ଭେ ନୁହେଁ । ଆନ୍ଧ୍ର ବନ ବିଭାଗ ସର୍ଭେ କରିଥିବାରୁ ସୀମାନ୍ତବାସୀ ଚିନ୍ତା ପ୍ରକଟ କରିବାର ନାହିଁ । ଆନ୍ଧ୍ର ରାଜସ୍ୱ ବିଭାଗ ଅଧିକାରୀମାନେ ଆସିଲେ ଯୁଗ୍ମ ସର୍ଭେ କରାଯିବ । ତେଣୁ ଜିପିଏସ ସର୍ଭେ େବେଳ ସୀମାନ୍ତରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେମାନେ ଆଜି ଉପସ୍ଥିତ ରହି ଗ୍ରାମାବସୀଙ୍କୁ ଶାନ୍ତ ରହିବାକୁ ବୁଝାଇଥିବା ଶ୍ରୀ ମଣ୍ଡଳ କହିଛନ୍ତି ।
ସୂଚନା ଥାଉକି ଆନ୍ଧ୍ର ଗ୍ରାମବାସୀ ଦ୍ୱାରା ସୁନାବେଡ଼ା ସୀମାରେ ପୋତା ଯାଇଥିବା ଜବରଦଖଲ ଖୁଣ୍ଟକୁ ପଟ୍ଟାଙ୍ଗି ତହସିଲ ପକ୍ଷରୁ ଗତବର୍ଷ ଅକ୍ଟୋବର ୫ରେ ଭଙ୍ଗାଯାଇଥିଲା । ପରେ ଡେ଼କାପାର, କୋଲାପୁଟ, ଭୁଷିମୁଣ୍ଡା ଗ୍ରାମାବସୀ ପୁଣି ଓଡ଼ିଶା ଭିତରକୁ ପଶିଆସି ସୁନାବେଡ଼ା ସୀମାନ୍ତ ଆର୍କୁ ରାସ୍ତାରେ ଫଳକ ପୋତିଥିଲେ । ନଭେମ୍ବର ୯ ତାରିଖରେ କୋରାପୁଟ ଉପଜିଲ୍ଲାପାଳଙ୍କ ସହିତ ପଟ୍ଟାଙ୍ଗି ବିଧାୟକ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଆନ୍ଧ୍ର ଫଳକ ହଟାଇବା ସହିତ ଆର୍କୁ ରାସ୍ତାରେ ଓଡ଼ିଶା ସୀମାରେ ରାଜ୍ୟ ଫଳକ ପୋତିଥିଲେ । ଦିନକ ପରେ ଆନ୍ଧ୍ର ଗ୍ରାମବାସୀ ନଭେମ୍ବର ୧୦ରେ ଓଡ଼ିଶା ଫଳକକୁ ଭାଙ୍ଗି ଦେଇଥିଲେ । ଆର୍କୁ ରାସ୍ତାରେ ପଥର ପକାଇ ରାସ୍ତା ଅବରୋଧ କରାଯାଇଥିଲା । ସୀମାନ୍ତରେ ଥିବା ଓଡ଼ିଶା ଗ୍ରାମବାସୀଙ୍କୁ ଆନ୍ଧ୍ରର ଆର୍କୁ ହାଟକୁ ଯିବାକୁ ବାଟ ଛଡା ଯାଇ ନଥିଲା । ନଭେମ୍ବର ୧୮ରେ କୋରାପୁଟ ଡେପୁଟି କଲେକ୍ଟରଙ୍କ ସହିତ ପଟ୍ଟାଙ୍ଗି ତହସିଲ କର୍ମଚାରୀ ଓ ଆନ୍ଧ୍ର ଅଧିକାରୀଙ୍କ ଉପସ୍ଥିତିରେ ରାସ୍ତାରୁ ପଥର ହଟାଯାଇଥିଲା । ପରେ ଆରଡିସି ସମ୍ବାଇ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଥିଲେ । ବ୍ରହ୍ମପୁର ସେଟେଲମେଣ୍ଟ ସର୍ଭେଦଳ ଆସି ସୀମାପଥର ପୁନଃ ଯାଞ୍ଚ କରିଥିଲେ । ଏବେ ଆନ୍ଧ୍ର ବନ ବିଭାଗ ଜିପିଏସ୍ ସର୍ଭେ କରି ନିଜ ସୀମା ଚିହ୍ନଟ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons