ସରକାରକୁ ନିଶ୍ଚିତ ସମର୍ଥନ କରିବେ: ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ନୂଆଦିଲ୍ଲୀ/ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବାବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ ସମର୍ଥନ କରିବେ ବୋଲି ସେଠାରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ବିହାରର ବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପ୍ରଚାର କରିବା ପରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି । ବିହାରଠାରୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ଗରିବଙ୍କୁ ଘର, ବିଜୁଳି, ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । କୃଷି, ଉଦ୍ୟୋଗ, ସ୍ୱାସ୍ଥ୍ୟ, ଶିକ୍ଷା ତଥା ସବୁ କ୍ଷେତ୍ରରେ ଉନ୍ନତି ହୋଇଛି । ତେଣୁ ଏହି ବିକାଶର କାମକୁ ଆଗକୁ ନେବା ପାଇଁ ମୋଦି ସରକାରଙ୍କ ଅନୁଗାମୀଙ୍କୁ ଜିତାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ କଂଗ୍ରେସ ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ । କଂଗ୍ରେସ ଦଳର ନେତା ପାକିସ୍ତାନର ଭାଷା କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପୂର୍ବ ଭାରତର ବିକାଶ ନହଲେ ସମଗ୍ର ଭାରତର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ତେଣୁ ବିହାର ସମେତ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ । ସେହିପରି ଭାରତ ଧୀରେଧୀରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଉଛି । ତେବେ ଭାରତକୁ ବିଶ୍ୱଗୁରୁ କରିବା ପାଇଁ ମୋଦି ସରକାରଙ୍କ ହାତ ମୁଠାକୁ ଅଧିକ ଟାଣ କରିବାର ଆବଶ୍ୟକତା ରହିଛି । ଏହି ଅବସରରେ ଶ୍ରୀ ପ୍ରଧାନ ଆଗାମୀ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ବିହାରରକୁ ଆର୍ଥିକ ରୂପେ ସମ୍ପନ୍ନ କରି ମୁଖ୍ୟସ୍ରୋତରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମରତ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିହାରରେ ଦୀର୍ଘ ଦିନରୁ ଅଚଳ ପଡିଥିବା ବରୋନି ବିଶୋଧନାଗାରକୁ କାର୍ଯ୍ୟକ୍ଷମ କରାଗଲା । ସେହିପରି ନିକଟରେ ବିହାରରେ ଗ୍ୟାସର ଚାହିଦାକୁ ପୂରଣ କରିବା ନିମନ୍ତେ ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ବାଙ୍କା ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ବିହାରର ବାଙ୍କା ଠାରେ ଏଲପିଜି ବଟଲିଂ ପ୍ଲାଂଟ୍ ଏବଂ ଚମ୍ପାରନରେ ଏଲପିଜି ବଟଲିଂ ପ୍ଲାଂଟ୍ର ଲୋକାର୍ପଣ କରାଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons