କଟକ,(ବି.ବି.ବ୍ୟୁରୋ): ସରକାରୀ ଓକିଲ ନିଯୁକ୍ତିରେ ରାଜ୍ୟ ସରକାର ସୁପ୍ରିମ୍ କୋର୍ଟ ଗାଇଡ୍ ଲାଇନ ଅନୁସରଣ କରିବେ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ଏଭଳି ଆଶାବ୍ୟକ୍ତ କରିଛନ୍ତି । ଆଇନଜୀବୀ ଶିବ ନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
ସରକାରୀ ଓକିଲ ନିଯୁକ୍ତି ବେଳେ କୌଣସି ନିର୍ଦ୍ଦିଷ୍ଟ ନୀତିନିୟମ ଅନୁସରଣ କରାଯାଉନାହିଁ । ରାଜନୈତିକ ତୁଷ୍ଟିକରଣ ପାଇଁ ସରକାର ବଦଳିଲେ ଓକିଲ ମଧ୍ୟ ବଦଳି ଯାଉଛନ୍ତି । ଜଣେ ଲ’ ଅଫିସର ବା ସରକାରୀ ଆଇନଜୀବୀଙ୍କୁ କିପରି ନିଯୁକ୍ତି ଦିଆଯିବ ସେ ନେଇ ସୁପ୍ରିମ୍କୋର୍ଟଙ୍କ ଗାଇଡ୍ଲାଇନ୍ ରହିଛି । କିନ୍ତୁ ଏହି ଗାଇଡ୍ ଲାଇନ୍କୁ ଓଡିଶାରେ ଅନୁସରଣ କରାଯାଉନଥିବା ଅଭିଯୋଗ କରି ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା ।
ଆବେଦନକାରୀ ଶ୍ରୀ ବିଶ୍ୱାଳ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଥିଲେ ଯେ, ହାଇକୋର୍ଟ ହେଉ ଅବା ନିମ୍ନ ଅଦାଲତ, କମିସନ ହେଉ ଅବା ବିଭିନ୍ନ ଟ୍ରିବ୍ୟୁନାଲ ସେଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର୍, ସରକାରୀ ପ୍ଲିଡର, ଷ୍ଟାଣ୍ଡିଂ କାଉନସେଲ୍, ସରକାରୀ କାଉନସେଲ୍ ପ୍ରମୁଖଙ୍କୁ ନିଯୁକ୍ତି ଦିଆଯାଇଥାଏ । ରାଜ୍ୟ ସରକାର ମନମୁଖୀ ଭାବେ ଏହି ନିଯୁକ୍ତି କରିଥାନ୍ତି । ଅର୍ଥାତ ଯେଉଁ ସରକାର ଯେତେବେଳେ ଆସିଲେ ସେତେବେଳେ ସେହି ସରକାରଙ୍କ ସମର୍ଥକ କୁହାଯାଉଥିବା କିଛି ଆଇନଜୀବୀଙ୍କୁ ଏହି ପ୍ୟାନେଲ୍ରେ ରଖାଯାଇଥାଏ । କିନ୍ତୁ ଏହି ପଦବିରେ କେଉଁ ଭଳି ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯିବ ସେଥିପାଇଁ ସୁପ୍ରିମ୍କୋର୍ଟ ୨୦୧୬ ମାର୍ଚ୍ଚ ୩୦ତାରିଖରେ ଏକ ଗାଇଡ୍ଲାଇନ୍ ଜାରି କରିଥିଲେ । ପଞ୍ଜାବ ସରକାରଙ୍କ ବିରୋଧରେ ଆସିଥିବା ଏକ ମାମଲାରେ ସୁପ୍ରିମ୍କୋର୍ଟ ଏହି ରାୟ ଦେଇଥିଲେ । ଏହି ଗାଇଡ୍ଲାଇନ୍ ଆଧାରରେ ପ୍ରତ୍ୟେକ ରାଜ୍ୟ ସରକାର ସରକାରୀ ଆଇନଜୀବୀ ନିଯୁକ୍ତି ଦେବାକୁ ସୁପ୍ରିମ୍କୋର୍ଟ ଆଦେଶରେ ସ୍ପଷ୍ଟ କରିଥିଲେ । କିନ୍ତୁ ଓଡିଶା ସରକାର ଏହି ଗାଇଡ୍ଲାଇନ୍ ଆଧାରରେ ସରକାରୀ ଆଇନଜୀବୀଙ୍କୁ ନିଯୁକ୍ତ ଦେଉନଥିଲାବେଳେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ସରକାରୀ ଆଇନଜୀବୀ ନିଯୁକ୍ତି ବେଳେ ସରକାର ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ ଅନୁସରଣ କରିବେ ବୋଲି ଅଦାଲତ ଆଶାବ୍ୟକ୍ତ କରିଛନ୍ତି ।
ସୂଚନା ଥାଉ କି, ସୁପ୍ରିମ୍କୋର୍ଟଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ବିଭିନ୍ନ ଅଦାଲତରେ ସରକାରୀ ଓକିଲ ନିଯୁକ୍ତି ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡିବ । ଏହି ଗାଇଡ୍ଲାଇନ୍ ଅନୁଯାୟୀ, ରାଜ୍ୟ ସରକାର ବିଭିନ୍ନ ଅଦାଲତ, ଟ୍ରିବ୍ୟୁନାଲ୍, କମିସନ ଆଦିରେ କେତେ ଆଇନଜୀବୀଙ୍କ ଆବଶ୍ୟକତା ରହିଛି ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରସ୍ତୁତ କରିବେ । କାରଣ ରାଜନୈତିକ ତୁଷ୍ଟିକରଣ ପାଇଁ ନୁହେଁ ଆବଶ୍ୟକତା ଅନୁଯାୟୀ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ ବୋଲି ସୁପ୍ରିମ୍କୋର୍ଟ ତାଙ୍କ ଗାଇଡ୍ ଲାଇନରେ ସ୍ପଷ୍ଟ କରିଛନ୍ତି । ଦ୍ୱିତୀୟରେ ରାଜ୍ୟ ସରକାର ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିପାରିବେ । ଏହି କମିଟି ଆଶାୟୀ ଆଇନଜୀବୀଙ୍କଠାରୁ ଆବେଦନପତ୍ର ଲୋଡିବ । ଏହାପରେ ବିଭିନ୍ନ ଦିଗକୁ ବିଚାରକୁ ନେଇ କମିଟି ଆଇନଜୀବୀଙ୍କୁ ଚୟନ କରିପାରିବ । ଶେଷ ଚୟନ ପ୍ରକ୍ରିୟା ହେଉଛି ଯଦି ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ସରକାରୀ ଆଇନଜୀବୀଙ୍କ ଆବଶ୍ୟକତା ରହିଛି ତାହେଲେ ସରକାର ଜିଲ୍ଲା ଦୌରାଜଜ୍ଙ୍କୁ ଆଇନଜୀବୀ ଚୟନ ପାଇଁ ପରାମର୍ଶ ମାଗିପାରିବେ । ତାଙ୍କ ସୁପାରିଶ୍କ୍ରମେ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇ ପାରିବ । ସେହିପରି ହାଇକୋର୍ଟ ସ୍ତରରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ଏହି କମିଟି ସେମାନଙ୍କ ନିକଟକୁ ସୁପାରିଶ୍ ହୋଇ ଯାଇଥିବା ଆଇନଜୀବୀଙ୍କ ନାମଗୁଡିକୁ ତର୍ଜମା କରି ଆବଶ୍ୟକ ନିଷ୍ପତ୍ତି ନେବେ । ସେହିପରି ଯଦି ଜଣେ ସରକାରୀ ଆଇନଜୀବୀଙ୍କର କାର୍ଯ୍ୟ ଅବଧି ବୃଦ୍ଧି କରାଯିବାର ଥାଏ ତାହେଲେ ଏ କ୍ଷେତ୍ରରେ ମଧ୍ୟ ଅନୁରୂପ ଆଧାରରେ ନିଷ୍ପତ୍ତି ନିଆଯାଇ ପାରିବ ବୋଲି ସୁପ୍ରିମ୍କୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.