ସରକାରୀ କାର୍ଯ୍ୟାଳୟକୁ ପବ୍ଲିକ୍ ମନା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ପୁଣି ଦ୍ରୁତ ଗତିରେ ମାଡ଼ୁଛି କରୋନା । ଏବେ କିଛି ଦିନ ହେଲା ପୁଣି ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଏପରିକି ସଂକ୍ରମିତଙ୍କ ସଂଖ୍ୟାରେ କରୋନା ଯୋଦ୍ଧା ରହୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ୬୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ । ଏହା ପରେ ଜିଲ୍ଲା ପ୍ରଶାସନ ତାର ସତର୍କତା ପଦକ୍ଷେପକୁ ଆଉ ପାଦେ ଆଗେଇ ନେଇଛି । ଆସନ୍ତା ୧୦ଦିନ ପାଇଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପାଇଁ ମନା ହୋଇଛି । ଏହି ସମୟ ମଧ୍ୟରେ କେହି ସାଧାରଣ ଲୋକ କୌଣସି ସରକାରୀ ଅଫିସ୍କୁ ପ୍ରବେଶ କରିବେ ନାହିଁ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି । ଜିଲ୍ଲାର ସରକାରୀ ଅଧିକାରୀ ଓ କର୍ମଚାରୀମାନେ କରୋନା ସଂକ୍ରମିତ ହେଉଥିବାରୁ ପ୍ରତିକାର ପଦକ୍ଷେପ ସ୍ୱରୂପ ଏଭଳି କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦର୍ଶାଇଛନ୍ତି ।
ଜିଲ୍ଲା ପ୍ରଶାସନ ରିପୋର୍ଟ ଅନୁସାରେ, ଗଞ୍ଜାମରେ ବୁଧବାର ୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩୧ ହୋଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ୧୪ ଜଣ କରୋନା ଯୋଦ୍ଧା । ବ୍ରହ୍ମପୁର ମହାନଗରରୁ ୬ ଜଣ, କୁକୁଡ଼ାଖଣ୍ଡିରେ ୪ ଜଣ, ବେଲଗୁଣ୍ଠା, ଖଲିକୋଟ, ପୋଲସରା ଓ ସୋରଡ଼ା ବ୍ଲକ୍ରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ବାହାର ରାଜ୍ୟରୁ ଫେରିଥିଲେ । ଜଣେ ସାଉଦି ଆରବରୁ ଫେରିଥିବା ବେଳେ ସୁରଟରୁ ୩, ମୁମ୍ବାଇ ଓ ଦିଲ୍ଲୀରୁ ଫେରିଥିବା ଜଣେ ଲେଖାଏଁ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଏମାନଙ୍କ ମଧ୍ୟରୁ ଗଞ୍ଜାମ ବ୍ଲକ୍ରୁ ୨, ବେଲଗୁଣ୍ଠା, ଛତ୍ରପୁର, ଖଲ୍ଲିକୋଟ ଓ ପାତ୍ରପୁର ବ୍ଲକ୍ର ଜଣେ ଲେଖାଏଁ ରହିଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ସେହିପରି ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିବାରୁ ଅନ୍ୟ ୫୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବ୍ରହ୍ମପୁରରୁ ସର୍ବାଧିକ ୧୧, ଆସିକା ବ୍ଲକ୍ରୁ ୩ ଜଣ, ଭଞ୍ଜନଗରରୁ ୨, ଚିକିଟିରୁ ୬, ଧରାକୋଟରୁ ଜଣେ, ଗଞ୍ଜାମରୁ ୩, ହିଞ୍ଜିଳିକାଟୁରୁ ଜଣେ, କବିସୂର୍ଯ୍ୟନଗରରୁ ୪ ଜଣ, ଖଲ୍ଲିକୋଟରୁ ଜଣେ, କୋଦଳାରୁ ୬ ଜଣ, କୁକୁଡ଼ାଖଣ୍ଡିରୁ ୫ ଜଣ, ପାତ୍ରପୁରରୁ ୪, ପୋଲସରାରୁ ଜଣେ, ରଙ୍ଗେଇଲୁଣ୍ଡାରୁ ୩, ସାନଖେମୁଣ୍ଡିରୁ ଜଣେ, ସୋରଡ଼ାରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଅନ୍ୟପଟେ ଜିଲ୍ଲାରେ ବୁଧବାର ମୋଟ ୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟର କୌଣସି ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ବୁଧବାର ଗଞ୍ଜାମ ଶୀର୍ଷରେ ରହିଛି । ଜିଲ୍ଲାର ମୋଟ ୧୦୩୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭୨୯ ଜଣ ସୁସ୍ଥ ହୋଇସାରିଛନ୍ତି । ୮ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୨୯୪ ଜଣ କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ କେୟାର୍ ସେଣ୍ଟର୍ରେ ଚିକିତ୍ସିତ ହେଉଛନ୍ତି ।
ତେବେ ଜିଲ୍ଲାର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କରୋନା ମାଡ଼ିବାରେ ଲାଗିଛି । ପ୍ରଥମେ ବୁଗୁଡ଼ା ବ୍ଲକ୍ରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ଜିଲ୍ଲାର ସବୁ ବ୍ଲକ୍ରେ କରୋନା ପଜିଟିଭ୍ ବାହାରିଲେଣି । ଏପରିକି କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ତହସିଲ୍, ବ୍ଲକ୍ ଓ ଥାନାରେ କରୋନା ପଜିଟିଭ୍ ବାହାରିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବୁଧବାରରୁ ପୁଣି ନୂଆ କଟକଣା ଲାଗୁ କରିଛି । ବହୁ ବରିÂ ଅଧିକାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଆସନ୍ତା ୧୦ ଦିନ ପାଇଁ ସାଧାରଣ ଜନତାଙ୍କୁ ମନା ହୋଇଛି । କରୋନା ଯୋଦ୍ଧାମାନେ ତୁରନ୍ତ ସୁସ୍ଥ ହେବାକୁ ପ୍ରାର୍ଥନା କରାଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ଗଞ୍ଜାମ ଜିଲ୍ଲା କରୋନା ହଟ୍ସ୍ପଟ୍ ହୋଇଛି । ପୋଲସରା ଥାନାରୁ ଦୁଇ ଜଣ ହୋମଗାର୍ଡ, ଛତ୍ରପୁର ଏସ୍ଡିପିଓ, ଆଇଆଇସି, ସିଟି ହସ୍ପିଟାଲରେ ୩ ଜଣ, ଏମ୍କେସିଜି ମେଡିକାଲ କଲେଜରେ ୧୨ ଜଣ, ଶେରଗଡ଼ ଥାନାରୁ ୪ ଜଣ, ପରେ କନିଷି ତହସିଲଦାର, କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକ୍ର ୬ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ଶିକ୍ଷକ ଓ ଆଶାକର୍ମୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଜିଲ୍ଲାରେ କେତେ ଜଣ କରୋନା ଯୋଦ୍ଧା ଏବଂ କେଉଁ ବିଭାଗରୁ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି ପ୍ରଶାସନ ପକ୍ଷରୁ ତାହା ଅବଗତ କରାଯାଇ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons