ସରକାରୀ ସମ୍ପତ୍ତି ଧ୍ୱସ୍ତ କରିବାକୁ ନକ୍ସଲଙ୍କ ଯୋଜନା

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): ସରକାରୀ କୋଠା ଧ୍ୱସ୍ତ କରିବା ଏବଂ ସରକାରୀ କର୍ମଚାରୀଙ୍କୁ ଅପହରଣ ପାଇଁ ଯୋଜନା ନକ୍ସଲମାନେ କରିଥିବା ଜଣାପଡ଼ିଛି । ଏ ନେଇ ତିନୋଟି ରାଜ୍ୟ ଯଥା ଓଡ଼ିଶା, ଝାଡଖଣ୍ଡ ଓ ବିହାର ପୁଲିସ୍କୁ ସତର୍କ କରି ଦିଆଯାଇଛି । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଠୁଳ ହେବାରେ ଲାଗିଛନ୍ତି ନକ୍ସଲ । ସମ୍ବଲପୁର-ଦେବଗଡ-ସୁନ୍ଦରଗଡ଼ (ଏସ୍ଡିଏସ୍) କ୍ୟାଡରମାନେ ସରଣ୍ଡାରେ ଆଡ଼ା ଜମାଇଛନ୍ତି । ହାତୀପଲ କେଉଁ ପଟେ ଯାଉଛନ୍ତି ସେ ନେଇ ନକ୍ସଲମାନେ ଗ୍ରାମବାସୀଙ୍କ ଠାରୁ ତଥ୍ୟ ଆଦାୟ କରିବା ପରେ ସେମାନେ ନିଜର ଗତିପଥ ବଦଳାଇ ଦେଉଛନ୍ତି । କାରଣ ସୀମାନ୍ତବର୍ତ୍ତୀ ଗାଁରେ ପଣସ ପାଚିଥିବାରୁ ତା’ର ବାତ୍ସ୍ନାରେ ହାତୀପଲ ଗାଁ ମୁହାଁ ହେଉଛନ୍ତି । ସେଥିପାଇଁ ହାତୀପଲ ଯୁଆଡେ ଯାଉଛନ୍ତି ତା’ର ବିପରୀତ ଗାଁକୁ ଯାଉଛନ୍ତି ନକ୍ସଲ । ଗତ କିଛି ସପ୍ତାହ ହେଲା ସୀମାନ୍ତବର୍ତ୍ତୀ ଇଲାକାରେ ନକ୍ସଲମାନଙ୍କ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ନକ୍ସଲଙ୍କ ସଂଖ୍ୟା ୮୦ରୁ ଅଧିକ ଥିବା ବେଳେ ସମସ୍ତେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରହୁଛନ୍ତି । ବିହାର, ଝାଡଖଣ୍ଡ ଓ ଛତିଶଗଡ଼ର କ୍ୟାଡରମାନେ ସରଣ୍ଡାରେ ଡେରା ପକାଇଥିବା ଗୋଇନ୍ଦା ବିଭାଗ ରିପୋର୍ଟ ଦେଇଛି । ଏପରିକି ନକ୍ସଲମାନେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ କୋଠା ନଷ୍ଟ କରିବା ସହ ସରକାରୀ କର୍ମଚାରୀଙ୍କୁ ଅପହରଣ କରି ପାରନ୍ତି ବୋଲି ବି ସତର୍କ କରି ଦେଇଛି ଗୋଇନ୍ଦା ବିଭାଗ । ଏହା ଜଣାପଡ଼ିବା ପରେ ଯବାନମାନେ ସତର୍କ ରହିଛନ୍ତି, ମାତ୍ର କମ୍ବିଂ ଅପରେସନରେ ଯାଇ ପାରୁନାହାନ୍ତି । କାରଣ ବର୍ଷା ଯୋଗୁଁ ସରଣ୍ଡା ଜଙ୍ଗଲରେ ଥିବା ନାଳଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଇଛି । ଯାହାର ସୁଯୋଗ ନେଇଛନ୍ତି ନକ୍ସଲ । ଆହୁରି ଜଣାପଡ଼ିଛି ଯେ, ଅନେକ ସ୍ଥାନରେ ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଯବାନ । ପାଟ୍ରୋଲିଂ କିମ୍ବା କମ୍ବିଂ ଅପରେସନ୍ରେ ଯାଉଥିବା ଯବାନମାନଙ୍କୁ ଟାର୍ଗେଟ୍ କରିଛନ୍ତି ନକ୍ସଲ । ଯାହାର ଦୁଇଟି ଘଟଣା ଗତମାସରେ ସରାଇକେଲା ଠାରେ ଘଟିଥିଲା । ନକ୍ସଲଙ୍କ ଆକ୍ରମଣରେ ୬ ଜଣ ଯବାନ ସହିଦ ହୋଇଥିଲେ । ତେଣୁ ଆଗାମୀ ଦିନରେ ନକ୍ସଲମାନେ ଆହୁରି ବଡ଼ ଧରଣର ଅଘଟଣ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ସୀମାନ୍ତବର୍ତ୍ତୀ ଥାନାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons