କୁକୁଡାଖଣ୍ଡି, (ବି.ବି.ନୁ୍ୟଜ): ଶନିବାର ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିବ ଗଞ୍ଜାମ ଜିଲ୍ଲା କଂଗ୍ରେସ । କିନ୍ତୁ ଏନେଇ ଦଳ ପକ୍ଷରୁ ପ୍ରସ୍ତାବିତ ରାଲି କିମ୍ବା ସମାବେଶ ନିମନ୍ତେ ପ୍ରଶାସନ ଅନୁମତି ଦେବାକୁ ମନା କରିଦେଇଛି । ଖାଦ୍ୟ ବଣ୍ଟନ ପାଇଁ ମଧ୍ୟ ଅନୁମତି ଦିଆଯାଇନି । ଓଲଟି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ନିମନ୍ତ୍ରିତ ବ୍ୟକ୍ତିବିଶେଷଙ୍କ ଆର୍ଟିପିସିଆର୍ କୋଭିଡ୍ ଟେଷ୍ଟ କରିବା ପାଇଁ କୁହାଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜନକୁ ସରକାର ଅଟକାଇଲେ ଭୟାବହ ଆନେ୍ଦାଳନ ହେବ । ଶନିବାର ପୂର୍ବାହ୍ଣ ୧୧ଟାରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଆସୁଥିବା କଂଗ୍ରେସ କର୍ମୀଙ୍କୁ ରାସ୍ତାରେ ଅଟକାଗଲେ ରାଜ୍ୟ ସାରା ଆନେ୍ଦାଳନ ହେବ ଓ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା । କୁକୁଡାଖଣ୍ଡି ବ୍ଲକ୍ ବଉଳଝୋଳି ଫାର୍ମ ହାଉସ୍ ଠାରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦୁଇ ନେତା ।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଧାୟକ । ତାରାପ୍ରସାଦ ଅଭିଯୋଗ କରିଛନ୍ତି ଯେ- ଜନସାଧାରଣ ମହାତ୍ମାଗାନ୍ଧୀଙ୍କ ନୀତିଆଦର୍ଶକୁ ଭୁଲି ଯାଉଥିବାରୁ ତାହାର ପୁନଃସ୍ମରଣ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଥଚ ରାଜ୍ୟ ସରକାର କଂଗ୍ରେସ ଦଳ ଆଗକୁ ବଢୁ ବୋଲି ଚାହୁଁ ନାହାନ୍ତି । ପ୍ରାୟ ୭ ହଜାର ଲୋକଙ୍କ ସମାଗମ ପାଇଁ ଯୋଜନା କରାଯାଇଥିଲା । ଅଥଚ ମାତ୍ର ୧୫ ଶହ ଲୋକଙ୍କ ସକାଶେ ଅନୁମତି ଦିଆଯାଇଛି, ସେଥିରେ ପୁଣି ଆର୍ଟିପିସିଆର୍ ଟେଷ୍ଟିଂ ପାଇଁ ସର୍ତ୍ତ ରହିଛି । ପୂର୍ବରୁ ବିଜେପି ଓ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ କଂଗ୍ରେସ ପାଇଁ ଜାଣିଶୁଣି ଏପରି କରାଯାଇଛି ବୋଲି କହିଛନ୍ତି ରମେଶ ଜେନା ।
ଶନିବାର ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ବ୍ରହ୍ମପୁରକୁ ଆସିବେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିÂ ନେତା ନରସିଂହ ମିଶ୍ର, ଜୟଦେବ ଜେନା ଓ କଂଗ୍ରେସର ସମସ୍ତ ବିଧାୟକଙ୍କ ସମେତ ଦୁଇ କାର୍ଯ୍ୟକାରୀ ସଭାପତି । ରମେଶ ଜେନା ଜିଲ୍ଲା ସଭାପତି ଦାୟିତ୍ୱ ନେବା ପରେ ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ଶକ୍ତି ପ୍ରଦର୍ଶନ କରିଥାନ୍ତା ଗଞ୍ଜାମ କଂଗ୍ରେସ । ପୂର୍ବରୁ ୭ ହଜାର ଲୋକଙ୍କୁ ନେଇ ସଭା କରିବାକୁ ଦଳ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଶାସନିକ ଅନୁମତି ନମିଳିବାରୁ ୧୫ ଶହ ଲୋକଙ୍କୁ ନେଇ ସମାବେଶ କରିବାକୁ ନିଷ୍ପତ୍ତି ହୋଇଛି । ଗୋପାଳପୁରରେ ବିଭିନ୍ନ କାର୍ଯ୍ୟକ୍ରମ କରି ବ୍ରହ୍ମପୁରରେ ପହଞ୍ଚିବେ କଂଗ୍ରେସ ନେତା ଓ କର୍ମୀ ।
ସେମାନେ ଆହୁରି କହିଛନ୍ତି ଯେ- ବିଜେଡି ଓ ବିଜେପି ପାଇଁ ଗୋଟିଏ ନିୟମ, କଂଗ୍ରେସ ପାଇଁ ପାତରଅନ୍ତର କରୁଛନ୍ତି ରାଜ୍ୟ ସରକାର । ବ୍ରହ୍ମପୁର, ଭୁବନେଶ୍ୱର ଓ କଳାହାଣ୍ଡିରେ ବୈଠକ, ସରକାରୀ କାର୍ଯ୍ୟକ୍ରମ ବେଳେ ପ୍ରାୟ ୧୦ ହଜାର ଲୋକ ଉପସ୍ଥିତ ଥିଲେ । ସେତେବେଳେ କଣ ସମସ୍ତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା କି? କଂଗ୍ରେସକୁ ରାଜ୍ୟ ସରକାରଙ୍କ ଏତେ ଭୟ କାହିଁକି । ପ୍ରଶାସନ ବିଜେଡିର ହାତବାରିସୀ ସାଜି ଏଭଳି ନୀତି ଆପଣାଇବା ଦୁର୍ଭାଗ୍ୟଜନକ ବିଷୟ । ଏହାକୁ କଂଗ୍ରେସ ଦଳ ଘୋର ବିରାଧ କରୁଛି । ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ସଭା ପ୍ରତି ଅସହିଷ୍ଣୁ ହେଉଛି ପ୍ରଶାସନ । କଂଗ୍ରେସ ଜନପ୍ରିୟ ହୋଇଯିବ ବୋଲି ଏଭଳି ଆଭିମୁଖ୍ୟ ଗ୍ରହଣ କରୁଛି ବିଜେଡି । ଜିଲ୍ଲାର ଗ୍ରାମାଞ୍ଚଳ ଡାକ୍ତରଖାନାରେ କୋଭିଡ୍ ଟେଷ୍ଟ ସୁବିଧା ନାହିଁ । ବ୍ରହ୍ମପୁର ଡାକ୍ତରଖାନାରେ ପ୍ରତିଦିନ ୨୦୦ ଜଣଙ୍କର ହିଁ ପରୀକ୍ଷା ହୋଇପାରିବ ବୋଲି ସରକାର ପୂର୍ବରୁ କହିଥିଲେ । ତେବେ ୧୫ ଶହ ଲୋକଙ୍କ କୋଭିଡ୍ ଟେଷ୍ଟ କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ଦୁଇ ବିଧାୟକ । ଅନ୍ୟ ଦଳ କଲେ କିଛି ନାହିଁ, କିନ୍ତୁ କଂଗ୍ରେସ କଲେ ହଇରାଣ କରାଯାଉଛି । ଶନିବାର ସଭା ପାଇଁ ଏତେ ଦିନ ହେଲା ହଇରାଣ କରାଯାଉଛି । ପୂର୍ବରୁ ରାଲି ପରେ ରମେଶଙ୍କୁ ଜେଲ ପଠାଯାଇଥିଲା, ଏବେ ସରକାରଙ୍କ ସାହାସ ଅଛି ତ ମୋତେ ଜେଲକୁ ନିଅ ବୋଲି ତାର୍ବାହିନୀପତି କହିଥିଲେ ।
କଂଗ୍ରେସ ଚାହୁଁଛି ଶାନ୍ତି, କୌଣସି ଅଶାନ୍ତିରେ ସଭା ହେଉ ବୋଲି ଆମେ ଚାହୁଁନୁ । ସଭା ପାଇଁ ୪ ଦିନ ହେଲା ଅନୁମତି ମଗାଗଲାଣି । ଜଣଙ୍କ ଆର୍ଟିପିସିଆର୍ ଟେଷ୍ଟ କରିବାକୁ କରିବାକୁ ତିନି ଦିନ ଲାଗୁଥିବା ବେଳେ କିଭଳି କର୍ମୀ ଆସିବେ ତାହା ସରକାର ବୁଝିବେ । ଏଥିରୁ ରାଜ୍ୟ ସରକାର କଂଗ୍ରେସ ସଭା କରିବାକୁ ଚାାହୁଁନଥିବା ସ୍ପଷ୍ଟ ବାରି ହୋଇପଡୁଛି । ଆମେ ଶନିବାର ସଭା କରିବୁ, ଯଦି ସତ୍ସାହାସ ଅଛି ତ ପୁଲିସ ଗିରଫ କରି ଦେଖାଉ ବୋଲି ତାରା ବାହିନୀପତି ଓ ରମେଶ ଜେନା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଦିଲ୍ଲୀରେ ଚାଷୀ ଆନେ୍ଦାଳନକୁ ବିଜେପି ସରକାର ଜାଣିଶୁଣି ଭଣ୍ଡୁର କରିଦେଲେ । ତାଙ୍କ ଦଳର ହିଁ ଅପରାଧୀ ଓ ନେତା ସାମିଲ୍ ହୋଇଥିବା ପ୍ରମାଣ ମିଳିଛି ବୋଲି ଦୁଇ ବିଧାୟକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରତିକ୍ରିୟା ରଖିଥିଲେ ।
Comments are closed, but trackbacks and pingbacks are open.