ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନକୁ ବାତିଲ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏକଛତ୍ରବାଦୀ ମନୋବୃତ୍ତି ନେଇ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କର ଅଧିକାରକୁ କ୍ଷୁଣ୍ଣ କରିଛନ୍ତି । ଏଭଳି ମନମୁଖୀ କାର୍ଯ୍ୟକଳାପକୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଘୋର ନିନ୍ଦା କରୁଛି ବୋଲି ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି । \nବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର ପ୍ରଥମ ଅନୁଭବ ନିଅନ୍ତି । ସେହିଭଳି ଜାଗାରେ ରାଜ୍ୟ ସରକାର ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ଜାଣିଶୁଣି ବାତିଲ କରି ଯୁବ ନେତୃତ୍ୱକୁ ଏବଂ ଛାତ୍ର ନେତୃତ୍ୱକୁ ରୋକିବା ପାଇଁ ରାଜ୍ୟ ସରକାର ଅପଚେଷ୍ଠା କରୁଛନ୍ତି । ଖୋଦ୍ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଛାତ୍ର ସଂସଦ ନିର୍ବାଚନରୁ ରାଜନୈତିକ କ୍ୟାରିୟରକୁ ଓହ୍ଲାଇଛନ୍ତି । ଭାରତୀୟ ସମ୍ୱିଧାନରେ ଯୁବକଙ୍କ ଭୋଟ୍ ଦେବାର ଅଧିକାର ଅଛି । ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ସାରା ଛାତ୍ର ଓ ଯୁବ ସମାଜ ନିନ୍ଦା କରିବା ସହ ଦୃଢ଼ ବିରୋଧ କରୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।\nଯଦି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର ନକରନ୍ତି, ଆଗାମୀ ଦିନରେ ଛାତ୍ର ସମାଜର ଅଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା ଓ ସମ୍ପାଦକ ଦୀପକ ଗୋଚ୍ଛାୟତ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.