ସରିଲା ନିଶା ମାଫିଆ ଶେଖ ରାଜାର ରିମାଣ୍ଡ:ଟ୍ରଲର୍ରେ ଚାଲିଥିଲା ନିଶା ବେପାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଲେଶ୍ୱରର ବୋଲରାମ ଗଡ଼ି ତଟରେ ଲାଗୁଥିଲା ମାଛଧରା ଟ୍ରଲର । ଟ୍ରଲରଟି ସମୁଦ୍ର ପଥରେ ମୁହାଁଉଥିଲା ସିଧା ବାଂଲାଦେଶକୁ । ସେଠାରେ ଟ୍ରଲରରେ ବ୍ରାଉନ୍ସୁଗର ଖଞ୍ଜାଯାଉଥିଲା । ଫେରିବା ବାଟରେ ପଶ୍ଚିମବଙ୍ଗର ଏକ ତଟରେ ଟ୍ରଲର ଅଟକୁଥିଲା । ସେଠୁ ଜଳପଥରେ ଓଡ଼ିଶା ଫେରୁଥିଲା ନିଶା ସାମଗ୍ରୀ ଭର୍ତ୍ତି ଟ୍ରଲର । ଏ ହେଉଛି କୁଖ୍ୟାତ ନିଶା ବେପାରୀ ଶେଖ ରାଜା(୨୯)ର ନିଶା ବେପାରର ଗୁପ୍ତ ରୁଟ୍ ମ୍ୟାପ୍ । ଯାହାକି, ରାଜାର ରିମାଣ୍ଡ ବେଳେ କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଟିମ୍ ହାତରେ ଲାଗିଛି ।
୭ ଦିନିଆ ରିମାଣ୍ଡ ସରିବା ପରେ ଶେଖ ରାଜାକୁ ଦ୍ୱିତୀୟ ଥର ପାଇଁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲା ଏସ୍ଟିଏଫ୍ । ଯାହାର ରିମାଣ୍ଡ ଅବଧି ଆଜି ସରିଛି । ଆସନ୍ତାକାଲି ତାକୁ ଅଦାଲତରେ ହାଜର କରାଯିବ । ତେବେ ରିମାଣ୍ଡ ବେଳେ ରାଜାର ଇଣ୍ଟରନ୍ୟାସନାଲ୍ ଲିଙ୍କ ସମ୍ପର୍କରେ ଢେ଼ର ତଥ୍ୟ ମିଳିଛି । ଏହି ତଥ୍ୟ ଆଧାରରେ ତଦନ୍ତ ଆଗେଇବ ବୋଲି କହିଛି ଏସ୍ଟିଏଫ୍ ।
ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ଏସ୍ଟିଏଫ୍ ଏସ୍ପି-୨ ପିକେ ଭୋଇ କହିଛନ୍ତି, ବର୍ତ୍ତମାନ ରାଜାର ବିଦେଶୀ ଲିଙ୍କ୍ ସମ୍ପର୍କରେ ଖୋଳତାଡ଼ ଚାଲିଛି । କୋଲକାତା ସମେତ ବାଂଲାଦେଶ, ଭୁଟାନ ଓ ନେପାଳରେ ଯାଏଁ ନିଶା ବେପାର ଚେର ଲମ୍ବିଥିବା ସୁରାକ୍ ମିଳିଛି । ଦରକାର ପଡିଲେ, ଅଧିକ ଖୋଳତାଡ଼ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ବିଦେଶ ଗସ୍ତରେ ଯାଇପାରେ । ଚଢ଼ଉ ବେଳେ ବ୍ୟାଜାପ୍ତି ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏଥିରେ ୧ କୋଟି ଟଙ୍କା ମୂଲ୍ୟର ବାଲେଶ୍ୱର ତେଲେଙ୍ଗା ସାହିର ଫ୍ଲାଟ୍, ଅରଡା ବଜାରରେ ୬୦ ଲକ୍ଷ ଟଙ୍କାର ୩ ମହଲା ବିଲ୍ଡିଂ, ୩୦ ଲକ୍ଷ ଟଙ୍କାର ୩ଟି କାର୍ ରହିଛି । ସେ ରାଜ୍ୟର ବିଭିନ୍ନ ସହର ସମେତ ରାଜ୍ୟ ବାହାରେ ବି ହୋଟେଲ ଓ ପ୍ଲଟ କିଣିଥିବା ନେଇ ସୂଚନା ମିଳିଛି । କୋଲକାତା ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋଲକାତାସ୍ଥିତ ଅଧିକାରୀଙ୍କୁ ଚିଠି ଲେଖିଛି ଏସ୍ଟିଏଫ୍ ।
ଡିଏସ୍ପି ତେଜରାଜ ପଟେଲ କହିଛନ୍ତି, ରାଜା ନାଁରେ ଏକ ୩୦ ଲକ୍ଷ ଟଙ୍କା ମୂଲ୍ୟର ମାଛଧରା ଟ୍ରଲର ଥିଲା । ଯାହାକି, ବାଲେଶ୍ୱର ସୀମାରେ ଥିବା ବୋଲରାମ ଗଡ଼ ତଟରୁ ଜବତ ହୋଇଛି । ସେଠାରୁ ରାଜ୍ୟ ତଥା ଦେଶ ବାହାରକୁ ନିଶା ବେପାର ଚାଲୁଥାଇପାରେ । ସେ ସମୁଦ୍ରପଥ ଦେଇ ନିଶା ବେପାର କରୁଥିବା ନେଇ ମଧ୍ୟ ସୁରାକ୍ ମିଳିଛି । ଏସବୁର ଛାନ୍ଭିନ୍ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons