
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ଗଜପତି ଜିଲ୍ଲାର ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରି ଉଠାଣ କାର୍ଯ୍ୟକ୍ରମ ସୋମବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଜିଲ୍ଲାପାଳଙ୍କ ଅଫିସ୍ ସମ୍ମିଳନୀ କକ୍ଷ-୪ରେ ଅନୁÂିତ ଲଟେରୀ କାର୍ଯ୍ୟକ୍ରମ ସକାଳ ସାଢେ ୧୦ଟାରେ ଆରମ୍ଭ ହୋଇଥିଲା । ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେ ଏହି ଲଟେରୀ ଉଠାଣ ହୋଇଥିଲା । କିଛି ଦୋକାନ ପୁରୁଣା ବ୍ୟବସାୟୀଙ୍କୁ ମିଳିଥିବା ବେଳେ ଆଉ କିଛି ଦୋକାନ ନୂଆ ବେପାରୀ ହାସଲ କରିଛନ୍ତି । ମଦ ଲଟେରୀ ଚାଲିଥିବା ଯୋଗୁଁ ସୋମବାର ଦିନତମାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବେଶ୍ ଗହଳି ପରିଲକ୍ଷିତ ହୋଇଥିଲା ।
ଗଜପତି ଜିଲ୍ଲାରେ ଥିବା ୧୯ଟି ମଦ ଦୋକାନ ପାଇଁ ୪୦.୩୬ ହାରରେ ୭୬୭ ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ଅଧିକାଂଶ ଆବେଦନକାରୀ ଆନ୍ଧ୍ରର ବୋଲି ସ୍ପଷ୍ଟ ହୋଇସାରିଛି । ଜିଲ୍ଲାର ୧୯ଟି ଦୋକାନ ମଧ୍ୟରୁ ସର୍ବାଧିକ ବ୍ୟବସାୟ ଦୃଷ୍ଟିରରୁ ୫/୬ଟି ଦୋକାନ ଉପରେ ସମସ୍ତଙ୍କ ନଜର ରହିଥିଲା । ଗୋଷାଣି ବ୍ଲକ୍ ଗାରାବନ୍ଧ ଦୋକାନ ପାଇଁ ୧୧୪ ଜଣ ଆବେଦନ କରିଥିବା ବେଳେ କାଶୀନଗର ବ୍ଲକ୍ ଦୋକାନ ପାଇଁ ଆବେଦନ କରିଥିଲେ ୧୦୧ ଜଣ । ସେହିପରି ଉପଲଡା ଦୋକାନ ପାଇଁ ୬୬ ଜଣ, କାଶୀନଗର ଦୋକାନ ପାଇଁ ୭୧ ଜଣ, ମହେନ୍ଦ୍ରଗଡ ଦୋକାନ ପାଇଁ ୪୬ ଜଣ, ମୋହନା ଦୋକାନ ପାଇଁ ୫୧ ଜଣ, ଗୁରାଣ୍ଡି ଦୋକାନ ପାଇଁ ୪୪ ଜଣ, ଅଡବା ଦୋକାନ ପାଇଁ ୩୯ ଜଣ, ରାଣୀପେଣ୍ଠ ଦୋକାନ ପାଇଁ ୩୭ ଜଣ, ରା.ଉଦୟଗିରି ଦୋକାନ ପାଇଁ ୨୫ ଜଣ ଏବଂ ରାୟଗଡ ଦୋକାନ ପାଇଁ ୩୯ ଜଣ ଆବେଦନ କରିଥିଲେ । ପାରଳାଖେମୁଣ୍ଡିର ଭଲ ବ୍ୟବସାୟ କରୁଥିବା ଦୋକାନ ହାତେଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥିଲେ । ତେବେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି ଓ ଲଟେରୀ ମାଧ୍ୟମରେ ବ୍ୟବସାୟୀମାନେ ଦୋକାନ ପାଇସାରିଛନ୍ତି ।


Comments are closed, but trackbacks and pingbacks are open.