ସରିଲା ରବି ମଣ୍ଡି:ବଳକା ରହିଗଲା ୫.୫ ଲକ୍ଷ କୁଇଣ୍ଟାଲ ଧାନ

Get real time updates directly on you device, subscribe now.

ଜୟପୁର,(ବି.ବି.ନ୍ୟୁଜ୍): ରବିବାର ଶେଷ ହୋଇଛି ଚଳିତ ବର୍ଷର ରବିମଣ୍ଡି । ୧୫ ଲକ୍ଷ ୯୭ ହଜାର ୪୨୨ କୁଇଣ୍ଟାଲ ଧାନ ବିକ୍ରି କରିବାକୁ କୋରାପୁଟ ଜିଲ୍ଲାର ୨୦ଟି ଲ୍ୟାମ୍ପ୍ସରେ ଚାଷୀ ପଞ୍ଜୀକରଣ କରିଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ୧୫ଟି ଲ୍ୟାମ୍ପ୍ସ ପକ୍ଷରୁ ୧୦ ଲକ୍ଷ ୪୬ ହଜାର ୩୧୭ କୁଇଣ୍ଟାଲ ଧାନ କିଣାଯାଇଛି । ଚାଷୀଙ୍କ ପାଖରେ ବଳକା ରହିଛି ୫ ଲକ୍ଷ ୫୩ ହଜାର ୪୩୬ କୁଇଣ୍ଟାଲ । ପ୍ରଶାସନ ପକ୍ଷରୁ ଜିଲ୍ଲାର ୨୦ଟି ଲ୍ୟାମ୍ପ୍ସକୁ ଧାନ କିଣିବାକୁ ଅନୁମତି ମିଳିଥିଲେ ହେଁ କୌଣସି କାରଣରୁ ୫ଟି ଲ୍ୟାମ୍ପ୍ସ ପକ୍ଷରୁ କେଜିଏ ହେଲେ ଧାନ କିଣାଯାଇନାହିଁ । ସେଗୁଡିକ ହେଲା ଆଲମଣ୍ଡା, କୁନ୍ଦୁଲି, ପୋଡାଗଡ, ପ;ାଙ୍ଗି ଓ ସୁଙ୍କି । ଜୁନ ୩୦ ପରେ ଆଉ ମଣ୍ଡି ଖୋଲାଯାଇପାରିବ ନାହିଁ ବୋଲି ସରକାରଙ୍କ ନିୟମ ରହିଛି । ଯଦି ଏହି ନିୟମ ଅପରିବର୍ତ୍ତିତ ରହେ, ତାହେଲେ ବଳକା ଧାନକୁ ଆଉ ଚାଷୀ ବିକିପାରିବେ ନାହିଁ । ତେବେ ରବି ମଣ୍ଡିରେ ଜୟପୁର ବ୍ଲକରେ ସର୍ବାଧିକ ୫ ଲକ୍ଷ ୮ହଜାର ୧୮୬ କୁଇଣ୍ଟାଲ ଧାନ କିଣାଯାଇଥିବା ବେଳେ ବୈପାରିଗୁଡା ବ୍ଲକରେ ସବୁଠୁ କମ୍ ୧୮୯ କୁଇଣ୍ଟାଲ କିଣାଯାଇଛି ।
ଏପ୍ରିଲ ୨୫ରେ କୋରାପୁଟ ଜିଲ୍ଲାରେ ଉଦ୍ଘାଟିତ ହୋଇଥିଲା ରବି ମଣ୍ଡି । ଧାନ ଅମଳ ହୋଇ ନଥିବା ଓ ବଲାଙ୍ଗିର ମିଲ୍ର ଯୋଗାଣ ବିଭାଗ ସହ ଚୁକ୍ତି କରି ନଥିବାରୁ ମଣ୍ଡି ଉଦ୍ଘାଟନ ହୋଇଥିଲେ ହେଁ ଜୁନ ୩ରେ କିଣାଯାଇଥିଲା ଧାନ । ପ୍ରଥମେ ମଣ୍ଡି ପିଛା ଗୋଟିଏ ଦିନରେ ସର୍ବାଧିକ ୧ ହଜାର କୁଇଣ୍ଟାଲ ଧାନ କିଣିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ ହେଁ ପରବର୍ତ୍ତି ସମୟରେ ୫ ହଜାର କୁଇଣ୍ଟାଲକୁ ବଢାଯାଇଥିଲା । ନାନା ଅବ୍ୟବସ୍ଥା ଯୋଗୁ ଶେଷ ଦିନ ରବିବାର ଥିଲେ ହେଁ କେତେକ ମଣ୍ଡିରେ ଧାନ କିଣାଯାଇଥିଲା । ଏହା ପରେବି ଚାଷୀଙ୍କ ପାଖରେ ୫ ଲକ୍ଷରୁ ଅଧିକ କ୍ୱିଣ୍ଟାଲ ଧାନ ବଳକା ରହିଛି । ଅଧିକ ଅମଳ ହୋଇଥିଲେ ହେଁ ଦଶମନ୍ତପୁର, ବୈପାରିଗୁଡା, ଡୁମୁରିପୁଟ, ଗୁନେଇପଡା ଲ୍ୟାମ୍ପସରେ କମ ପରିମାଣ ଧାନ କିଣାଯାଇଛି ।
ଯୋଗାଣ ବିଭାଗର ତଥ୍ୟ ଅନୁସାରେ, ବୈପାରିଗୁଡା ଲ୍ୟାମ୍ପ୍ସରେ ୧୮୯ କ୍ୱିଣ୍ଟାଲ, ବୋରିଗୁମ୍ମାରେ ୯୮ ହଜାର ୧୭୨, କାମତାରେ ୨୦ ହଜାର ୭୯୨, ଦଶମନ୍ତପୁରରେ ୬ ହଜାର ୪୫୮, କୁମୁଲିପୁଟରେ ୧ ଲକ୍ଷ ୮୫ ହଜାର ୮୬୬, ଉମୁରୀରେ ୩ ଲକ୍ଷ ୨୨ ହଜାର ୩୨୯, ଡୁମୁରିପୁଟରେ ୨୨୧, କୋଟପାଡରେ ୧ ଲକ୍ଷ ୭୭ ହଜାର ୭୮୯, କୁନ୍ଦୁରାରେ ୧ ଲକ୍ଷ ୭୫ ହଜାର୮୯୫, ଗୁନେଇପଡାରେ ୧୩ ହଜାର ୬୭୦, ଲକ୍ଷ୍ମୀପୁରରେ ୩ ହଜାର ୨୪୫,କାକିରିଗୁମ୍ମାରେ ୭ ହଜାର ୬୫୫, ପାଡୁଆରେ ୯୧, ନନ୍ଦପୁରରେ ୧ ହଜାର ୩୯୪ ଓ ନାରାୟଣପାଟଣାରେ ୨୬ ହଜାର ୩୫୯ କୁଇଣ୍ଟାଲ ଧାନ କିଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons