ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ଗୋପୀ

Get real time updates directly on you device, subscribe now.

ବୈପାରିଗୁଡା: ସହାୟତା ଅପେକ୍ଷାରେ ଅସହାୟ ଗୋପୀ କିର୍ସାନୀ(୧୯) । ସରକାରୀ ସହାୟତା ମିଳିଲେ ବଳକା ଜୀବନ ସୁଖରେ କାଟିବେ ବୋଲି ସେ କହିଛନ୍ତି । ଦିବ୍ୟାଙ୍ଗ ହୋଇଥିବାରୁ ମାସକୁ ୭ଶହ ଟଙ୍କା ଭତ୍ତା ଓ ୩୫ କେଜି ଚାଉଳ ପାଉଛନ୍ତି । ୨୦୧୪ରେ ତାଙ୍କୁ ବ୍ଲକ ତରଫରୁ ଦିଆଯାଇଥିବା ଟ୍ରାଇ ସାଇକେଲଟି ଏବେ ଅଚଳ ହୋଇପଡିଛି । ଦିବ୍ୟାଙ୍ଗଙ୍କ ପାଇଁ ଥିବା ସ୍ୱତନ୍ତ୍ର ଋଣ ସହ ତାଙ୍କୁ ଏକ ଆବାସ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।
ନନ୍ଦପୁର ବ୍ଲକ ପାଡୁଆ ଥାନା ଅତୁଣ୍ଡା ପଞ୍ଚାୟତ ଆରିଙ୍ଗି ଗାଁରେ ଗୋପୀଙ୍କ ଘର । ସେ ନିଜ ଗାଁରୁ ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ହଠାତ ତାଙ୍କ ସହ ଆମର ଦେଖା ହୋଇଥିଲା । ଜଣେ ଯୁବକ ତାଙ୍କୁ କୋଳରେ ଧରି ରାସ୍ତା ପାରି ହେଉଥିବା ବେଳେ ଆମ ପ୍ରତିନିଧି ତାଙ୍କ ପାଖରେ ପହଞ୍ଚିି ଦୁଃଖସୁଖ ପଚାରି ଥିଲେ । ଗୋପୀଙ୍କ କହିବା ପ୍ରକାରେ ତାଙ୍କର ଦୁଇଟି ଯାକ ଗୋଡ ଅଚଳ । ଫଳରେ ଦୁଇ ହାତରେ ଦୁଇ ଖଣ୍ଡ କାଠରେ ନିର୍ମିତ ପିଢା ଧରି ଘୁସୁରି ଘୁସୁରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରୁଛନ୍ତି । ଆଗକୁ ବଞ୍ଚବାର ଲମ୍ବା ରାସ୍ତା ପଡିଥିବା ବେଳେ କିିଛି କରିବା ପାଇଁ ବହୁତ ଆଶା ବାନ୍ଧିଛନ୍ତି । ଜନ୍ମରୁ ସେ ଭିନ୍ନକ୍ଷମ ନଥିଲେ । ଗାଁ ପାଖରେ ଥିବା ପରଜାବଡପଡା ବିଦ୍ୟାଳୟରେ ୪ର୍ଥଶ୍ରେଣୀ ପର୍ଯ୍ୟନ୍ତ ସେ ପାଠ ପଢିଛନ୍ତି । ସାଥି ପିଲାଙ୍କ ସହ ଖେଳକୁଦ ମଧ୍ୟ କରୁଥିଲେ । ହଠାତ ଦିନେ ତାଙ୍କର ଗୋଡ ଦୁଇଟି ଝିମଝିମ ହେବାରୁ ସେ ଚାଲିବା ପାଇଁ ସକ୍ଷମ ହୋଇ ପାରି ନଥିଲେ । ଏହାପରେ ତାଙ୍କ ପରିବାର ଲୋକେ ତାଙ୍କୁ ବିଭିନ୍ନ ମେଡିକାଲରେ ଦେଖାଇଥିଲେ । ତାଙ୍କୁ ଭଲ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଆଉ ଭଲ ହୋଇପାରି ନଥିଲେ । ସେହିଦିନଠାରୁ ତାଙ୍କ ୨ ଗୋଡ ଅଚଳ ହୋଇ ଯାଇଥିବା ସେ ଦୁଃଖର ସହ କହିଛନ୍ତି । ଦିବ୍ୟାଙ୍ଗ ହୋଇଥିବାରୁ ପ୍ରଶାସନ ତରଫରୁ ତାଙ୍କୁ ପ୍ରତିମାସରେ ୭ଶହ ଟଙ୍କା ଭତ୍ତା ଓ ୩୫ କିଲୋ ଚାଉଳ ପ୍ରଦାନ କରାଯାଉଛି । ଏକ ଟ୍ରାଇ ସାଇକେଲ ମଧ୍ୟ ପ୍ରଦାନ କରାଯାଇଥିଲା । ଏସବୁ ପାଇବା ପରେ ସେ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି, ନିଜେ ପରିଶ୍ରମ କରି ଅର୍ଥ ରୋଜଗାର କରିବା ସହ ଅନ୍ୟମାନଙ୍କ ପରି ବଞ୍ଚିବାକୁ ଆଶା ରଖିଛନ୍ତି । ସେଥିପାଇଁ ଏକ ଦୋକାନ କରି ଆତ୍ମନିର୍ଭରଶୀଳ ହେବା ପାଇଁ ସେ ଇଚ୍ଛା କରୁଥିବା କହିଛନ୍ତି । ସରକାରୀ ଭାବେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ସ୍ୱତନ୍ତ୍ର ଋଣ ପ୍ରଦାନ କରାଗଲେ ସେ ବ୍ୟବସାୟ କରି ବଞ୍ଚିିପାରିବେ ବୋଲି କହିଛନ୍ତି । ଏଥିସହ ଆବାସ ଯୋଜନାରେ ତାଙ୍କୁ ଗୋଟିଏ ଘର ଯୋଗାଇ ଦେବା ପାଇଁ ସେ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ମିଳିଥିବା ତିନି ଚକିଆ ଟ୍ରାଇସାଇକେଲ ବର୍ତ୍ତମାନ ଭାଙ୍ଗିଯାଇ ଅଚଳ ହୋଇ ଯାଇଥିବାରୁ ଆଉ ଗୋଟିଏ ନୂଆ ସାଇକେଲ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଲେ ସେ ଚାଲବୁଲ୍ କରିପାରିବେ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ଗୋପୀଙ୍କ ଦୁଃଖ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

ରିପୋର୍ଟ ମାନସ ରଥଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons