ସାଂସଦ ଅନୁଭବ ଓ ଭାଇଙ୍କ ନାମରେ ମାମଲା

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍):ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଛି । ଝାଞ୍ଜିରୀମଙ୍ଗଳା ଅଞ୍ଚଳର ସସ୍ମିତା ଆଚାର୍ଯ୍ୟ ନାମକ ଜଣେ ମହିଳାଙ୍କ ଅଭିଯୋଗ ଆଦାରରେ ପୁଲିସ ମାମଲା ରୁଜୁ ହୋଇଛି । ଗତ ୧୨ ତାରିଖ ରାତିରେ ସାଂସଦ ଅନୁଭବ ଓ ତାଙ୍କ ଭାଇ ସସ୍ମିତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ପୁଲିସ ଏନେଇ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସାସଂଦ ଅନୁଭବ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ପୁଲିସ ତଦନ୍ତ ପରେ ସବୁ ସତ ପଦାକୁ ଆସିବ ବୋଲି ଶ୍ରୀ ମହାନ୍ତି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।
ଶ୍ରୀମତୀ ଆଚାର୍ଯ୍ୟ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସାମ୍ବାଦିକତା ପାଠ୍ୟକ୍ରମରେ ପଢୁଥିବାବେଳେ ସେ ଗତ ୨୦୧୭ ମସିହାରେ ଏକ ଖବରକାଗଜରେ ‘ଇର୍ଣ୍ଟନସିିପ୍’ କରୁଥିଲେ । ଏହି ସମୟରେ ସେ ଘରୁ ଯା’ଆସ କଲା ବେଳେ ଅନୁପ୍ରାସ ଅନ୍ୟ ସାଙ୍କମାନଙ୍କ ସହିତ ମିଶି ତାଙ୍କୁ ଅଶ୍ଲୀଳ କମେଣ୍ଟ୍ କରୁଥିଲେ । ଗଲା ଦୁଇ ବର୍ଷ ମଧ୍ୟରେ ଏଭଳି ଘଟଣା ବାରମ୍ବାର ହୋଇଛି । ଫଳରେ ସେ ଇର୍ଣ୍ଟନସିପ୍ ଛାଡିଦେଇଥିଲେ । ଗତ ୧୨ ତାରିଖରେ ପୁନର୍ବାର ଏଭଳି ଘଟଣା ଘଟିଛି । ଚୌଦୁରୀବଜାର ଅଞ୍ଚଳକୁ ଏକ କାମରେ ଗଲା ବେଳେ ଅନୁପ୍ରାସ ପୁନର୍ବାର ଏଭଳି କମେଣ୍ଟ କରିଥିଲେ । ଘଟଣା ନେଇ ରାତିରେ ସସ୍ମିତା ତାଙ୍କ ସ୍ୱାମୀଙ୍କୁ ଜଣାଇବାରୁ³ ଉକ୍ତ ରାସ୍ତାରେ ଯାଆସ ନକରିବାକୁ ସେ ଓଲଟି ପରାମର୍ଶ ଦେଇଥିଲେ । ଏଭଳି ସ୍ଥିତିରେ ନ୍ୟାୟ ପାଇବା ଆଶାରେ ସସ୍ମିତା ୧୨ ତାରିଖ ରାତିରେ ଅନୁଭବନଙ୍କ ଚୌଦୁରୀବଜାର ସ୍ଥିତ ଘରକୁ ଯାଇଥିଲେ । ମାତ୍ର ଘର ଭିତରକୁ ଯିବାକୁ ଅନୁମତି ମିଳିଲାନି । ଫଳରେ ସେ ଘର ସମ୍ମୁଖରେ ବସି ରହିଲେ । ମଧ୍ୟରାତିରେ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷା ଘରୁ ବାହାରକୁ ଆସିବାରୁ ସସ୍ମିତା ତାଙ୍କୁ ନିଜର ଗୁହାରୀ ଜଣାଇବାକୁ ଚେଷ୍ଟା କଲେ । ମାତ୍ର ଅନୁଭବ ଅଭିଯୋଗ ଶୁଣିବା ପରିବର୍ତ୍ତେ ତାଙ୍କୁ ଓଲଟି ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ଠେଲାପେଲା କରିଥିବା ସସ୍ମିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି । କେବଳ ସେତିକି ନୁହେଁ, ସେ ପୁଲିସ ଗାଡ଼ିରେ ବସି ଘରକୁ ଯିବାକୁ ବାହାରିଲା ସମୟରେ ଅନୁଭବ ତାଙ୍କ ଉପରକୁ ଛେପ ପକାଇଲେ ବୋଲି ସସ୍ମିତା ଅଭିଯୋଗ କରିଛନ୍ତି । ରାତି ପ୍ରାୟ ୩ଟା ବେଳେ ପୁଲିସ ଗାଡ଼ି ନେଇ ସସ୍ମିତାଙ୍କୁ ଘରେ ଛାଡ଼ିଲା । ଏଭଳି ସ୍ଥିତିରେ ନ୍ୟାୟ ପାଇଁ ଥାନାରେ ଏତଲା ଦାୟର କରିଥିବା ସସ୍ମିତା କହିଛନ୍ତି । ତେବେ ଏହି ଅଭିଯୋଗ ନେଇ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି । ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ମହିଳା ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ କରିଥିବା ଅନୁଭବ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୨ ତାରିଖ ରାତିରେ ସେ ଆମ ଘର ଆଗରେ ଆସି ଉତ୍ପାତ କରୁଥିଲେ । ଜୋର୍ରେ ପାଟିତୁଣ୍ଡ କରୁଥିଲେ । ମୁଁ ପୁଲିସ ଡକାଇ ମହିଳା ଜଣଙ୍କୁ ତାଙ୍କ ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା କରିଥିଲି । ମାତ୍ର ଦୁଇ ଦିନ ପରେ ସେ ଏନେଇ ଥାନାରେ ଏକ ଏତଲା କରିଛନ୍ତି । କିଛି ବ୍ୟକ୍ତି ତାଙ୍କୁ ପ୍ରଭାବିତ କରି ଏଭଳି ଏତଲା ଦାୟର କରିଥିବା ସେ ଅନୁମାନ କରୁଛନ୍ତି । ତେବେ ପୁଲିସ ଉପରେ ମୋର ବିଶ୍ୱାସ ରହିଛି ଓ ତଦନ୍ତ ପରେ ଖୁବ୍ଶୀଘ୍ର ସତ ପଦାକୁ ଆସିବ ବୋଲି ସାଂସଦ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons