ସାକାର ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନଘାଟ ସୌନ୍ଦର୍ଯ୍ୟକରଣ ଅଭିଯାନର ପ୍ରଥମ ଦଫା କାର୍ଯ୍ୟ ଶେଷ ହୋଇଛି । ଶବସକ୍ରାର ପାଇଁ ଆଧୁନିକ ସେବା ସହ ୨୮ଟି ପିଣ୍ଡିର ନିର୍ମାଣ ଶେଷ ପରେ ଶନିବାର ପୂର୍ବାହ୍ନରେ ଏହାକୁ ଲୋକାର୍ପଣ କରାଯାଇଛି । ଶବ ସଂସ୍କାର ସେବକମାନେ ନଡ଼ିଆ ଭାଙ୍ଗି ଏହାର ଲୋକାର୍ପଣ କରିଥିଲେ ।
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଏଡିଏମ୍, ଉପଜିଲ୍ଲାପାଳ, ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି)ର ନିର୍ବାହୀ ଯନ୍ତ୍ରୀ, ଶ୍ମଶାନଘାଟ ସେବା ସମିତିର ବରିÂ ସଦସ୍ୟମାନେ ଲୋକାର୍ପଣ ପର୍ବରେ ଉପସ୍ଥିତ ଥିଲେ । ପର୍ଯ୍ୟାୟ କ୍ରମେ ଦ୍ୱିତୀୟ ଦଫାର କାମ ଶୀଘ୍ର ଆରମ୍ଭ ହେବ ବୋଲି ଓବିସିସି ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ନୂତନ ପିଣ୍ଡିରେ ପ୍ରଥମେ ବାଲିଘାଟ ଗୋପାଳପୁର ବାସିନ୍ଦା ପବିତ୍ର କୁମାର ସେନାପତିଙ୍କ ଶବଦାହ କରାଯାଇଛି । ଏହାସହ ଶ୍ମଶାନଘାଟ ପରିସରରେ ସିଙ୍ଗିଲ୍ ୱିଣ୍ଡୋ ସେବା ଆରମ୍ଭ ହୋଇଛି । ମୃତକଙ୍କ ପରିବାର ସଦସ୍ୟ ସକ୍ରାର ପାଇଁ ଆବଶ୍ୟକ ପୂଜା ସାମଗ୍ରୀ, କାଠ, ଘିଅ, କଳସ, ଗାମୁଛା ଆଦି ଯାବତୀୟ ସାମଗ୍ରୀକୁ ଗୋଟିଏ ସ୍ଥାନରୁ ରସିଦ କାଟି ପାଇପାରିବେ । ସେହିଭଳି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତାକୁ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ପୂର୍ବରୁ ଶ୍ମଶାନଘାଟର ଫାଙ୍କା ସ୍ଥାନରେ ଶବ ସକ୍ରାର କରାଯାଉଥିଲା । ଏହି ସ୍ଥାନକୁ ଖାଲି କରାଯିବ ସହ ଏଠାରେ ବିଭିନ୍ନ ସେବାର ଭିତ୍ତିଭୂମି ନିର୍ମାଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଶବ ପଞ୍ଜିକରଣ କେନ୍ଦ୍ର, ଶବଗୃହ, ଶବ ସମ୍ପର୍କୀୟଙ୍କ ବିଶ୍ରାମ ସ୍ଥାନ, ଗାଧୁଆ ଘର, ପାନୀୟ ଜଳ, ଅସ୍ଥି ସଂରକ୍ଷଣ ଲକର୍, ଦୋକାନ ଘର ନିର୍ମାଣ କରାଯିବ । ଏଥିସହ ଶ୍ମଶାନ ଘାଟର ପ୍ରଶାସନିକ କୋଠା ନିର୍ମାଣ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପରିକଳ୍ପନା ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୫କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons