
ଅନୁଗୁଳ,(ବି.ବି.ନୁ୍ୟଜ): ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ଅଧ୍ୟାୟ ଶେଷ ହୋଇଛି । ଅଢେ଼ଇ ବର୍ଷର ବନ୍ଦୀ ଜୀବନରୁ ମୁକ୍ତି ପାଇଛି ସୁନ୍ଦରୀ । ମଙ୍ଗଳବାର ଅପରାହ୍ଣରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିଲା । ପରେ ତାକୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ଅପରାହ୍ଣରେ ସୁନ୍ଦରୀ ସେଠାରେ ପହଞ୍ଚିବ ।
ସାତକୋଶିଆର ବିଫଳ ନାୟିକା ‘ସୁନ୍ଦରୀ’ ବିଦାୟ ନେଇଛି । ସୁନ୍ଦରୀକୁ ‘କାହ୍ନା’ର ଘୋରେଲାରେ ଥିବା ରିୱାଇଲ୍ଡିଂ ସେଣ୍ଟର୍କୁ ଫେରାଇ ନିଆଯାଇଛି । ସୁନ୍ଦରୀର ଲେଉଟାଣି ପାଇଁ ରବିବାର ସାତକୋଶିଆରେ ପହଞ୍ଚିଥିଲା ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟର ୭ ଜଣିଆ ଟିମ୍ । ସାତକୋଶିଆରେ ସ୍ୱତନ୍ତ୍ର ଗାଡ଼ି ସହ ମଧ୍ୟପ୍ରଦେଶ କାହ୍ଣା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିଲେ ଜଣେ ଏସିସିଏଫ୍ ଓ ଜଣେ ପଶୁ ଡାକ୍ତରଙ୍କ ସହ ଅନ୍ୟ ୫ ଜଣଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ । ରବିବାର ଦିନ ଟିମ୍ ଅନୁଗୁଳ ଆଞ୍ଚଳିକ ବନ ସଂରକ୍ଷକ(ଆର୍ସିସିଏଫ୍) ପ୍ରଦୀପ ରାଜ କରାଟେ ଓ ଅନ୍ୟ ବରିÂ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସାତକୋଶିଆର କୋର୍ ଏରିଆ ରାଇଗୁଡାରେ ପହଞ୍ଚିଥିଲେ । ସେଠାରେ ଏନ୍କ୍ଲୋଜରରେ ବାଘୁଣୀର ଗତିବିଧି ଅନୁଧ୍ୟାନ କରିବା ପରେ ପ୍ରଥମେ ଯନ୍ତା ବସାଇ କାବୁ କରିବାକୁ ଉଦ୍ୟମ କରାଯାଇଥିଲା । ସୋମବାର ସକାଳେ ଯନ୍ତାରେ ଛେଳି ରଖାଯାଇ ବାଘୁଣୀର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମାତ୍ର ସୁନ୍ଦରୀ ପାଖ ମାଡ଼ି ନଥିଲା । ଅପରାହ୍ଣରେ ମଧ୍ୟପ୍ରଦେଶର ଏହି ଟିମ୍ ପୁରୀ ଯାଇଥିଲେ । ଏପଟେ ବାଘୁଣୀ ଉପରେ ନଜର ରଖିଥିଲେ ବନ କର୍ମଚାରୀ । ସୁନ୍ଦରୀ ଅପରାହ୍ଣରୁ ମଙ୍ଗଳବାର ମଧ୍ୟାହ୍ଣ ପର୍ଯ୍ୟନ୍ତ ବହୁବାର ଯନ୍ତା ନିକଟକୁ ଯାଇଥିଲା । କିନ୍ତୁ ଯନ୍ତା ଭିତରେ ପଶିନଥିଲା । ଆଜି ପୁରୀରୁ ସ୍ୱତନ୍ତ୍ର ଟିମ୍ ଫେରିବା ପରେ ଅପରାହ୍ଣ ସାଢେ଼ ୪ଟା ବେଳେ ଟ୍ରାଙ୍କୁଲାଇଜ୍ କରାଯାଇ କାବୁ କରାଯାଇଥିଲା ।
ସାତକୋଶିଆ ଅଭୟାରଣ୍ୟର ପ୍ରାଣୀଚିକିତ୍ସକ ଡାକ୍ତର କିଶୋର ସାହୁ ଏବଂ ବାନ୍ଧବଗଡ଼ରୁ ଆସିଥିବା ପ୍ରାଣୀଚିକିତ୍ସକ ଡାକ୍ତର ସନ୍ଦୀପ ଅଗ୍ରୱାଲଙ୍କ ମିଳିତ ଉଦ୍ୟମରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଟ୍ରାଙ୍କୁଲାଇଜ କରିବାର ୧୫ ମିନିଟ୍ ପରେ ବାଘୁଣୀ ଚେତା ଫେରି ପାଇଥିଲା । ସେତେବେଳକୁ ତାକୁ ସ୍ୱତନ୍ତ୍ର ଯନ୍ତାରେ ରଖାଯାଇ ସାରିଥିଲା । ସ୍ୱତନ୍ତ୍ର ଗାଡ଼ିରେ ବାଘୁଣୀ କାହ୍ନା ଅଭିମୁଖେ ଯାତ୍ରା କରିଛି । ମଧ୍ୟପ୍ରଦେଶର ସ୍ୱତନ୍ତ୍ର ଟିମ୍ ସହ ସାତକୋଶିଆ ଏସିଏଫ୍ଓ ସରୋଜ ପଣ୍ଡା ଓ ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଡାକ୍ତର କିଶୋର ସାହୁ ବାନ୍ଧବଗଡ଼ ଅଭିମୁଖେ ଯାଉଥିବା ଅନୁଗୁଳ ଆର୍ସିସିଏଫ ପ୍ରଦୀପ ରାଜ କରାଟେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଓଡ଼ିଶା ସରକାରଙ୍କ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନ୍ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା) ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ । ତିନି ଯୋଡ଼ା ଯୁବ ମହାବଳ ଦମ୍ପତି ସାତକୋଶିଆରେ ଛଡ଼ାଯିବାର ଯୋଜନା ରହିଥିବା ବେଳେ ମାତ୍ର ଗୋଟିଏ ଯୋଡ଼ା ମହାବଳ ପରିଚାଳନାରେ ବନବିଭାଗର ଅପାରଗତା ପଦାରେ ପଡ଼ିଥିଲା । ଜଙ୍ଗଲରେ ଛଡ଼ାଯିବାର ମାତ୍ର ୬ ମାସ ମଧ୍ୟରେ ‘କାହ୍ନା’ ପ୍ରକଳ୍ପରୁ ଆସିଥିବା ଯୁବ ଅଣ୍ଡିରା ମହାବଳ ‘ମହାବୀର’ ଶିକାରୀ ଫାଶରେ ପଡ଼ି ମୃତୁ୍ୟ ମୁଖରେ ପଡ଼ିଥିଲା । ବାନ୍ଧବଗଡ଼ ପ୍ରକଳ୍ପରୁ ଆସିଥିବା ମାଈ ବାଘୁଣୀ ‘ସୁନ୍ଦରୀ’ ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ଜନବସତି ଇଲାକାରେ ଉପôାତ କଲା । ‘ସୁନ୍ଦରୀ’ର ଗତିବିଧି ସମଗ୍ର ଅଭୟାରଣ୍ୟବାସୀଙ୍କ ପାଇଁ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା । ଦୁଇ ଦୁଇଟି ମଣିଷ ମାରିବା ପରେ ଆଇନ୍ଶୃଙ୍ଖଳା ପରିସ୍ଥିତି, ପୋଡ଼ାଜଳା ହୋଇ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ଛାରଖାର ହୋଇଯାଇଥିଲା । ଜାତୀୟ ରାଜପଥ ଅବରୋଧ, ପୁଲିସକୁ ଟେକାମାଡ଼, ଖଣ୍ଡଯୁଦ୍ଧ ଅଶାନ୍ତର ବାତାବରଣ ସୃଷ୍ଟି କରିଥିଲା । ପରିସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କାରେ ବହୁ କସରତ୍ ପରେ ନଭେମ୍ବର ୬ ତାରିଖରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରି ରାଇଗୁଡ଼ା ସ୍ଥିତ ଏନ୍କ୍ଲୋଜର୍ରେ ବନ୍ଦୀ କରାଯାଇଥିଲା ।
ଦୀର୍ଘ ଦିନ ଧରି ଏନ୍କ୍ଲୋଜର୍ ମଧ୍ୟରେ ବନ୍ଦୀ ହୋଇ ରହିବା ଦ୍ୱାରା ତାର ସହଜାତ ପ୍ରବୃତ୍ତି ହରାଇଥିଲା । ଏପରିକି ତା’ର ହିଂସ୍ରପଣ, ଶିକାର ଦକ୍ଷତା ପ୍ରଭାବିତ ହୋଇଥିଲା । ଖୁଆଡ଼ ମଧ୍ୟକୁ ଦିଆଯାଉଥିବା ଶିକାର ଖାଉଥିଲା । ବଣୁଆ ପ୍ରକୃତି ହରାଇଲେ ଖୁଆଡ଼ ମୁକ୍ତ ହେବା ପରେ ଜଙ୍ଗଲରେ ବାଘୁଣୀର ସ୍ୱାଭାବିକ ଜୀବନଯାତ୍ରା ସାଂଘାତିକ ଭାବରେ ପ୍ରଭାବିତ ହେବା ନେଇ ତଥ୍ୟଭିଜ୍ଞ ମହଲରେ ମତ ପ୍ରକାଶ ପାଇଥିଲା । ଏନ୍କ୍ଲୋଜର ମଧ୍ୟରେ ‘ସୁନ୍ଦରୀ’ ମୋଟୀ ହୋଇଯାଉଥିବାରୁ ବନ ବିଭାଗର ବି ଚିନ୍ତା ବଢ଼ିଥିଲା । ତେଣୁ ଓଡ଼ିଶା ଓ ମଧ୍ୟପ୍ରଦେଶ ସରକାରଙ୍କ ବିଭାଗୀୟ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇ ମଧ୍ୟପ୍ରଦେଶର କୌଣସି ରିୱାଇଲ୍ଡ଼ିଂ ସେଣ୍ଟର୍ରେ ବାଘୁଣୀକୁ ଭର୍ତ୍ତି କରାଯିବାକୁ ସ୍ଥିର ହୋଇଥିଲା । ରିୱାଇଲ୍ଡ଼ିଂ ସେଣ୍ଟର୍ରେ ବାଘୁଣୀର ସ୍ୱାଭାବିକ ପ୍ରକୃତି ଫେରିବା ପର୍ଯ୍ୟନ୍ତ ରହିବା ପରେ ଜଙ୍ଗଲରେ ମୁକ୍ତ କରାଯିବ । ଏପଟେ ବାଘୁଣୀ ସୁନ୍ଦରୀ ଫେରିଯିବା ପରେ ସାତକୋଶିଆ ବାସୀ ଉତ୍ସବ ମନାଇଛନ୍ତି ।


Comments are closed, but trackbacks and pingbacks are open.