ସାତ ଘଣ୍ଟା ଅଟକିଗଲା ଶିଳ୍ପନଗରୀ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ସକାଳ ୬ଟାରୁ ବନ୍ଦ କରିଦେଲେ ସମସ୍ତ ପ୍ରବେଶ ପଥ । ଜାତୀୟ ରାଜପଥରେ ବାଉଁଶ ବାନ୍ଧି ଅବରୋଧ କଲେ । ଟ୍ରେନ୍ ଅଟକିଲା । ସାରା ଜିଲ୍ଲାରେ ଗଡ଼ିଲାନି ବସ୍, ଟ୍ରକ୍ କି କାର୍ । ଏମିତିକି ବାଇକ୍କୁ ବି ମିଳିଲାନି ଅନୁମତି । ଦୋକାନ ବଜାରରେ ତାଲା । ଖୋଲିନଥିଲା ବ୍ୟାଙ୍କ୍ କି ସରକାରୀ କାର୍ଯ୍ୟାଳୟ । ରାସ୍ତାରେ କାଁ ଭାଁ ଦୁଇ ଚକିଆ ଯାନକୁ ଛାଡ଼ିଦେଲେ ଶୂନ୍ଶାନ୍ ହୋଇଯାଇଥିଲା ରାଜରାସ୍ତା । ତାଳଚେରରୁ ଆଠମଲ୍ଲିକ, ପାଳଲହଡ଼ାରୁ ବଅଁରପାଳ ସବୁଠି ଦେଖିବାକୁ ମିଳିଥିଲା ବନ୍ଦର ପ୍ରଭାବ । ବିଜେଡିର ବନ୍ଦ ଡାକରାରେ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଏମିତି ଅଟକି ଯାଇଥିଲା ଶିଳ୍ପନଗରୀ ଅନୁଗୁଳ ଜିଲ୍ଲା ।
ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍(ଟିଟିପିସିଏସ୍) ବନ୍ଦ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଜିଲ୍ଲା ବିଜେଡି । ତେବେ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ କ୍ରମେ ତଥା ଦାବି ପୂରଣ ନେଇ ସବୁଜ ସଙ୍କେତ ମିଳିବା ପରେ ଦଳ ଅପରାହ୍ଣ ଗୋଟାଏରେ ଆନେ୍ଦାଳନକୁ ପ୍ରତ୍ୟାହୃତ କରିଥିଲା । ପରେ ଗାଡ଼ି ଚଳାଚଳ ସାଙ୍ଗକୁ ଦୋକାନ ବଜାର ଖୋଲିବା ଖୋଲିଥିଲା ଓ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ।
ବନ୍ଦକୁ ସଫଳ କରିବାକୁ ପଞ୍ଚାୟତ ସ୍ତରରୁ ଜୋରଦାର ପ୍ରସ୍ତୁତି କରିଥିଲା ବିଜେଡି । ଜିଲ୍ଲାର ଛକ ସ୍ଥାନମାନଙ୍କରେ ରାସ୍ତା ଅବରୋଧ କରିବାକୁ ପଞ୍ଚାୟତ ମାନଙ୍କର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ମିଳିଥିଲା । ଫଳରେ ସକାଳୁ ଆଖି ଖୋଲିଲା ବେଳକୁ ଆନେ୍ଦାଳନ ଭୟରେ ସବୁ କିଛି ବନ୍ଦ ହୋଇସାରିଥିଲା । ଛକ ମାନଙ୍କରେ ଦଳୀୟ କର୍ମକର୍ତ୍ତା ପ୍ଲା କାର୍ଡ୍, ବ୍ୟାନର ଧରି ପ୍ରତିବାଦ କରିଥିଲେ । ରାସ୍ତାରେ ବାଉଁଶ ଭିଡ଼ି ଗାଡ଼ି ଚଳାଚଳକୁ ବନ୍ଦ କରିଥିଲେ । ଆଠମଲ୍ଲିକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ବସି ରହିଥିଲେ । ଫଳରେ ସାଧାରଣ ଲୋକ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆନେ୍ଦାଳନକାରୀ ଏମିତି ବିରୋଧ କରିଥିଲେ ଯେ, ଜରୁରାକାଳୀନ ସେବାରେ ମଧ୍ୟ ବାଧା ଉପୁଜିିିିିିିିିିିିିିିିିିିଥିଲା । ଅନୁଗୁଳ ସହରରେ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ ଓ ଅନ୍ୟ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ବିଧାୟକମାନଙ୍କ ଦ୍ୱାରା ବନ୍ଦ ପାଳନ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ନିୟୋଜିତ ହୋଇଥିଲେ ହେଁ ସେମାନେ ଦେଖଣାହାରୀ ସାଜିଥିଲେ ।
ଅନୁଗୁଳ ସହରରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା । ସକାଳ ୬ଟାରୁ ପିକେଟିଂ ଆରମ୍ଭ କରିଥିଲେ ଦଳୀୟ ପ୍ରାର୍ଥୀ । ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ନେତୃତ୍ୱରେ ଦଳୀୟ କର୍ମୀ ସହରର ପ୍ରବେଶ ପଥ ଯେପରିକି ହୁଲୁରିସିଂହା, ତୁରଙ୍ଗ, ପ୍ରଗତିନଗର, ହାଟଛକ, ଭଣ୍ଡୁବର ଛକରେ ରାସ୍ତା ଅବରୋଧ କରିଥିଲେ । ସହରରେ କାଁ ଭାଁ ବାଇକ୍ ଗଡ଼ିଥିବା ବେଳେ ବସ୍, ଟ୍ରକ୍, କାର୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ, ବଜାର ବନ୍ଦ ରହିଥିଲା । ଦଳୀୟ କର୍ମୀ ସହରରେ ତୁହାକୁ ତୁହା ବାଇକ୍ ରାଲି କରି ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ କରିଥିଲେ । ବିନା ହେଲମେଟ୍ରେ ବାଇକ୍ରେ ଦୁଇ, ତିନି ଜଣ ଲେଖାଏଁ ବସି ଦଳୀୟ ପତାକା ଧରି ସହରରେ ପଇଁତରା ମାରିଥିଲେ । କେନ୍ଦ୍ର ସରକାର ବିରୁଦ୍ଧରେ ନାରାବାଜୀ ପକାଇଥିଲେ । ଯଥାଶୀଘ୍ର ପୁରୁଣା ପ୍ଲାଣ୍ଟ୍କୁ ଚାଲୁ କରିବାକୁ ଦଳ ଦାବି କରିଥିଲା । ଜିଲ୍ଲାର ସେହିପରି ବିଜେଡିର ଏହି ବନ୍ଦକୁ ଏସ୍ୟୁସିଆଇ(କମୁ୍ୟନିଷ୍ଟ) ଓ ଅନୁଗୁଳ ଜିଲ୍ଲା ଜନଜୀବନ କମିଟି ସମର୍ଥନ ଜଣାଇ ଆନେ୍ଦାଳନ କରିଥିଲା । ଏସ୍ୟୁସିଆଇ(କମୁ୍ୟନିଷ୍ଟ)ର କର୍ମକର୍ତ୍ତାମାନେ ଶିକ୍ଷକପଡାସ୍ଥ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ୍ ମାନ ଦେଇ ବସ୍ଷ୍ଟାଣ୍ଡ, ବଜାର, ଏନ୍.ଏଚ୍-୫୫ ପରିକ୍ରମାକରି ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଫାଟକ ସମ୍ମୁଖରେ ପିକେଟିଂ କରିଥିଲେ । ଏହି ବନ୍ଦରେ ଏସ୍ୟୁସିଆଇ(କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ସଭ୍ୟ ଜୟସେନ ମେହେର, ନବକିଶୋର ପ୍ରଧାନ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ସରୋଜିନୀ ନାୟକ, ସଞ୍ଜୟ ସାହୁଙ୍କ ସମେତ ଆଡ୍ଭୋକେଟ୍ ପ୍ରମୋଦ ପ୍ରଧାନ, ବିଷ୍ଣୁ ସାହୁ, ନିରଞ୍ଜନ ନାୟକ, ମଳୟ ବେହେରା, କୁମର ସାହୁ, ବିନତୀ ସାହୁ ପ୍ରମୁଖ ସାମିଲ ଥିଲେ । ତେବେ ଅପରାହ୍ଣ ଗୋଟାଏରେ ବିଜେଡି ଆନେ୍ଦାଳନରୁ ଓହରିଥିଲା । ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ କହିଥିଲେ, ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ କ୍ରମେ ଏହି ଆନେ୍ଦାଳନ ହୋଇଥିଲା । କେନ୍ଦ୍ର ସରକାର ଓ ଏନ୍ଟିପିସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରି ପ୍ଲାଣ୍ଟ କରିବାକୁ ରାଜି ହୋଇଛନ୍ତି । ଯେହେତୁ ସେମାନେ ରାଜ୍ୟ ସରକାରଙ୍କ ପାଖରେ ମୁଣ୍ଡ ନୁଆଁଇଛନ୍ତି, ସେହି ପରିପ୍ରେକ୍ଷୀରେ ଅଧାରୁ ଆନେ୍ଦାଳନ ପ୍ରତ୍ୟାହୃତ କରିଛୁ ବୋଲି ସେ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons