ସାବତ ମା’କୁ ତଣ୍ଟିଚିପି ହତ୍ୟା କଲା ପୁଅ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ସାବତ ମା’କୁ ତଣ୍ଟିଚିପି ହତ୍ୟା କରିଛି ପୁଅ । ଶୋଇଥିବା ବେଳେ ବେକରେ ଗାମୁଛା ଗୁଡ଼ାଇ ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଥାନା ଗାଦବାଗଡ଼ାରେ । ଶ୍ରୀଧର ମହାପାତ୍ରଙ୍କ ଦ୍ୱିତୀୟ ପତ୍ନୀ ରୁନି ମହାପାତ୍ରଙ୍କୁ ସାବତ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ତଣ୍ଟିଚିପି ହତ୍ୟା କରିଥିବା ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ତାରିକ୍ ଅହମ୍ମଦ ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଶ୍ରୀଧର ମହାପାତ୍ର ଜଣେ ହୋଟେଲ ମାଲିକ । ଆଜି ସକାଳେ ଶ୍ରୀଧର ହୋଟେଲକୁ ଚାଲିଯାଇଥିବା ବେଳେ ତାଙ୍କ ସାନପୁଅ ସୂର୍ଯ୍ୟ ଘରକୁ ଆସିଥିଲେ । ସେହି ସମୟରେ ସାବତ ମା’ ରୁନି ଏକ ଖଟରେ ଶୋଇଥିଲେ । ଶୋଇଥିବା ବେଳେ ସୂର୍ଯ୍ୟ ତାଙ୍କ ବେକରେ ଗାମୁଛା ଗୁଡାଇ ତଣ୍ଟିଚିପି ହତ୍ୟା କରିଥିଲେ । ସାହିରେ ଏହି ଘଟଣା ପ୍ରଚାରିତ ହେବା ପରେ ଶ୍ରୀଧର ଘରକୁ ଆସି ରୁନିଙ୍କୁ ଖଟରେ ମରି ପଡିଥିବା ଦେଖିଥିଲେ । ଅଭିଯୁକ୍ତ ପୁଅ ମଧ୍ୟ ଘରେ ଥିଲା । ଖବର ଦେବା ପରେ ପୁଲିସ ପହଞ୍ଚି ଶବ ଜବତ କରିଥିଲା । ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ଶବ ପଠାଇ ତଦନ୍ତ ଆରମ୍ଭ କରିଥିଲା । ପଚରାଉଚରା ପରେ ସୂର୍ଯ୍ୟ ତାଙ୍କ ସାବତ ମା’ଙ୍କୁ ହତ୍ୟା କରିଥିବା ସ୍ୱୀକାର କରଥିଲେ । ସୂର୍ଯ୍ୟଙ୍କ କହିବା ଅନୁଯାୟୀ ତାଙ୍କ ସାବତମା’ ରୁନି ୧୦ବର୍ଷ ତଳେ ବିବାହ କରିଥିଲେ । ସ୍ୱାମୀ ପରିତ୍ୟକ୍ତା ହୋଇ ତାଙ୍କ ଏକ ଦିବ୍ୟାଙ୍ଗ ପୁଅ ସହ ରହିଥିଲେ । ତାଙ୍କ ବାପା ଶ୍ରୀଧର ଦିବ୍ୟାଙ୍ଗ ପୁଅ ଓ ରୁନିଙ୍କୁ ଘରକୁ ଆଣି ରଖିଥିଲେ । ରୁନି ଘରକୁ ଆସିବା ପରଠାରୁ ପରିବାରିକ କଳି ଆରମ୍ଭ ହୋଇଯାଇଥିଲା । ଶ୍ରୀଧରଙ୍କ ପ୍ରଥମ ପନôୀଙ୍କ ୪ ପୁଅ ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଝିଅ ବିବାହ କରିଥିବା ବେଳେ ବଡପୁଅ ବାହାରେ ରହୁଛନ୍ତି । ସାନପୁଅ ସୂର୍ଯ୍ୟକାନ୍ତ ନବରଙ୍ଗପୁର ସହରରେ ଅଲଗା ରହୁଛନ୍ତି । ୪ ଜଣ ସାବତ ପୁଅଝିଅଙ୍କୁ ରୁନି ଆଉ ଘରେ ପୂରାଇ ଦେଉ ନଥିଲେ । ଘରକୁ ଗଲେ ଅସଭ୍ୟ ଭାଷାରେ ଗାଳିଗୁଲଜ୍ କରୁଥିଲେ । ନାନା ପ୍ରକାର ନିର୍ଯାତନା ଦେଉଥିଲେ । ଅସହ୍ୟ ହେବାରୁ ସମ୍ଭାଳି ନପାର ସାବତ ମା’ଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ ବୋଲି ପୁଲିସ ଆଗରେ ସୂର୍ଯ୍ୟକାନ୍ତ ସ୍ୱୀକାର କରିଛନ୍ତି । ସୂର୍ଯ୍ୟକାନ୍ତଙ୍କ ବାପା ଶ୍ରୀଧର ପୁଅ ନାଁରେ ଥାନାରେ ଏତଲା ଦେଇଛନ୍ତି । ସୂର୍ଯ୍ୟକାନ୍ତଙ୍କ ସହ ତାର ଭାଇଭଉଣୀ ମାନେ ମିଶି ସଂପତ୍ତି ଲୋଭରେ ଏଭଳି ଷଡ଼ଯନ୍ତ୍ର କରି ତାଙ୍କ ଦ୍ୱିତୀୟ ପତ୍ନୀ ରୁନିଙ୍କୁ ହତ୍ୟା କରିଥିବା ଏତଲାରେ ଦର୍ଶାଯାଇଥିବା ଥାନା ଅଧିକାରୀ ଶ୍ରୀ ଅହମ୍ମଦ କହିଛନ୍ତି । ତଦନ୍ତକାରୀ ଅଧିକାରୀ ରାଧାକାନ୍ତ ବାରିକ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରିଛନ୍ତି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚାଲିଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons