ସାବଧାନ, ଛେଳି ଚୋର ମାତିଛନ୍ତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବୁଧବାର ଆଇଁଷ ବାରରେ ପଡ଼ୁଛି ଛାଡ଼ଖାଇ । ଛେଳି ମାଂସ କିଲୋ ୬୦୦ ଟଙ୍କାରେ ପହଞ୍ଚିବ । ଏହି ମୌକା ହାସଲ କରିବା ଲାଗି ଛେଳିମେଣ୍ଢା ଚୋର ଗାଁ ଗଣ୍ଡାରେ ମାତି ଯାଇଛନ୍ତି । ରାତି ଅଧରେ ଗୁହାଳରେ ପଶି ଛେଳି ମେଣ୍ଢା ମୁହଁରେ ରାସାୟନିକ ସ୍ପେ୍ର’ ମାରି ଦେଉଛନ୍ତି । ଛେଳିମେଣ୍ଢା ଅଚେତ ହୋଇ ଆଉ ବୋବାଉ ନାହାନ୍ତି । ତେଣୁ ନିଶଦ୍ଧରେ ଉଠାଇ ନେଇ ଗାଡ଼ିରେ ଲଦୁଛନ୍ତି । ଆରାମରେ ଖସି ଯାଉଛନ୍ତି । ଏଥିରେ ବିଶେଷ କରି ଗରିବଗୁରୁବା ପଶୁପାଳକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ପୁଲିସରେ ଅଭିଯୋଗ କଲେ କେହି ଶୁଣୁନାହାନ୍ତି ।
ରବିବାର ରାତି ଗୋଟାଏ ହେବ । ରାଜଧାନୀ ଉପକଣ୍ଠ ପିପିଲି ଥାନା ଅନ୍ତର୍ଗତ ମଗଲପୁର ଗାଁରେ ଛେଳି ଚୋର ପଶିଲେ । ଗାଁ’ମୁଣ୍ଡରେ ମଲ୍ଲିକ ସାହି ଲୋକେ ପ୍ରାୟତଃ ଛେଳିମେଣ୍ଢା ପାଳନ୍ତି । ତେଣୁ ଚୋରମାନେ ସେଇଠି ଗାଡ଼ି ଲଗାଇଲେ । ଅତି ସନ୍ତର୍ପଣରେ ଗୁହାଳରେ ପଶି ସେଠାରୁ ୩ଟି ଛେଳି ଉଠାଇ ନେଲେ । ଏତେ କାଣ୍ଡ ଘଟିଲେ ମଧ୍ୟ କେହି ଜାଣି ପାରିଲେ ନାହିଁ । ଏଥିରୁ ଚୋରମାନେ ନିଶ୍ଚେତକ ସ୍ପେ୍ର’ ବ୍ୟବହାର କରୁଛନ୍ତି ବୋଲି ଅନୁମାନ କରାଯାଉଛି । ସକାଳେ ପରିବାର ଲୋକେ ଗୁହାଳରୁ ଛେଳି ଚୋରିଥିବା ଜାଣିଥିଲେ । କିଛି ଦିନ ତଳେ ମଲ୍ଲିକ ସାହିରୁ ୨ଟି ଗାଈ ଚୋରି ହୋଇଥିଲା । ଲୋକେ ଥାନାରେ ଏତଲା ଦେଇ ନିରାଶ ହୋଇଥିଲେ । ତେଣୁ ଏଥର ଚୋରି ହେବା ପରେ ଆଉ ପୁଲିସର ଆଶ୍ରୟ ନେଇନାହାନ୍ତି ।
ଅନୁରୂପ ଘଟଣା ଘଟିଛି କଟକ ସହର ଉପକଣ୍ଠ ୪୨ ମୌଜାର କୂଳକଳପଡ଼ା ଗାଁ’ରେ । ଏହି ଗାଁ’ର ବିକ୍ରମ ବେହେରାଙ୍କ ମେଣ୍ଢା ପାଳନ କରନ୍ତି । ୨ଦିନ ତଳେ ତାଙ୍କ ଗୁହାଳକୁ ଟାର୍ଗେଟ କରିଥିଲେ ଚୋରମାନେ । ନିଶ୍ଚେତକ ପକାଇ ୧୮ଟି ପ୍ରାପ୍ତବୟସ୍କ ମେଣ୍ଢାଙ୍କୁ ଏଭଳି ଭାବେ ଉଠାଇନେଲେ ଯେ, ଟିକିଏ ବି ଉଁ, ଚୁଁ ଶୁଭିଲାନାହିଁ । ଏହି ମେଣ୍ଢା ଗୁଡ଼ିକର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ସେହିଭଳି ନିକଟସ୍ଥ ଦେଉଳି ଗାଁ’ରେ ପଶି ୮ଟି ଛେଳି, ଗୋବିନ୍ଦପୁର ଗାଁ’ରୁ ୪ଟି ଛେଳି ଉଠାଇ ନେଇଛନ୍ତି । ଆଉ ମଧ୍ୟ ଭୁବନେଶ୍ୱର ଉପକଣ୍ଠ ଧଉଳି, ଟିକରପଡ଼ା ଆଦି ପଞ୍ଚାୟତରୁ ଗୁଡ଼ାଏ ଛେଳି ଚୋରି ଘଟଣା ପଦାକୁ ଆସିଛି । ଚୋରମାନେ ଦିନରେ ବାଇକ୍ରେ ଆସୁଛନ୍ତି । ଅଖାରେ ଛେଳିକୁ ପୂରାଇ ନେଇ ପଳାଉଛନ୍ତି । ରାତି ଚୋରିରେ ଟାଟା ଏସିି ଗାଡ଼ି ବ୍ୟବହୃତ ହେଉଛି । କିନ୍ତୁ କେହି ଧରାପଡ଼ୁ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଛେଳି ଚୋରଙ୍କ ପ୍ରତି ସତର୍କ ହେବା ଜରୁରି ହୋଇପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons