ସାରଥି ସହଯୋଗୀଙ୍କ ସମ୍ପତ୍ତି ଉପରେ ଝୁଲିଲା ‘ଇଡି’ ଦଖଲ ନୋଟିସ୍

Get real time updates directly on you device, subscribe now.

କେନ୍ଦ୍ରାପଡା,(ବି.ବି.ନୁ୍ୟଜ୍): ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ ଜାମିନ୍ରେ ମୁକୁଳିବା ପରେ ଏବେ ଅଜ୍ଞାତ ସ୍ଥାନରେ ରହୁଛନ୍ତି । ଏଯାଏ ସେ କେଉଁଠାରେ ରହୁଛନ୍ତି ତାହା ପ୍ରଶ୍ନବାଚୀ ହୋଇ ଝୁଲୁଥିବା ବେଳେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ବାରିମୂଳ ସାରଥି ଆଶ୍ରମର ଜମିକୁ ଇତିମଧ୍ୟରେ ନିଜ ଦଖଲକୁ ନେଇସାରିଛି । ଏବେ ଆଶ୍ରମ ପରିଚାଳନା କଥା ବୁଝାବୁଝି କରୁଥିବା ସତ୍ୟମ୍ ଚାରିଟେବୁଲ୍ ଟ୍ରଷ୍ଟର ସମ୍ପତ୍ତି, ଟ୍ରଷ୍ଟ ସହ ଜଡ଼ିତ ସାରଥିଙ୍କ କିଛି ସହଯୋଗୀଙ୍କ ସମ୍ପତ୍ତି ଓ ଟ୍ରଷ୍ଟରୁ ଉପାର୍ଜିତ ଅର୍ଥରେ କିଣା ସମ୍ପତ୍ତିକୁ ନିଜ ଦଖଲକୁ ନେଇଛି ଇଡି । ନାଗେଶ୍ୱରପୁରର ସୁରେନ୍ଦ୍ର ମଲିକ, କଟକ ଲାଲ୍ବାଗ ଥାନା ଅଞ୍ଚଳର ରବୀନ୍ଦ୍ର କୁମାର ପଟ୍ଟନାୟକ, ବାରିମୂଳର ସରୋଜ ରାଉତଙ୍କ ମାଲିକାନାରେ ଥିବା ୩ଟି ଜମି (ପ୍ଲଟ)କୁ ଇଡି ଏ ଭିତରେ ଦଖଲକୁ ନେଇଛି । ସୁରେନ୍ଦ୍ରଙ୍କ ଜମି ନାଗେଶ୍ୱରପୁରରେ. ରବିନ୍ଦ୍ର ଓ ସରୋଜଙ୍କ ଜମି କଟକ-ଚାନ୍ଦବାଲି ରାସ୍ତା ନିକଟରେ ରହିଛି । ସେଠାରେ ଇଡିର ଟିମ୍ ପହଞ୍ଚି ନୋଟିସ୍ ବୋର୍ଡ ଝୁଲାଇଛନ୍ତି । ଆଜି ଇଡି ଅଧିକାରୀ ବିଜୟ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଡେରାବିଶ ବ୍ଲକ୍ ଅଧୀନ ବାରିମୂଳର ନାଗେଶ୍ୱରପୁର, କେନ୍ଦ୍ରାପଡ଼ା ବ୍ଲକ୍ ଗରାପୁର ମୌଜାରେ ଥିବା ୩ଟି ପ୍ଲଟରେ ଦଖଲ ନୋଟିସ୍ ଝୁଲାଇଛନ୍ତି । ଏ ସମସ୍ତ ପ୍ଲଟ୍ରେ ଇଡି ଜାରି କରିଛି କଟକଣା । ଉକ୍ତ ଜମିରେ କୌଣସି ଅନଧିକାର ପ୍ରବେଶ ହୋଇପାରିବନି ।
୫ ମାସ ଆଗରୁ ଇଡି ଟିମ୍ ବାରିମୂଳସ୍ଥିତ ସାରଥି ଆଶ୍ରମରେ ପହଞ୍ଚି ନୋଟିସ୍ ବୋର୍ଡ ଝୁଲାଇଥିଲା । ସାରଥି ଆଶ୍ରମ ଓ ତାହାର ଆଖପାଖ ୨୬ଟି ପ୍ଲଟରେ ଇଡି ଜାରି କରିଥିଲା କଟକଣା । ଆଶ୍ରମ ଓ ତା’ ପାଖକୁ ଲାଗିଥିବା ପ୍ଲଟ୍ ବିକ୍ରି ହୋଇପାରିବନି । ଉକ୍ତ ବିବାଦୀୟ ଜମିର ଖରିଦ୍ ବିକ୍ରି ହୋଇପାରିବନି ବୋଲି ସ୍ପଷ୍ଟ ହୋଇଥିଲା ଏଥିରେ । ତେବେ ଇଡି ସର୍ବସାଧାରଣଙ୍କ ପ୍ରବେଶ ନେଇ ନୋଟିସ୍ ଜାରି କରି ନିଜେ ଅଡୁଆରେ ଛନ୍ଦି ହୋଇଛି । କାରଣ ଆଶ୍ରମର ଅନ୍ଦର ମହଲରେ ସାରଥିଙ୍କ ମା’, ତାଙ୍କର ଦୁଇ ସେବାକାରୀ ସାରଥି ଗିରଫ ହେବା ପରଠାରୁ ରହି ଆସୁଛନ୍ତି । ବିଭିନ୍ନ ସମୟରେ ସାରଥିଙ୍କ ସମ୍ପର୍କୀୟ, ଅନୁଗତମାନେ ପଛ ପାଖ ଫାଟକ ଦେଇ ଆଶ୍ରମକୁ ଚଳାଚଳ କରୁଥିବା ଅଭିଯୋଗ ହୁଏ । ଏଠାକୁ ଗତାଗତ ନିଷିଦ୍ଧ ବୋଲି ନୋଟିସରେ ସୂଚାଇ ଦିଆଯାଇଥିବା ବେଳେ ଆଶ୍ରମ ଭିତରେ ସାରଥିଙ୍କ ମା’, ସେବାକାରୀ କେମିତି ରହିପାରିବେ ବୋଲି ଆଗରୁ ପ୍ରଶ୍ନ ଉଠିଛି । ସାରଥିଙ୍କ ପୈତୃକ ସମ୍ପତ୍ତି, ଘର ରହିଛି ଆଶ୍ରମ ନିକଟରେ । ବାରିମୂଳରେ ତାଙ୍କର ସମ୍ପର୍କୀୟ ମାନେ ବି ରହିଆସୁଛନ୍ତି ଦୀର୍ଘବର୍ଷ ଧରି । କୌଣସି ପରିବାର ସଦସ୍ୟ, ଆତ୍ମୀୟଙ୍କ ହେପାଜତ ବିନା ସାରଥିଙ୍କ ବୃଦ୍ଧା ମା’, ସେବାକାରୀଙ୍କୁ ଆଶ୍ରମ ଭିତରେ ରହିବାକୁ ଛାଡ଼ି ଦିଆଯାଇଛି କାହିଁକି ତାହା ଏବେ ବଡ଼ ପ୍ରଶ୍ନ । ୨୦୧୫ ଅଗଷ୍ଟ ୮ ତାରିଖରେ ସାରଥି ଓରଫ ସନ୍ତୋଷ ବାରିମୂଳ ଆଶ୍ରମ ପରିସରରୁ ଗିରଫ ହେବା ପରେ ସାରଥିଙ୍କ ଅଚଳାଚଳ ସମ୍ପତ୍ତି ଉପରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏଯାଏ ତଦନ୍ତ ଚଳାଇ ଆସୁଛି । ପୁଣି ସାରଥି ଏତେ ସବୁ ସମ୍ପତ୍ତିର ମାଲିକ କେମିତି ବନିପାରିଲେ ତାହା ଇଡିର ତଦନ୍ତ ପରିସରଭୁକ୍ତ ରହିଛି । ସାରଥି ଜାମିନରେ ମୁକୁଳିବା ପରେ ତାଙ୍କ ଭକ୍ତମାନେ ଆଶ୍ରମରେ ପହଞ୍ଚି ଗହଳି ଜମାଇବା ଆଶଙ୍କା କରି ଇଡି ତରବରିଆ ଭାବେ ୫ ମାସ ତଳେ ନୋଟିସ୍ ବୋର୍ଡ ଝୁଲାଇଥିଲା । ପୂର୍ବରୁ ଇଡି ସାରଥିଙ୍କର ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ନିଜ ଦଖଲକୁ ନେଇଛି । ଏଥିରେ ବାରିମୂଳଠାରେ ଥିବା ଆଶ୍ରମ, ଭୁବନେଶ୍ୱରରେ ଥିବା ଦୁଇଟି ସୁରମ୍ୟ ଅଟ୍ଟାଳିକା ରହିଛି । ସେଥିରେ ପୁଣି ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons