ସାରା ରାଜ୍ୟରେ ପୁଲିସ୍ ଚଢ଼ଉ:୧୪୧ ମଦୁଆ ଡ୍ରାଇଭର୍ ଗିରଫ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଗାଡ଼ି ଚଲାଉଥିବା ମଦୁଆ ଡ୍ରାଇଭର୍ଙ୍କୁ ସାବାଡ୍ କରିବା ପାଇଁ ରାଜ୍ୟ ପୁଲିସ୍ ବାହିନୀ ପକ୍ଷରୁ ସାରା ରାଜ୍ୟରେ ଏବେ ଜୋରଦାର ଚଢ଼ଉ ଚାଲିଛି । ନୂତନ ମୋଟର୍ ଯାନ ଆଇନର ଧାରା ୧୮୫ /୨୦୨ ରେ ପୁଲିସ୍ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରୁଛି । ଗତ ୬ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ଧରପଗଡ଼ ଅଭିଯାନରେ ପୁଲିସ ଏଯାବତ ସାରା ରାଜ୍ୟରୁ ୪୨୬ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ।
ପୁଲିସ୍ ମୁଖ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଏବଂ ଜାତୀୟ ରାଜପଥରେ ଗତକାଲି ପୁଲିସ୍ ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଅଟକାଇ ପ୍ରାୟ ୫ହଜାର ଡ୍ରାଇଭରଙ୍କୁ ଯାଞ୍ଚ କରିଯାଇଥିଲା । ଯାଞ୍ଚ ବେଳେ ୧୪୧ ଜଣ ଡ୍ରାଇଭର ମଦ୍ୟପାନ କରିଥିବା ପ୍ରମାଣ ମିଳିବା ପରେ ପୁଲିସ୍ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬ ଜଣ ଡ୍ରାଇଭର ଗିରଫ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୨୦ ଜଣ, ସମ୍ବଲପୁର ଜିଲ୍ଲାରେ ୧୮ ଜଣ ଡ୍ରାଇଭରଙ୍କୁ ପୁଲିସ୍ ଗିରଫ କରିଥିବା ପୁଲିସ୍ ମୁଖ୍ୟାଳୟରୁ ସୂଚନା ମିଳିଛି । ସେହିପରି ରାଉରକେଲା ପୁଲିସ୍ ଜିଲ୍ଲାରେ ୧୬ ଜଣ ଡ୍ରାଇଭର, ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ ୧୨ ଜଣ, ଜଗତସିଂହପୁର ଜିଲ୍ଲାରେ ୧୨, ଗଜପତି ଜିଲ୍ଲାରେ ୯, ଅନୁଗୁଳ ଜିଲ୍ଲାରେ ୬, ନବରଙ୍ଗପୁର ଜିଲ୍ଲାରେ ୬, କୋରାପୁଟ୍ ଜିଲ୍ଲାରେ ୫, ମୟୁରଭଞ୍ଜ ୪, କେନ୍ଦ୍ରାପଡ଼ା ଜିଲ୍ଲାରେ ୨, ବାଲେଶ୍ୱର, ଖୋର୍ଦ୍ଧା, କନ୍ଧମାଳ, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲାରେ ଜଣେ ଲେଖାଏଁ ମଦ୍ୟପ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଚଳିତ ସେପ୍ଟେମ୍ବର ମାସରୁ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ା ଭାବେ ଚାଲିଛି । ବିଶେଷ କରି ରାଜପଥରେ ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା ଉପରେ ରୋକ ଲଗାଇବା ପାଇଁ ପୁଲିସ୍ ବାହିନୀ ପକ୍ଷରୁ ଏବେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons