ନୂଆଦିଲ୍ଲୀ: ସାର ସବ୍ସିଡି ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ବୁଧବାର ୩ଟି ନୂଆ ପ୍ରଯୁକ୍ତି ସଂକ୍ରାନ୍ତ ପଦକ୍ଷେପ ନେଇଛନ୍ତି । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭୦,୦୦୦ କୋଟି ଟଙ୍କାର ସାର ସବ୍ସିଡି ସିଧାସଳଖ ପ୍ରଦାନ କରିବାରେ ଏହି ପ୍ରଯୁକ୍ତି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି ।
ଏହି ୩ଟି ପଦକ୍ଷେପ ମଧ୍ୟରେ ରହିଛି- ସାର ଯୋଗାଣର ପୂର୍ଣ୍ଣ ବିବରଣୀ ସଂକ୍ରାନ୍ତ ଡ୍ୟାସ୍ବୋର୍ଡ, ଜାତୀୟ, ରାଜ୍ୟ ଏବଂ ଜିଲ୍ଲାରେ ଉପଲବ୍ଧତା ଓ ଆବଶ୍ୟକତା ଉପରେ ତଥ୍ୟ ଏବଂ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ସଫ୍ଟୱେରର ଏକ ବିକଶିତ ଭର୍ସନ ଏବଂ ପିଓଏସ୍ ଭର୍ସନର ଏକ ଡେସ୍କଟପ୍ । ଉଲ୍ଲେଖଯୋଗ୍ୟ, ୨୦୧୭ ଅକ୍ଟୋବରରେ ସରକାର ସାର ସବ୍ସିଡି ପାଇଁ ପ୍ରଥମ ପର୍ଯ୍ୟାୟ ଡିବିଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସାର ବାବଦ ସବ୍ସିଡି ଅର୍ଥ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯୋଗାଇ ଦିଆଯାଉଛି । ଖୁଚୁରା ବିକ୍ରି ତଥ୍ୟକୁ ଆଧାର କରି ସବ୍ସିଡି ଅର୍ଥ ଛଡ଼ାଯାଉଛି ।
ଡିବିଟି ୨.୦ ଶୁଭାରମ୍ଭ କରି ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଛନ୍ତି, ଏହି ନୂଆ ପଦକ୍ଷେପ ସାର ସବ୍ସିଡି ଯୋଗାଣରେ ସ୍ୱଚ୍ଛତା ଆଣିବ । ପ୍ରତ୍ୟେକ ଯୋଗ୍ୟ ଚାଷୀ ଏହାର ସୁଫଳ ପାଇବେ । ଯେଉଁ ଉଦ୍ଦେଶ୍ୟରେ ସରକାର ସବ୍ସିଡି ଯୋଗାଉଛନ୍ତି, ତାହା ପୂରଣ ହୋଇପାରିବ । ଏହାଦ୍ୱାରା ସରକାର ଲିକେଜ୍ ଏବଂ ସବ୍ସିଡି ବାଟମାରଣା ଭଳି ସମସ୍ୟାର ପ୍ରତିକାର କରିଛନ୍ତି ।
Comments are closed, but trackbacks and pingbacks are open.