ପୁରୀ,(ବି.ବି.ନ୍ୟୁଜ୍):ଶରଧାବାଲିରେ ହରିବୋଲ, ହୁଳହୁଳିର ଭକ୍ତିମୟ ପରିବେଶ । ସମୟ ପାଖାପାଖି ଅପରାହ୍ନ ଗୋଟାଏ । ଆକାଶରେ ସୂର୍ଯ୍ୟଙ୍କ ଚାରି ପାଖରେ ଏକ ବଳୟ ସୃଷ୍ଟି ହୋଇଥିଲା । ଠିକ୍ ଏହି ସମୟରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ କହିଥିଲେ ଆକାଶରେ ସୁଦର୍ଶନ ଚକ୍ର ସୁରକ୍ଷା ବଳୟ ମଧ୍ୟରେ ମହାପ୍ରଭୁଙ୍କ ତିନି ରଥ ବାହୁଡ଼ା ଯାତ୍ରା କଲେ । ଶ୍ରୀନଅର ପହଞ୍ଚିବା ବେଳକୁ ଆକାଶରୁ ଏହି ବଳୟ ହଟି ଯାଇଥିଲା । ମହାପ୍ରଭୁଙ୍କ ତିନି ରଥ ନିର୍ବିଘ୍ନରେ ବାହୁଡା ଯାତ୍ରାରେ ଆସି ସିଂହଦ୍ୱାରଠାରେ ଠିଆ ହୋଇଥିଲେ ।
ଅପରାହ୍ନ ୧ଟା୧୦ ମିନିଟରେ ବଡ଼ଠାକୁରଙ୍କ ରଥ ଟଣା ଯାଇଥିଲା । ସେହିଭଳି ସନ୍ଧ୍ୟା ସାଢ଼େ ୫ଟାରେ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିଥିଲା । ସମୟରେ ପହଞ୍ଚିବା ନେଇ ଚଳିତ ରଥଯାତ୍ରା ନିକଟ ଇତିହାସରେ ଏକ ସର୍ବକାଳୀନ ରେକର୍ଡ କରିଥିବାର ବିଚାର କରାଯାଉଛି ।
ନୀତି ନିର୍ଘଣ୍ଟ ପୂର୍ବରୁ ରଥଟଣା ଯାଇଥିବାରୁ ଭକ୍ତ ସମାଗମ ପୂର୍ବାହ୍ନରେ ଅପେକ୍ଷାକୃତ କମ ରହିଥିଲା । ଅପରାହ୍ନ ୪ଟାରେ ରଥ ଟଣା ସମୟ ନିର୍ଦ୍ଧାରଣ ହୋଇଥିଲା । ଏହି ସମୟ ବେଳକୁ କିନ୍ତୁ ବଡ଼ଠାକୁରଙ୍କ ରଥ ସିଂହଦ୍ୱାରଠାରେ ପହଞ୍ଚି ସରିଥିଲା । ରଥଟଣା ସରିବା ବେଳାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଭରି ରହିଥିଲା । ପାଖାପାଖି ୭ ଲକ୍ଷ ଦର୍ଶନାର୍ଥୀ ପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ରଥ ଟାଣିବା ସହ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
ବାହୁଡ଼ା ଯାତ୍ରାରେ ପୁରୀ ପାଣିପାଗ ବେଶ ଅନୁକୂଳ ରହିଥିଲା । ବାହୁଡ଼ା ଯାତ୍ରା ନୀତି ସଅଳ ଆରମ୍ଭ ହୋଇଥିଲା । ମଧ୍ୟାହ୍ନ ୧୨ ପରିବର୍ତ୍ତେ ସକାଳ ୯ଟା ୧୦ ମିନିଟରେ ପହଣ୍ଡି ଆରମ୍ଭ ହୋଇଥିଲା । ସେହିଭଳି ଅପରାହ୍ନ ୪ଟା ପରିବର୍ତ୍ତେ ୧ଟା ୧୦ମିନିଟରେ ତାଳଧ୍ୱଜ ରଥ ଟଣା ଯାଇଥିଲା । ମା’ ସୁଭଦ୍ରାଙ୍କ ରଥ ୧ଟା୫୦ ମିନିଟ ଆଉ କଳା ଠାକୁରଙ୍କ ରଥ ଟଣା ୨ଟା ୫ମିନିଟରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଛାଡ଼ିଥିଲା । ତିନି ରଥ ସୂର୍ଯ୍ୟାସ୍ତ ପୂର୍ବରୁ ସିଂହଦ୍ୱାରେ ପହଞ୍ଚିଥିଲେ । ତିନି ରଥ ସିଂହଦ୍ୱାରେ ଲାଗିବା ବେଳକୁ ଅପରାହ୍ନ ୫ଟା ୩୫ ମିନିଟ ବାଜିଥିଲା ।
ସିଂହଦ୍ୱାର ପହଞ୍ଚିବା ପୂର୍ବରୁ ଶ୍ରୀନଅର ଆଗରେ ଲକ୍ଷ୍ମୀ ନାରାୟଣ ଭେଟ ପାଇଁ ନନ୍ଦିଘୋଷ ରଥ ଅପରାହ୍ନ ୪ଟା ୧୦ ମିନିଟରେ ଅଟକିଥିଲା । ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସଂପାଦନ କରିଥିଲେ । ଏହା ପରେ ନନ୍ଦିଘୋଷ ରଥ ଅପରାହ୍ନ ୫ଟା ୧୫ ମିନିଟରେ ଶ୍ରୀନଅର ଛାଡ଼ି ସିଂହଦ୍ୱାର ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ ତାଳଧ୍ୱଜ ଆଉ ଦର୍ପଦଳନ ରଥ ସିଂହଦ୍ୱାର ରଥ ଚକଡ଼ାରେ ପହଞ୍ଚି ସାରିଥିଲେ ।
ଆସନ୍ତାକାଲି ରଥାରୂଢ଼ ଶ୍ରୀଜିଉଙ୍କ ସୁନା ବେଶ ହେବ । ଅପରାହ୍ନ ୪ଟାରୁ ବେଶ ଆରମ୍ଭ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । ଶୁକ୍ରବାର ତିନି ରଥ ଲାଗିବା କ୍ଷଣି ସୁନାବେଶ ଦର୍ଶନ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଅଳଙ୍କାର ଏବଂ ତିନି ରଥର ସୁରକ୍ଷା ପାଇଁ ଚାରି ପାଖରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ସେହିଭଳି ଦର୍ଶନାର୍ଥୀଙ୍କ ଦର୍ଶନ ନିମନ୍ତେ ମଧ୍ୟ ମରିଚିକୋଟ ଛକ ପାଖରୁ ଅସ୍ଥାୟୀ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟ ରାତି ସୁଦ୍ଧା ଶେଷ କରିବାକୁ ପ୍ରସ୍ତୁତି ଚାଲିଛି ।
ପୁରୀରେ ପାଣିପାଗ ଅନୁକୂଳ ଯୋଗୁ ଭକ୍ତମାନେ ବାହୁଡ଼ା ଯାତ୍ରାକୁ ବେଶ ଉପଭୋଗ କରିଥିଲେ । ଆକାଶରେ ପତଳା ମେଘ ଘୋଡାଇ ରହିଥିଲା । ଶୀତଳ ପବନ ପ୍ରବାହ ଚାଲିଥିଲା । ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରୀରୁ ୩୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥିଲା । ଅପରାହ୍ନ ସାଢ଼େ ଗୋଟାଏ ବେଳେ ପତଳା ଖରା ହୋଇଥିଲା । ରଥଟଣା ଶେଷ ପର୍ଯ୍ୟନ୍ତ ଏଭଳି ପରିବେଶ ଏବଂ ପାଣିପାଗ ସ୍ଥିତି ଜାରି ରହିଥିଲା ।
ଗତରାତିରୁ ବାହୁଡ଼ା ଯାତ୍ରା ନିମନ୍ତେ ଦଇତାପତି ସେବକ ଅଧାରୁ ଅଧିକ ପ୍ରସ୍ତୁତି ଶେଷ କରି ଦେଇଥିଲେ । ଗତରାତି ୮ଟା ୪୫ ମିନିଟରେ ଗୁଣ୍ଡିଚା ମନ୍ଦିରରେ ପହୁଡ଼ ନୀତି ଶେଷ ହୋଇଥିଲା । ଶୁକ୍ରବାର ସକାଳ ୬ଟା ୪୦ ମିନିଟରେ ମଙ୍ଗଳ ଆଳତି, ତା’ ପରେ ଅବକାଶ ଆଉ ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ଗୋପାଳବଲ୍ଲଭ , ସକାଳ ଧୂପ ନୀତି ସକାଳ ୮ଟା ୪୦ ମିନିଟରେ ଶେଷ ହୋଇଥିଲା । ମହାପ୍ରଭୁଙ୍କ ମଙ୍ଗଳାର୍ପଣ ସକାଳ ୯ଟା, ପୁଷ୍ପାଂଜଳି ସକାଳ ୯ଟା ୫ମିନିଟରେ ସରିବା କ୍ଷଣି ବାହୁଡ଼ା ପହଣ୍ଡି ନିମନ୍ତେ ବିଜେ କାହାଳୀ ବାଜିଥିଲା । ପୂର୍ବାହ୍ନ ୧୧ଟା ୧୫ ମିନିଟରେ ପହଣ୍ଡି ସରିଥିଲା । ରଥରେ ଠାକୁରଙ୍କ ରୁନ୍ଧା କାର୍ଯ୍ୟ ଶେଷ ହେବା ଭିତରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ସାଢ଼େ ୧୧ଟାରେ ରଥାରୂଢ଼ ହୋଇଥିଲେ । ରଥ ଉପରେ ବେଶ ବି ସରିଥିଲା । ଗଜପତି ମହାରାଜା ବଡ଼ଶଙ୍ଖ ଛକରେ କାରରେ ପହଞ୍ଚିବା ପରେ ପାରମ୍ପରିକ ତାମଯାନରେ ରଥ ଛେରାପହଁରା ନୀତି ନିମନ୍ତେ ଶରଧାବାଲି ଯାତ୍ରା କରିଥିଲେ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ତିନି ରଥରେ ଛେରାପହଁରା ନୀତି ଅପରାହ୍ନ ୧୨ଟା ୧୦ ମିନିଟରେ ଆରମ୍ଭ ହୋଇଥିଲା । ତିନିି ରଥରେ ଛେରା ପହଁରା ନୀତି, ରାଜନୀତି ୧ଟା ୫୫ ମିନିଟରେ ସାରି ଗଜପତି ମହାରାଜା ଶ୍ରୀନଅର ଅଭିମୁଖେ ଯାତ୍ରା କରିଥିଲେ ।
ଛେରା ପହଁରା ନୀତି ପରେ ଚାରମାଳ ଫିଟା ଯାଇ ଘୋଡ଼ା ବନ୍ଧା ଯାଇଥିଲା । ତିନି ରଥ ବିନା ଅଝଟରେ ବଡ଼ଦାଣ୍ଡରେ ଭକ୍ତଙ୍କ ମେଳିରେ ଗଡ଼ିଯାଇଥିଲେ ସିଂହଦ୍ୱାର ।
Comments are closed, but trackbacks and pingbacks are open.