ଜୟପୁର,(ବି.ବି.ନୁ୍ୟଜ୍): କଥାରେ ଅଛି ସରକାର୍କା ମାଲ୍ ଦରିଆମେ ଡାଲ୍ । ଏହାର ଏକ ବଡ଼ ନମୁନା ହେଉଛି ଜୟପୁର ସିଟି ବସ୍ ସେବା । ପରିଚାଳନାଗତ ତ୍ରୁଟି ଏବଂ ପ୍ରଶାସନିକ ଅପାରଗତା କାରଣରୁ ୨୦ଖଣ୍ଡ ବସ୍ ଖରାବର୍ଷାରେ ପଡ଼ିରହି ଖତ ଖାଉଛି । ପାଣିରେ ପଡ଼ିଯାଇଛି ସରକାରଙ୍କ ୪ କୋଟି ଟଙ୍କା । କର୍ମଚାରୀ ନଥିବାରୁ ଗାଡ଼ିଗୁଡିକର ରକ୍ଷଣାବେକ୍ଷଣ ହୋଇପାରୁନି । ବିନା ସୁରକ୍ଷାରେ ଗ୍ୟାରେଜରେ ପଡ଼ି ରହିଛି କୋଟି କୋଟି ଟଙ୍କାର ବସ୍ । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଜୟପୁରରୁ କୋରାପୁଟ, ଦାମନଯୋଡି ଏବଂ କୋଟପାଡକୁ ଚାଲିଥିବା ୨୦ଟି ଯାକ ବସ୍ ଚଳାଚଳ ନକରି ମାସ ମାସ ଧରି ଗ୍ୟାରେଜ ପଡିଆରେ ଠିଆ ହୋଇଛି । ଖରାବର୍ଷା ଏବଂ ଶୀତକାକର ଖାଇ ଗାଡିଗୁଡିକ ଖତ ହେବାକୁ ବସିଲାଣି । ଅଧିକାଂଶ ଗାଡିରେ ଯନ୍ତ୍ରପାତି ନଥିବା ବେଳେ ଭିତରେ ଗଛ ଉଠିଗଲାଣି । କେଉଁ ବସ୍ରେ ଚକା ନାହିଁ ତ, ଆଉ କାହାର ଚକା ଖୋଲା ହୋଇ ପଡିରହିଛି । କାହାର ଝରକା କାଚ ଭାଙ୍ଗି ଗଲାଣି ତ ବର୍ଷା ପବନ ଖାଇ କେଉଁ ବସର ସିଟ୍ ଫିମ୍ପି ମାରିଗଲାଣି । ଗାଡ଼ି ଚଳାଚଳ କରିବା ଲାଗି ସରକାରଙ୍କ ସହ ଚୁକ୍ତି କରିଥିବା ସଂସ୍ଥା ଗୀତାଞ୍ଜଳି ସର୍ଫେସ ଟ୍ରାନସପୋର୍ଟ ଅଫିସରେ ତାଲା ଝୁଲୁଛି । ଗାଡି ଚଲାଇବା ଲାଗି ଚୁକ୍ତି କରିଥିବା ସଂସ୍ଥା କିମ୍ବା ପ୍ରଶାସନ କେହି ଏହାର ପୁନରୁଦ୍ଧାର ଲାଗି ଦୃଷ୍ଟି ଦେଉନାହାନ୍ତି । ବସ୍ଗୁଡିକୁ ଛିଡା କରାନଯାଇ ସ୍ୱେଚ୍ଛାସେବୀଙ୍କ ହାତକୁ ପରିଚାଳନା ଭାର ଦିଆଯାଉ ବୋଲି ପ୍ରଶାସନ ପାଖରେ ସହରର କେତେକ ଅନୁÂାନ ଦାବି କରିଥିଲେ ।
ସୂଚନାଥାଉକି, ଭାରତ ସରକାରଙ୍କ “ଜବାହରଲାଲ ନେହେରୁ ଅର୍ବାନ ଡେଭଲପମେଣ୍ଟ ମିଶନ’(ଜେ.ଏନ.ୟ.ୁଆର.ଏମ) ଯୋଜନାରେ ୨୦୧୬ ମସିହାରେ କୋରାପୁଟ ଜିଲ୍ଲା ପାଇଁ ୪୪ଟି ବସ୍ ଯୋଗାଣ ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଆସିଥିଲା ୨୦ ଖଣ୍ଡ ବସ୍ । ୬ ମାସ ଧରି କୋରାପୁଟ ପୁଲିସ ପଡ଼ିଆରେ ଗାଡ଼ିଗୁଡ଼ିକ ଠିଆ ହେବା ପରେ ମେ’ ପ୍ରଥମ ସପ୍ତାହରେ ଜୟପୁର ଆସିଥିଲା । ସ୍ଥାନୀୟ ଏଲ୍ଆଇସି ଅଫିସ ପାଖରେ ଥିବା ପଡ଼ିଆରେ ରଖାଯାଇଥିଲା । ଟେଣ୍ଡର କରାଯାଇ ବିଭିନ୍ନ ରୁଟ୍ରେ ବସ ଚଳାଚଳ କରିବା ପାଇଁ ରୁଟ୍ ମ୍ୟାପ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । କୋରାପୁଟ ଦେଇ ଦାମନଯୋଡ଼ିକୁ ସକାଳ ୬.୩୦ରୁ ବସ ସେବା ଆରମ୍ଭ ହୋଇଥିଲା । ପ୍ରତି ୨୦ ମିନିଟ୍ ଅନ୍ତରରେ ଗୋଟିଏ ଗୋଟିଏ ଗାଡ଼ି ଚଳାଚଳ କରିବ ବୋଲି ଆରଟିଓ ପରମିଟ୍ ଦେଇଥିଲେ । ଆଗରୁ ସିଟିବସ୍କୁ ମାସିକିଆ ପରମିଟ୍ ମିଳୁଥିଲା । ଗାଡ଼ି ଚାଲିବାର ୬ ମାସ ପରେ ପାଞ୍ଚ ବର୍ଷୀଆ ପରମିଟ ପ୍ରଦାନ ପାଇଁ କର୍ତ୍ତୃପକ୍ଷ ଆବେଦନ କରିଥିଲେ । ଜୟପୁର-କୋରାପୁଟ-ସୁନାବେଡା ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ(ଜେକେଏସ୍ୟୁଟି) ଗଠନ କରାଯାଇ ଗୀତାଞ୍ଚଳି ସର୍ଫେସ ଟ୍ରାନ୍ସ ପୋର୍ଟକୁ ପରିଚାଳନା ଲାଗି ଅନୁମତି ପ୍ରଦାନ କରାଯାଇଥିଲା । ଅଢେଇ ଲକ୍ଷ ଟଙ୍କା ପ୍ରଦାନ ପରେ ୫ ବର୍ଷିଆ ପରମିଟ ପ୍ରଦାନ କରିଥିଲେ ଆରଟିଓ ।
କୋଟପାଡରୁ ଭାୟା ଜୟପୁର ଦେଇ ଦାମନଯୋଡି ଚଳାଚଳ କରିଥିଲା ଗାଡ଼ି । ଏହାପରେ ବସ୍ ସେବା ନଥିବା ବିଭିନ୍ନ ଅଞ୍ଚଳକୁ ଗାଡି ଚଳାଚଳ କରିଥିଲା । ଫଳରେ ଲମତାପୁଟ, ମାଛକୁଣ୍ଡ, କୁନ୍ଦୁରା, ଲକ୍ଷ୍ମୀପୁର ଭାୟା ଦାମନଯୋଡି, ନନ୍ଦପୁରକୁ ଜୟପୁର ସହ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇପାରିଥିଲା । ସବୁଠୁ ଅଧିକ ଲାଭବାନ ହୋଇଥିଲେ ଜୟପୁର, କୋରାପୁଟ, ସୁନାବେଡା ଏବଂ କୋଟପାଡ ସହରାଞ୍ଚଳର ଜନସାଧାରଣ । ଚାକିରିଆ, ସ୍କୁଲକଲେଜ ଛାତ୍ରଛାତ୍ରୀ ଠିକ୍ ସମୟରେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁଥିଲେ । ବସ୍ରେ ଗର୍ଭବତୀ, ସମ୍ପୂର୍ଣ୍ଣ ଭିନ୍ନକ୍ଷମଙ୍କ ଲାଗି ସିଟ ସହ ମାଗଣା ଯିବାଆସିବାର ସୁବିଧା କରାଯାଇଥିଲା । ସ୍କୁଲକଲେଜର ଛାତ୍ରଛାତ୍ରୀଙ୍କ ଲାଗି ମାସିକ ୫୦ ପ୍ରତିଶତ ରିହାତି ଓ ସରକାରୀ କର୍ମଚାରୀଙ୍କ ଲାଗି ମାସିକା ୩୦ ପ୍ରତିଶତ ରିହାତି ଦିଆଯାଉଥିଲା । ପର୍ଯ୍ୟଟକଙ୍କୁ ଦିନିକିଆ ପାସ୍ ବି ମିଳୁଥିଲା । ଘରୋଇ ବସ ଅପେକ୍ଷା ଏହି ଗାଡି ଗୁଡିକ ଠିକ ସମୟରେ ଚଳାଚଳ କରୁଥିବାରୁ ନିର୍ଦ୍ଧାରିତ ସମୟରେ ଲୋକେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁଥିଲେ । ୨୦୧୮ ଦଶହରା ପୂର୍ବରୁ ଗୋଟିଏ ପରେ ଗୋଟିଏ ଗାଡି ଚଳାଚଳ ବନ୍ଦ ହେବା ଆରମ୍ଭ କରିଥିଲା । ଏବେ ସମସ୍ତ ୨୦ଟି ଯାକ ଗାଡ଼ି ଖୋଲା ଆକାଶ ତଳେ ପଡ଼ିରହି ଖତ ଖାଉଛି । ଏଣେ ଯାତ୍ରୀଙ୍କ ଦୁର୍ଦ୍ଧଶା ବଢିବାରେ ଲାଗିଛି ।


Comments are closed, but trackbacks and pingbacks are open.