ସିଡିଏସ ନିଯୁକ୍ତି ପ୍ରସ୍ତାବକୁ ସରକାରଙ୍କ ମଂଜୁରି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ସରକାର ମଙ୍ଗଳବାର ପ୍ରତିରକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସରକାର ସେନାବାହିନୀ ପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ ଅଥବା ସେନାବାହିନୀର ତିନୋଟି ଯାକ ଅଙ୍ଗର ପ୍ରତିନିଧିତ୍ୱ ଓ ପରିଚାଳନା କରୁଥିବା ଅଧିକାରୀ) ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିର ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଂଜୁରି ଦିଆଯାଇଛି । ତା’ ସହିତ ସିଡିଏସ ଭାବେ ନିଯୁକ୍ତି ପାଉଥିବା ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ହେବ, ସେସମ୍ପର୍କିତ ଦିଶାନିଦେ୍ର୍ଧଶକୁ ବି ମଂଜୁରି ଦିଆଯାଇଛି ।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜଣେ ଫୋର ଷ୍ଟାର ଜେନେରାଲ ର୍ୟାଙ୍କର ଅଧିକାରୀଙ୍କୁ ଏହି ପଦବିରେ ନିଯୁକ୍ତ କରାଯିବ । ସେ ସେନାବାହିନୀର ତିନୋଟି ଯାକ ଅଙ୍ଗର ମୁଖ୍ୟଙ୍କ ଭଳି ସମାନ ଦରମା ଏବଂ ଅନ୍ୟାନ୍ୟ ସୁବିଧା ପାଇବେ । ସେ ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ପାଇଁ ଏକକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ସହିତ ସେନାବାହିନୀର ତିନୋଟି ଯାକ ଅଙ୍ଗ ଭିତରେ ସମନ୍ୱୟ ବୃଦ୍ଧି କରିବା ପାଇଁ ଉଦ୍ୟମ କରିବେ । ସେ ସେନାବାହିନୀର ଚିଫସ ଅଫ ଷ୍ଟାଫ କମିଟିର ସ୍ଥାୟୀ ମୁଖ୍ୟ ହେବେ । ସାଇବର ଏବଂ ମହାକାଶ ଯୁଦ୍ଧ ପାଇଁ ଗଠିତ କମାଣ୍ଡ ତାଙ୍କ ଅଧୀନରେ କାର୍ଯ୍ୟ କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ‘ସାମରିକ ବ୍ୟାପାର’ ବିଭାଗ ନାମରେ ଗଠିତ ହେବାକୁ ଯାଉଥିବା ଏକ ନୂତନ ବିଭାଗର ସେ ମୁଖ୍ୟ ହେବେ । ଏହି ବିଭାଗରେ ଉଭୟ ସାମରିକ ଓ ବେସାମରିକ କର୍ମଚାରୀ କାର୍ଯ୍ୟ କରିବେ । ଏହି ପଦବି ସୃଷ୍ଟି ହେବା ପରେ ସେନାବାହିନୀରେ ଥିଏଟର କମାଣ୍ଡ୍ ଗଠନ ପାଇଁ ପଥ ପ୍ରଶସ୍ତ ହେବ । ସିଡିଏସ ପଦବିରେ ଯେଉଁ ଅଧିକାରୀ ନିଯୁକ୍ତି ପାଇବେ, ସେ ତା’ ପରେ କୌଣସି ପ୍ରକାର ସରକାରୀ ପଦବିରେ ଅବସ୍ଥାପିତ ହୋଇପାରିବେ ନାହିଁ । ସେହିପରି ସିଡିଏସ ପଦବି ଛାଡ଼ିବାର ୫ ବର୍ଷ ଭିତରେ ସରକାରଙ୍କ ବିନା ଅନୁମତିରେ ସେ କୌଣସି ଘରୋଇ କ୍ଷେତ୍ରରେ ବି କାର୍ଯ୍ୟ କରିପାରିବେ ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ଦେଇଥିବା ଭାଷଣରେ ଖୁବଶୀଘ୍ର ସିଡିଏସ ପଦବି ତିଆରି କରାଯିବ ବୋଲି ଘୋଷଣା କରିଥିଲେ । ଏହାପରେ ସରକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ ଯାହାକୁ ସିଡିଏସ ପଦବିରେ ନିଯୁକ୍ତ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ରହିବ ତାହା ନିର୍ଦ୍ଧାରିତ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।
କୁହଯାଉଛି କି ଏବେ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ବିପିନ ରାୱତଙ୍କୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ନିଯୁକ୍ତି ଦିଆଯିବ । ଜେନେରାଲ ରାୱତ ଚଳିତ ମାସ ୩୧ ତାରିଖରେ ଅବସର ନେବାକୁ ଯାଉଥିଲାବେଳେ ସରକାର ଏନେଇ ଉଚିତ ସମୟରେ ଘୋଷଣା କରିବେ ।
ସୂଚନାଯୋଗ୍ୟ, କାରଗିଲ ଯୁଦ୍ଧ ପରେ ଗଠିତ ସୁବ୍ରମଣ୍ୟମ କମିଟି ପ୍ରଥମେ ସିଡିଏସ ପଦବି ଗଠନ ପାଇଁ ପ୍ରସ୍ତାବ ଦେଇଥିଲା । ତେବେ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରୁନଥିଲା । ଯଦିଓ ବିଗତ ବର୍ଷ ଗୁଡ଼ିକରେ ସେନାବାହିନୀର ତିନୋଟି ଯାକ ଅଙ୍ଗ ଭିତରେ ସମନ୍ୱୟ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଏବଂ କିଛି ନୂଆ ୟୁନିଟ ବି ଗଠନ କରାଯାଇଛି, ତେବେ ସିଡିଏସ ନିଯୁକ୍ତି ପ୍ରସ୍ତାବକୁ ଥଣ୍ଡାବାକ୍ସ ଭିତରେ ରଖିଦିଆଯାଇଥିଲା । ଏହା ଉପରେ ରାଜନୈତିକ ସହମତିର ଆବଶ୍ୟକତା ରହିଛି ବୋଲି ସବୁବେଳେ କୁହାଯାଉଥିଲା । ୨୦୧୨ରେ ନରେଶ ଚନ୍ଦ୍ରା କମିଟି ସିଡିଏସ ବଦଳରେ ଚିଫସ ଅଫ ଷ୍ଟାଫ କମିଟିର ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୧୬ରେ ଲେଫ୍ଟନାଣ୍ଟ ଜେନେରାଲ ସେକଟକର କମିଟି ସେନାବାହିନୀର ୩ ଅଙ୍ଗ ଭିତରେ ସମନ୍ୱୟ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଭାବେ ଜଣେ ଫୋର୍ ଷ୍ଟାର୍ ଜେନେରାଲଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons