ରଙ୍ଗେଇଲୁଣ୍ଡା: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ସାହିରେ ଗୁରୁବାର ବିଳମ୍ବିତ ରାତିରେ ସିମେଣ୍ଟ୍ ଫ୍ଲୋରିଂ ଇଟା ମୁହଁରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଝିକିପଦର ଗ୍ରାମର ଦିଲ୍ଲୀପ ଦାସ (୩୦) । ହଜିଯାଇଥିବା ୪ ଶହ ଟଙ୍କା ଚୋରି ସନେ୍ଦହରେ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଦିଲ୍ଲୀପଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ସନେ୍ଦହରେ ସମ୍ପୃକ୍ତ ଯୁବକ ସହ ଆଉ ଜଣକୁ ଅଟକ ରଖିଛି । କେସ୍ ନମ୍ବର ୧୭୮/୨୦୨୧ ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।
ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ସୂଚନା ମୁତାବକ ଗୋଳନ୍ଥରା ଥାନା ଅନ୍ତର୍ଗତ ଝିକିପଦର ଗ୍ରାମର ଦିଲ୍ଲୀପ ରଣ୍ଢା ହରିଜନ ସାହିର ଗାୟତ୍ରୀ ଦାସଙ୍କୁ ବିବାହ କରିଛନ୍ତି । ସେ ଶ୍ରମିକ ଭାବେ କାମ କରୁଥିବା ବେଳେ କିଛି ଦିନ ହେଲା ସେ ଶ୍ୱଶୁର ଗାଁରେ ରହି ଆସୁଥିଲେ । ଗୁରୁବାର ସନ୍ଧ୍ୟାରେ ସେହି ସାହିର ଜଣେ ଯୁବକଙ୍କ ୪ ଶହ ଟଙ୍କା ଚୋରି ହୋଇଯାଇ ଥିଲା । ଏ ନେଇ ସେ ଦିଲ୍ଲୀପଙ୍କ ଉପରେ ସନେ୍ଦହ କରିବା ସହ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାତିରେ ମଦ୍ୟପାନ ସମୟରେ ଯୁବକ ଜଣକ ଦିଲ୍ଲୀପଙ୍କୁ ମଧ୍ୟ ଧମକ ଦେଇଥିବା କୁହାଯାଉଛି । ରାତିରେ ଦିଲ୍ଲୀପ ଖାଇ ପଡେ଼ାଶୀ କାଳୁ ଦାସଙ୍କ ଛାତ ଉପରକୁ ଶୋଇବା ପାଇଁ ଯାଇଥିଲେ । ବିଳମ୍ବିତ ରାତିରେ ସାହି ମଣ୍ଡପରେ ଶୋଇଥିବା ଯୁବକ ଜଣକକ ନିକଟରେ ପଡ଼ିଥିବା ଏକ ସିମେଣ୍ଟ ଇଟା ନେଇ ଶୋଇଥିବା ଦିଲ୍ଲୀପଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ଧସ୍ତାଧସ୍ତି ସହ ପାଟିତୁଣ୍ଡ ଶୁଣି କିଛି ଗାଁ ଲୋକ ଘଟଣାସ୍ଥଳକୁ ଗଲା ବେଳକୁ ଯୁବକ ଜଣକ ମଣ୍ଡପ ଉପରେ ଯାଇ କିଛି ନଜାଣିବା ଭଳି ଶୋଇ ପଡ଼ିଥିଲା । ତେଣେ ଘଟଣାସ୍ଥଳରେ ହିଁ ଦିଲ୍ଲୀପଙ୍କ ମୃତୁ୍ୟ ଘଟିଥିଲା ।
ଘଟଣାସ୍ଥଳରେ ପୁଲିସ ଛାନଭିନ୍ ସମୟରେ ଛାତ ଉପରୁ ଉକ୍ତ ଯୁବକର ସାର୍ଟ ମିଳିଥିଲା । ଏଣୁ ମଣ୍ଡପରେ ଶୋଇଥିବା ଅବସ୍ଥାରେ ତାକୁ ସନେ୍ଦହରେ ପୁଲିସ କାବୁ କରି ନେଇଥିଲା । ତାକୁ ସହଯୋଗ କରିଥିବା ସନେ୍ଦହରେ ଆଉ ଜଣଙ୍କୁ ମଧ୍ୟ ଅଟକ ରଖି ପଚରାଉଚୁରା କରୁଛି ପୁଲିସ । ଦିଲ୍ଲୀପଙ୍କ ୮ ବର୍ଷର ଝିଅଟିଏ ରହିଛି । ଗୋଳନ୍ଥରା ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଥିବା ଥାନାଧିକାରୀ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.