ସିମେଣ୍ଟ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ସିମେଣ୍ଟ ଟ୍ରକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ । ଆନ୍ଧ୍ରରୁ ଯାଉଥିଲା ଅନୁଗୁଳ । ଏହି ସମୟରେ ଚିତ୍ରକୋଣ୍ଡା ପୁଲିସ୍ ଚଢଉ କରି ଜବତ କରିଛି ୧୫ କୁଇଣ୍ଟାଲ ଗଞ୍ଜେଇ । ଜବତ ଗଞ୍ଜଇର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରିଛି ପୁଲିସ୍ । ଅତି ଚତୁରତା ସହ ସିମେଣ୍ଟ ବ୍ୟାଗ୍ ଭିତରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଏହି କାରବାରରେ ୨ ମାଫିଆଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଅନୁଗୁଳ ଜିଲ୍ଲାର ବିଶ୍ୱଜିତ ଭଦ୍ରି(୨୬) ଓ ସିନୁ ସାମଲ(୨୨) । ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଆଜି ଏସ୍ପି ରିଶିକେଶ ଖିଲାରି ଡି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏସ୍ପି ଶ୍ରୀ ଖିଲାରିଙ୍କ ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଥାନା ଇନ୍ସପେକ୍ଟର ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ଦୋରାଗୁଡା ଏସ୍ଆର କମ୍ପାନି ଛକ ରାସ୍ତାରେ ପାଟ୍ରୋଲିଂ କରୁଥିଲା । ସେହି ସମୟରେ ଆନ୍ଧ୍ରପଟରୁ ଏକ ସିମେଣ୍ଟ ଟ୍ରକ(ସିଜି-୦୪ଜେଡ-୪୫୯୬) ଦ୍ରୁତଗତିରେ ଆସୁଥିଲା । ପୁଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକି ନଥିଲା । ପୁଲିସ ଟ୍ରକ୍ର ପିଛା କରିଥିଲା । ଏହାଦେଖି ଟ୍ରକ୍ରେ ବସିଥିବା ୨ଜଣ ଓହ୍ଲାଇ ଜଙ୍ଗଲକୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ପୁଲିସ୍ କିନ୍ତୁ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଯାଞ୍ଚ ବେଳେ ଟ୍ରକ୍ରେ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ଓ ସିମେଣ୍ଟ ବୋଝେଇ ହୋଇ ରହିଥିଲା । ଚିତ୍ରକୋଣ୍ଡା ଥାନାରେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ମୋଟ ୧୫୦୦ କେଜି ଗଞ୍ଜେଇ ଓ ୨୦ ଟନ୍ ସିମେଣ୍ଟ ରହିଥିଲା ।
ଆନ୍ଧ୍ରପ୍ରଦେଶ ଦାରାକୋଣ୍ଡାରୁ ସିମେଣ୍ଟ ସହିତ ଗଞ୍ଜେଇ ବୋଝେଇ ହୋଇ ଅନୁଗୁଳ ଅଞ୍ଚଳକୁ ଚାଲାଣ କରାଯାଉଥିଲା ବୋଲି ଗିରଫ ମାଫିଆମାନେ ସ୍ୱୀକାର କରିଥିବା ଏସ୍ପି କହିଛନ୍ତି । ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୫ ହଜାର ଟଙ୍କା, ୨ଟି ମୋବାଇଲ ଜବତ କରାଯାଇଛି । ଏ ସଂପର୍କରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସୂଚନାଥାଉକି, ୨୦୧୮ରେ ଜିଲ୍ଲା ପୁଲିସ ପକ୍ଷରୁ ୧୦୨ଟି ଗଞ୍ଜେଇ ଚାଲାଣ ମାମଲା ରୁଜୁ କରାଯାଇଥିଲା । ମୋଟ ୧୭ ହଜାର ୧୧୮ କେଜି ଗଞ୍ଜେଇ ଜବତ କରାଯିବା ସହ ୧୭୯ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେହିପରି ୨୦୧୯ ମସିହା ଚଳିତ ମାସ ଆଜିସୁଦ୍ଧା ୮୮ଟି କେସ ରୁଜୁ କରାଯାଇ ୧୯ ହଜାର ୭୪୪ କେଜି ଗଞ୍ଜେଇ ଜବତ କରାଯିବା ସହ ୭୧ଜଣଙ୍କୁ ଗିରଫ କରାଯାଇଥିବା ଏସପି ଶ୍ରୀ ଖିଲାରି ଡି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons