କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ବଳଦାଠାରେ ଅବସ୍ଥିତ ସିରାଜୁଦ୍ଧିନଙ୍କ ଲୌହ ଖଣିରୁ ୪ ଦିନ ହେଲା ଖଣିଜ ପଦାର୍ଥ ପରିବହନ ବନ୍ଦ ରହିଛି । ପରିବହନ ଓ ନିଯୁକ୍ତି ଦାବି କରି ସ୍ଥାନୀୟ ଅଞ୍ଚଳର ଶତାଧିକ ଗାଁ ଲୋକେ ଆନେ୍ଦାଳନ କରିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଏଥିଯୋଗୁଁ ସରକାର ଦୈନିକ ପ୍ରାୟ ୧୯ କୋଟି ରାଜସ୍ୱ ହରାଉଛନ୍ତି । ଗତ ୪ ଦିନ ମଧ୍ୟରେ ସରକାର ୭୫ କୋଟିରୁ ଅଧିକ ରାଜସ୍ୱ ହରାଇ ସାରିଲେଣି । ମାତ୍ର ଆନେ୍ଦାଳନକୁ ପ୍ରଶମିତ କରିବାରେ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପୁଲିସ୍ ପକ୍ଷରୁ ତପôରତା ପ୍ରକାଶ ପାଉ ନ ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଦାବି ପୂରଣ ନ ହେଲେ ଆନେ୍ଦାଳନ ଚାଲୁ ରହିବ ବୋଲି ଆନେ୍ଦାଳନକାରୀ ଚେତାବନୀ ଦେଇଛନ୍ତି ।
ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଏବଂ ପରିବହନ ଆଦି ଦାବି କରି ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ବଡ଼କାଳିମାଟି, ନୟାଗଡ଼ ଓ ବଳଦା ପଞ୍ଚାୟତର ଶତାଧିକ ଗ୍ରାମବାସୀ । ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ବଳଦା ଗ୍ରାମର ଗ୍ରାମବାସୀ ମଧ୍ୟ ଖଣି ଫାଟକ ଆଗରେ ଆନେ୍ଦାଳନ ଚଳାଇଛନ୍ତି । ଅନ୍ୟପଟେ ଖଣି ସନ୍ନିକଟ ଜଗନ୍ନାଥ ମନ୍ଦିର ପଡ଼ିଆରେ ବଡ଼କାଳିମାଟି ଡେଭଲେପମେଣ୍ଟ୍ ସୋସାଇଟି(ବିକେଡିଏସ୍) ପକ୍ଷରୁ ଧାରଣା ଦିଆଯାଇଛି । ପୂର୍ବରୁ ଏହି ଖଣିରେ ମା’ କୁଅାଁରୀ ଟ୍ରାନ୍ସପୋର୍ଟ ନାମକ ଏକ ସଂସ୍ଥା ପରିବହନ କାର୍ଯ୍ୟ କରିଆସୁଥିଲା । ଏହାକୁ ବିରୋଧ କରି ଦିବ୍ୟଜ୍ୟୋତି ଟ୍ରାନ୍ସପୋର୍ଟ ନାମକ ଏକ ସଂସ୍ଥା ଖଣିମାଲିକଙ୍କଠାରୁ କାମ ହାତେଇବା ପାଇଁ ସ୍ଥାନୀୟ ଲୋକଙ୍କୁ ଆୟୁଧ କରି ଧାରଣା ଦେଇଥିବା ଚର୍ଚ୍ଚା ହେଉଛି । ଧାରଣା ଯୋଗୁ ଏହି ଖଣିରୁ ସରକାର ଦୈନିକ ୧୮.୭୫ କୋଟି ଟଙ୍କାର ରାଜସ୍ୱ ହରାଇବାକୁ ବାଧ୍ୟ ହୋଇଛନ୍ତି । ୪ ଦିନ ହେବ ଏହି ଖଣି ପରିବହନ କାର୍ଯ୍ୟରେ ଅଚଳାବସ୍ଥା ଲାଗି ରହିଛି । ଏଥିଯୋଗୁଁ ସରକାର ପ୍ରାୟ ୭୫ କୋଟି ଟଙ୍କାର ଖଣି ରାଜସ୍ୱ ହରାଇଥିବା ଜଣାପଡ଼ିଛି । ଜଣେ ପ୍ରଭାବଶାଳୀ ଖଣି ବ୍ୟବସାୟୀ ଆନେ୍ଦାଳନ ପ୍ରଚ୍ଛଦ ପଟରେ ରହିଥିବା ମଧ୍ୟ କୁହାଯାଉଛି । ସରକାର ରାଜସ୍ୱ ହରାଉଥିବା ବେଳେ ଏହି ଖଣି ବ୍ୟବସାୟୀଙ୍କ ଚାପରେ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାର ସମାଧାନ ପାଇଁ ବାଟ ବାହାର କରିପାରି ନାହିଁ । ଆନେ୍ଦାଳନ ପ୍ରଶମିତ କରିବାକୁ ପ୍ରଶାସନିକସ୍ତରରେ ତପôରତା ପ୍ରକାଶ ପାଉ ନ ଥିବାରୁ ଆଗାମୀ ଦିନରେ ସରକାର ବିପୁଳ ରାଜସ୍ୱ ହରାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ନିକଟରେ ଆନେ୍ଦାଳନକାରୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ସିରାଜୁଦ୍ଧିନ ଖଣି କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ମେସିନ୍ ବଦଳରେ ଶ୍ରମିକମାନଙ୍କ ଦ୍ୱାରା କାମ କରିବାକୁ ଆନେ୍ଦାଳନକାରୀ ଦାବି କରିଥିଲେ । ଆଲୋଚନା ପରେ ଖଣି ପ୍ରଭାବିତ ଅଞ୍ଚଳରେ ବିକାଶ ଓ ଆବଶ୍ୟକ ଅନୁଯାୟୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଖଣି କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଏହାସହ ଖଣିଜ ପଦାର୍ଥ ପରିବହନ ଦାୟିତ୍ୱ ବଲଦା ଗ୍ରାମବାସୀଙ୍କୁ ଦିଆଯାଉ ବୋଲି ସ୍ଥାନୀୟ ସରପଞ୍ଚ କମଳା ନାଏକ, ସମିତିସଭ୍ୟା ଝରଣା ଗିରି, ପୂର୍ବତନ ସରପଞ୍ଚ ରଣଜିତ ନାଏକ, ରଣଜିତ ଦେହୁରୀ, ବାବୁଲା ଦେହୁରୀ, ଗୌରାଙ୍ଗ ବାରିକ, ମହେଶ୍ୱର ନାଏକ, ଗୌର ନାଏକ ପ୍ରମୁଖ ଦାବି ରଖିଛନ୍ତି ବୋଲି ରଣଜିତ ନାଏକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୩୩୫.୫୯୪ ହେକ୍ଟର ପରିମିତ ଏହି ବଳଦା ଲୌହ ଖଣିଟି ସିରାଜୁଦ୍ଧିନ ଆଣ୍ଡ୍ କୋଙ୍କୁ ୧୯୬୨ ମସିହାରେ ଲିଜ୍ ସୂତ୍ରରେ ମିଳିଥିଲା । ଏହି ଲିଜ୍ର ମିଆଦ ପୂରିବା ପରେ ନୂତନ ଖଣି ନିୟମ ଅନୁଯାୟୀ ନିଲାମ ପ୍ରକ୍ରିୟାରେ ସିରାଜୁଦ୍ଧିନ କମ୍ପାନୀ ୧୧୮ ପ୍ରତିଶତ ବିଡିଂରେ ପୁନର୍ବାର ଖଣିଟିକୁ ପାଇବାରେ ସକ୍ଷମ ହୋଇଥିଲା । ଖଣିଟି ଚାଲିବା ଆରମ୍ଭ ସମୟରେ ଏହି ସମସ୍ୟା ଲାଗି ରହିଛି । ଏହି ଖଣିରେ ନିଯୁକ୍ତି, ପରିବହନ, ରେଳବୋଝେଇ ଆଦି କାମରେ ସ୍ଥାନୀୟ ଲୋକେ କାମ ପାଇବା ପାଇଁ ଦାବି କରିଆସୁଛନ୍ତି । କମ୍ପାନୀର ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ଖଣିରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଇସ୍ପାତ କାରଖାନାଗୁଡ଼ିକୁ କଞ୍ଚାମାଲ ଯୋଗାଇ ଦିଆଯାଏ । ଏଥିପାଇଁ କମ୍ପାନୀ ସେମାନଙ୍କ ସହ ଚୁକ୍ତିବଦ୍ଧ ଥିବାବେଳେ ପରିବହନ ବନ୍ଦ ଯୋଗୁ କାରଖାନାଗୁଡିକ ସଙ୍କଟର ସମ୍ମୁଖିନ ହୋଇଛନ୍ତି । ଦାବି ପୂରଣ ନ ହେଲେ ଧାରଣା ଅବ୍ୟାହତ ରହିବବୋଲି ଆନେ୍ଦାଳନକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ୪ ଦିନ ଧରି ଏହି ଆନେ୍ଦାଳନ ଜାରି ରହିଥିବାବେଳେ କୌଣସି ଅଧିକାରୀ ଆନେ୍ଦାଳନରତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବାକୁ ଆସିନାହାନ୍ତି । ବାମେବାରି ପୁଲିସ ଧାରଣାସ୍ଥଳ ପାଦ ମଧ୍ୟ ମାଡ଼ିନି । ଏ ସମ୍ପର୍କରେ ଯୋଡ଼ା ଖଣି ବିଭାଗର ଯୁଗ୍ମ ନିଦେ୍ର୍ଧଶକ ସଲିଳ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ସିରାଜୁଦ୍ଧିନ ଖଣିରୁ ଖଣିଜ ପଦାର୍ଥ ଉତ୍ତୋଳନ ହେଉଛି । ମାତ୍ର ଆନେ୍ଦାଳନ ଯୋଗୁଁ ମାଲ ପରିବହନ ବନ୍ଦ ରହିଛି । ଏଥିଯୋଗୁ ସରକାର ରାଜସ୍ୱ ହରାଉଛନ୍ତି ସତ, ମାତ୍ର ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ପୁଲିସ ପ୍ରଶାସନର କାମ । ପୁଲିସ, ପ୍ରଶାସନ ଉଭୟ ପକ୍ଷରୁ ଏନେଇ ସମାଧାନର ବାଟ ବାହାର କରିବା ଆବଶ୍ୟକ ।


Comments are closed, but trackbacks and pingbacks are open.