ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ରାଜନନ୍ଦନଗାଓଁ ଜିଲ୍ଲା ପୁଲିସଙ୍କୁ ମିଳିଛି ଏକ ବଡ଼ ସଫଳତା । ଜିଲ୍ଲାର କବିରଧାମ ଥାନା ତେରଗାଁ ଜଙ୍ଗଲରେ କମ୍ବିଂ ବେଳେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଦୁର୍ଦ୍ଧନ୍ତ ମାଓନେତ୍ରୀଙ୍କ ମୃତୁ୍ୟ ଘଟିଛି । ନିହତ ମାଓନେତ୍ରୀ ହେଲେ ଛତିଶଗଡ ମାଓ ଡିଭିଜନର ମହିଳା ଏଲଓସି କମାଣ୍ଡର ଜୁଗନୀ । ତାଙ୍କ ନାଁରେ ଛତିଶଗଡ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣ କରାଯାଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।
ଜିଲ୍ଲାର ତେରଗାଁ ଜଙ୍ଗଲରେ ମାଓବାଦୀଙ୍କ ଏକ ଶିବିର ଚାଲୁଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଡିଆରଜି,ଏସଟିଏଫ ଯବାନମାନେ ଆଜି ସକାଳେ ସମ୍ପୃକ୍ତ ଅଞ୍ଚଳକୁ କମ୍ବିଂରେ ଯାଇଥିଲେ । ଘଞ୍ଚ ଜଙ୍ଗଲରେ ସର୍ଚ୍ଚ କରୁଥିବା ବେଳେ ମାଓବାଦୀମାନେ ହଠାତ୍ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବରେ ଯବାନମାନେ ମାଓବାଦୀଙ୍କ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୨୫ ମିନିଟ ଧରି ଗୁଳି ବିନିମୟ ହୋଇଥିଲା । ଯବାନଙ୍କୁ ମୁକାବିଲା କରି ନପାରି ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଛତ୍ରଭଙ୍ଗ ଦେଇ ଲୁଚି ପଳାଇଥିଲେ । ପରେ ଯବାନମାନେ ସର୍ଚ୍ଚ ଅପରେସନ କରିବାରୁ ଜଣେ ପୋଷାକଧାରୀ ମହିଳା କ୍ୟାଡର ମାଓବାଦୀଙ୍କ ଶବ ମିଳିଥିଲା । ସେଠାରୁ ଯବାନମାନେ ବନ୍ଧୁକ, ବହୁପରିମାଣର ବିସ୍ଫୋରକ ଦ୍ରବ୍ୟ ସହିତ ମାଓ ସମଗ୍ରୀ ଉଦ୍ଧାର କରିଥିଲେ । ନିହତ ମାଓନେତ୍ରୀଙ୍କ ଶବକୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଅଣାଯାଇଥିଲା । ନିହତ ମାଓନେତ୍ରୀ ଜଣଙ୍କ ଛତିଶଗଡ ଡିଭିଜନ ଏଲଓସି କମାଣ୍ଡର ଜୁଗନୀ ବୋଲି ଜଣାପଡିଥିଲା । ତାଙ୍କ ନାଁରେ ରାଜନନ୍ଦନଗାଓଁ, ଦନ୍ତେୱାଡା, ବସ୍ତର ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ମାଓ ହିଂସାକାଣ୍ଡର ମାମଲା ରହିଛି । ଏନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।
Comments are closed, but trackbacks and pingbacks are open.