ମାଲକାନଗିରି,(ବି.ବି.ନ୍ୟୁଜ୍): ୫ ଦିନ ମଧ୍ୟରେ ଦୁଇ ଦୁଇ ଥର ବନ୍ୟା । ଆଜି ବନ୍ୟା ସ୍ଥିତିରେ ସୁଧାର ଆସିଛି । ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ବନ୍ୟାରେ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ଆଜି ପୋଲ ତଳକୁ ଖସିଛି ପାଣି । ସ୍ୱାଭାବିକ ହୋଇଛି ଜୀବନଯାତ୍ରା । ଜିଲ୍ଲା ଭିତରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ସାବେରୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଝାପରା ପୋଲ ଉପରେ ୬ ଫୁଟ ଉଚ୍ଚରେ ଚାଲୁଥିବାରୁ ସୀମାନ୍ତ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ସୁକ୍ମା, ଜଗଦଲପୁର,ରାୟପୁର ଏବଂ ବସ୍ତର ଜିଲ୍ଲାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ଝାପରା ପୋଲ ଉପରେ ୬ଫୁଟ ଉଚ୍ଚରେ ପାଣି ଚାଲିବା ଦ୍ୱାରା ମାଲକାନଗିରି ଜିଲ୍ଲାର ଟିଟିବିରି, ଚାଲାଣଗୁଡା, ତଣ୍ଡିକି ଓ ବୁରୁଦି ଗାଁ ପ୍ରଭାବିତ ହୋଇଛି । ଏସବୁ ଗାଁ ଭିତରକୁ ବନ୍ୟା ପାଣି ପଶିଆସିଥିବା ଖବର ମିଳିଛି । ପ୍ରାଥମିକ ପର୍ଯ୍ୟାୟ ଯାଞ୍ଚ ବେଳେ ଜିଲ୍ଲାରେ ୧୯୯ ଆଂଶିକ ଏବଂ ୭ଟି କଚ୍ଚା ଘର ସଂପୂର୍ଣ୍ଣ ନଷ୍ଟ ହୋଇଛି । ବିଭିନ୍ନ ଅଞ୍ଚଳର ୨୬୫୦ ଜଣ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯିବା ସହ ୨୩ଟି ଆଶ୍ରୟସ୍ଥଳରେ ରଖାଯାଇ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।
ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ପୋଲ ଉପରେ ପାଣି ଚାଲିଥିଲା । ଫଳରେ ଶୁକ୍ରବାର ପୂରା ଜିଲ୍ଲା ବାହ୍ୟ ଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇ ରହିଥିଲା । ଶୁକ୍ରବାର ରାତିରୁ ବର୍ଷାର ପରିମାଣ କମିବାରୁ ଆଜି ସକାଳେ ପରିସ୍ଥତିରେ ସୁଧାର ଆସିଥିଲା । ବିଭିନ୍ନ ପୋଲ ଉପରୁ ପାଣି କମିଯାଇଥିବାରୁ ଜୟପୁର, କୋରାପୁଟ, କୋରୁକୋଣ୍ଡା, ବାଲିମେଳା, କାଲିମେଳା, ମୋଟୁ ଏବଂ ପଡିଆ ଅଞ୍ଚଳକୁ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି । ବର୍ଷା କମିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାଜଳରେ ୧୨ଟି ପୋଲ ଓ କଲଭର୍ଟ ଆଂଶିକ ଭାଙ୍ଗିଛି । କେତେକ ସ୍ଥାନରେ ରାସ୍ତା ଧୋଇହୋଇ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି କରିଛି । ପୋଟେରୁ, ସାବେରୀ, ସିଲେରୁ ନଦୀ କୂଳରେ କେତେକ ଗାଁକୁ ବନ୍ୟା ପାଣି ପଶି ରାସ୍ତାଘାଟ ଧୋଇନେବା ସହିତ ଅନେକ କଚ୍ଚାଘରର କାନ୍ଥ ଭୁଶୁଡି ପଡ଼ିଛି । ଆଜି ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ବିଶେଷ କରି ମାଲକାନଗିରି ତହସିଲରେ ୪୮ଟି କଚ୍ଚା ଘର ଆଂଶିକ ଏବଂ ୨ଟି ସଂପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ଚିତ୍ରକୋଣ୍ଡା ତହସିଲରେ ୬୨, କାଲିମେଳା ତହସିଲରେ ୮, ମୋଟୁ ତହସିଲ ଅଞ୍ଚଳରେ ୧୨ଟି ଆଂଶିକ ଓ ୪ଟି ସଂପୂର୍ଣ୍ଣ, ଖଇରପୁଟ ତହସିଲରେ ୬, କୁଡୁମୁଲୁଗୁମ୍ମା ତହସିଲ ଅଞ୍ଚଳରେ ୧୦, ମାଥିଲି ଅଞ୍ଚଳରେ ୫୪ଟି କଚ୍ଚାଘର ନଷ୍ଟ ହୋଇଯାଇଛି । କ୍ଷତିଗ୍ରସ୍ତମାନଙ୍କୁ ପଲିଥିନ ପ୍ରଦାନ କରାଯାଇଛି ।
ଜିଲ୍ଲାରେ ପ୍ରାଥମିକ ବିବରଣୀ ଅନୁସାରେ ୧୯୯ଟି ଆଂଶିକ ଏବଂ ୭ଟି କଚ୍ଚା ଘର ସଂପୂର୍ଣ୍ଣ ନଷ୍ଟ ହୋଇଛି । ଜିଲ୍ଲାର କାଲିମେଳା, ପୋଟେରୁ, ମାଥିଲି, କୋରୁକୋଣ୍ଡା ଏବଂ କାଙ୍ଗୁରକୋଣ୍ଡା ଅଞ୍ଚଳର ୨୬୫୦ ଜଣ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯାଇ ୨୩ଟି ଆଶ୍ରୟସ୍ଥଳରେ ରଖାଯାଇ ମାଗଣାରେ ରନ୍ଧାଖାଦ୍ୟ ଦିଆଯାଉଛି । ଆଜି ବନ୍ୟାପାଣି କମିଥିଲେ ମଧ୍ୟ ସେମାନଙ୍କୁ ଘରକୁ ଛଡ଼ାଯାଇ ନାହିଁ । ଆଜି ମଧ୍ୟ ସେମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଏସ୍ପି ଜଗମୋହନ ମୀନା, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ବିଡିଓ ଗୁଣୁଣନିଧି ନାୟକ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିବା ସହିତ ଆଶ୍ରୟସ୍ଥଳ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଛନ୍ତି ।
ଶୁକ୍ରବାର ସକାଳ ୮ଟାରୁ ଆଜି ସକାଳ ୮ଟା ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୭୨.୬୭ ମିମି ବର୍ଷା ହୋଇଛି । କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲିରେ ୬୫, ମାଲକାନଗିରିରେ ୭୫, କାଲିମେଳା ବ୍ଲକରେ ୨୩, ପଡିଆରେ ୩୫, କୁଡୁମୁଲୁଗୁମ୍ମାରେ ୯୦ ମିମି, ଖଇରପୁଟରେ ୯୨.୭ ମିମି ବର୍ଷା ହୋଇଛି ।


Comments are closed, but trackbacks and pingbacks are open.