ସୋର,(ବି.ବି.ନୁ୍ୟଜ): ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ବିଦୁ ପେଟ୍ରୋଲ୍ ପମ୍ପ୍ ଆଗରେ ଗତ ୫ ତାରିଖ ଦିନ ସୁନା ବେପାରୀଙ୍କୁ ଆକ୍ରମଣ କରି ୬ ଶହ ଗ୍ରାମ୍ର ସୁନା ଲୁଟ୍ ଘଟଣାରେ ସୋର ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଲୁଟ୍ ୪ ଶହ ଗ୍ରାମ୍ ଓଜନର ସୁନା ଉଦ୍ଧାର କରିଛି । ଏହାସହ ୧୦ଟି ମୋବାଇଲ୍, ତେଲଙ୍ଗା କଟୁରି ଓ ୨ଟି ବାଇକ୍ ଜବତ କରାଯାଇଛି । ଏହି ଲୁଟେରା ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡ଼ିଛି । ଗତ ୫ ତାରିଖ ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜନ୍ମେଜୟ ସାହୁ ବାଲେଶ୍ୱର ଲକ୍ଷ୍ମୀନାରାୟଣ ଜୁଏଲାରୀରୁ ଏହି ସୁନା ଗହଣା ନେଇ ଫେରୁଥିଲେ । ବିଦୁ ନିକଟରେ ଦୁଇଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ପଛପଟୁ ଆସି ଆକ୍ରମଣ କରି ତାଙ୍କ ନିକଟରୁ ୬ ଶହ ଗ୍ରାମ୍ ଓଜନର ସୁନା ଗହଣା ଲୁଟି ନେଇଥିଲେ । ଏନେଇ ସୋର ଥାନାରେ କେସ୍ ନଂ. ୩୭୦/୨୦ରେ ଏକ ମାମଲା ରୁଜୁ ହୋଇଥିଲା । ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କ ନିଦେ୍ର୍ଧଶରେ ଏସ୍ଡିପିଓ ପ୍ରଭାସ ଚନ୍ଦ୍ର ପାଲ ଓ ଥାନା ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତିଙ୍କ ନେତୃତ୍ୱରେ ଏସ୍ଆଇ ଅଶୋକ କୁମାର ମହାନ୍ତି, ସଚ୍ଚିଦାନନ୍ଦ ଗିରି, ଏଏସ୍ଆଇ ପ୍ରଦୀପ ମହାନ୍ତି, ରାଧାଗୋବିନ୍ଦ ମଢ଼ୁଆଳ ଓ ପ୍ରତାପ କାଲୋଙ୍କୁ ନେଇ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଛାନ୍ଭିନ୍ କରିଥିଲେ । ଏହି ଟିମ୍ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଚଢ଼ଉ କରି ରେମୁଣା ମନ୍ଦାରପୁର ପଞ୍ଚାୟତ ମିଅାଁବାଗ ଗ୍ରାମର ରମାକାନ୍ତ ଦାସ ଓରଫ ବାଙ୍ଗୁରୁ(୨୧) ଓ ରତିକାନ୍ତ ଦାସ(୩୩), ରେମୁଣାର ଅଠାନ୍ତର ଗ୍ରାମର ଚିନ୍ମୟ ଦାସ(୧୯) ଓ ସଦର ଥାନା ଫୁଲାଡ଼ି ଗ୍ରାମର ଜିତେନ୍ଦ୍ର ମହାପାତ୍ର(୩୫)ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲେ । ଗତକାଲି ସୋର ପୁଲିସ୍ର ଏହି ସ୍ୱତନ୍ତ୍ର ଟିମ୍ ନବରଙ୍ଗପୁରରେ ଚଢ଼ଉ କରି ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଇଞ୍ଜିନିୟରିଂ ଛାତ୍ର ମିଅାଁବାଗ ଗ୍ରାମର ଶାନ୍ତନୁ ଦାସ ଓରଫ ମୁନା(୨୧)କୁ ଗିରଫ କରିଥିଲା । ଆଜି ସେମାନଙ୍କୁ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।


Comments are closed, but trackbacks and pingbacks are open.