
ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସ୍ଷ୍ଟାଣ୍ଡ ନିକଟରେ ସ୍ପଷ୍ଟ ଦିବାଲୋକରେ ତିନି ଜଣ ଲୁଟେରା ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଲୁଟେରାଙ୍କୁ କାବୁ କରିବାକୁ ଯାଇ ଅନ୍ୟ ଜଣେ ବ୍ୟବସାୟୀ ଗୁଳି ମାଡ଼ର ଶିକାର ହୋଇଛନ୍ତି । ଏହି କାଣ୍ଡ ଭିଆଇ ଲୁଟେରାମାନେ ସୁନା ବ୍ୟାଗ୍ ଲୁଟି ଫେରାର ହୋଇଯାଇଥିବା ବେଳେ ସେମାନେ ଘଟଣା ସ୍ଥଳରେ ଛାଡ଼ି ଯାଇଥିବା ଗୋଟିଏ ପିସ୍ତଲ ଓ ଅଫୁଟା ଗୁଳିକୁ ପୁଲିସ୍ ଜବତ କରିଛି । ଅପରାଧୀମାନଙ୍କୁ ଧରିବା ଲାଗି ଦୁଇଟି ପୁଲିସ୍ ଟିମ୍ ଗଠନ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।
ବଡ଼ଗାଁରେ ରୁହନ୍ତି ସୁନା ବ୍ୟବସାୟୀ ରୋହିତ ବର୍ମା (୨୬) । ତାଙ୍କର ମା’ ମଙ୍ଗଳା ଜୁଏଲାରୀ ନାମକ ଏକ ଦୋକାନ ବସ୍ଷ୍ଟାଣ୍ଡ ସ୍ଥିତ ହୋତା ମାର୍କେଟ୍ କମ୍ପେ୍ଲକ୍ସରେ ରହିଛି । ପ୍ରତ୍ୟେକ ଦିନ ଭଳି ରୋହିତ ଆଜି ସକାଳ ୯ଟା ସମୟରେ ବ୍ୟାଗ୍ରେ ସୁନା ନେଇ ଦୋକାନକୁ ଆସୁଥିଲେ । ଦୋକାନ ଖୋଲିବା ପୂର୍ବରୁ ଏକ ବାଇକ୍ରେ ଆସିଥିବା ୩ ଜଣ ଲୁଟେରା ରୋହିତଙ୍କ ହାତରୁ ସୁନା ବ୍ୟାଗ୍ ଛଡ଼ାଇବା ଲାଗି ଉଦ୍ୟମ କରିଥିଲେ । ମାତ୍ର ସେ ବ୍ୟାଗ୍ ନଛାଡ଼ିବାରୁ ଲୁଟେରାମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ରୋହିତଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା । ଏହି ଘଟଣା ଘଟାଇ ସେମାନେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ନିକଟରେ ଥିବା ଅନ୍ୟତମ ବ୍ୟବସାୟୀ ସରୋଜ ଦାସ (୭୦) ଦୌଡ଼ି ଯାଇ ବସିଥିବା ଜଣେ ଲୁଟେରାକୁ କାବୁ କରି ତଳେ ପକାଇ ଦେଇଥିଲେ । ଉକ୍ତ ସମୟରେ ଲୁଟେରା ଜଣକ ସରୋଜଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି ସରୋଜଙ୍କ ଜଙ୍ଘରେ ବାଜିଥିଲା । ଫଳରେ ସେ ରକ୍ତାକ୍ତ ହୋଇ ତଳେ ପଡ଼ି ଯାଇଥିଲେ । ଏହା ପରେ ଦୁଇ ଜଣ ଲୁଟେରା ବାଇକ୍ରେ ଫେରାର ହୋଇଯାଇଥିବା ବେଳେ ତୃତୀୟ ଲୁଟେରା ଜଣକ ବିଲ ବାଟ ଦେଇ ଦୌଡ଼ି ପଳାଇ ଯାଇଥିଲେ । ଲୁଟେରାମାନେ ଯିବା ସମୟରେ ସୁନା ବ୍ୟାଗ୍ ନେଇ ଯାଇଥିଲେ । ତେବେ ବ୍ୟାଗ୍ରେ କେତେ ଟଙ୍କାର ସୁନା ଥିଲା ତାହା ଜଣାପଡ଼ିନାହିଁ । ଯିବା ସମୟରେ ସେମାନଙ୍କ ପିସ୍ତଲ ଓ ଗୁଳି ଘଟଣା ସ୍ଥଳରେ ହିଁ ଖସି ପଡ଼ିଥିଲା । ଗୁଳି ମାଡ଼ରେ ଗୁରୁତର ହୋଇଥିବା ରୋହିତ ଓ ସରୋଜଙ୍କୁ ତୁରନ୍ତ ଚିକିତ୍ସା ଲାଗି ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷଣା କରିଥିଲେ । ସରୋଜ ସେଠାରେ ଚିକିତ୍ସାଧୀନ ଅଛନ୍ତି ।


Comments are closed, but trackbacks and pingbacks are open.