
ବନ୍ତଳା,(ବି.ବି.ନୁ୍ୟଜ): ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା ପରେ ବାନ୍ଦବଗଡ଼ର ମହାବଳ ବାଘୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶ ଫେରାଇ ନିଆଯିବ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି, ବନ୍ଦୀ ଜୀବନ କାଟୁଥିବା ସୁନ୍ଦରୀକୁ ଫେରାଇ ନେବାକୁ ଏକ ସ୍ୱତନ୍ତ୍ର ଟିମ୍ ସାତକୋଶିଆ ଅଭିମୁଖେ ବାହାରିଲେଣି । କାହ୍ନା ବ୍ୟାଘ୍ର ପ୍ରକଳ୍ପର ସହକାରୀ ନିଦେ୍ର୍ଧଶକ, ଜଣେ ଡାକ୍ତରଙ୍କ ସମେତ ୫ ଜଣ କର୍ମଚାରୀ ଏହି ଟିମ୍ରେ ସାମିଲ୍ ଅଛନ୍ତି । ବାଘୁଣୀକୁ ଘୋରେଲା ରିୱାଇଲ୍ଡ଼ିଂ ସେଣ୍ଟରକୁ ନିଆଯାଇ ସେଠାରେ ତାର ଜଙ୍ଗଲୀ ପ୍ରକୃତି ଫେରାଇ ଅଣାଯିବା ପାଇଁ ଉଦ୍ୟମ ହେବ । ତେବେ କାହ୍ନା ଅଭୟାରଣ୍ୟର ସ୍ୱତନ୍ତ୍ର ଟିମ୍ ଏଠାରେ ପହଞ୍ଚିବା ପୂର୍ବରୁ ଆର୍ସିସିଏଫ୍ ପ୍ରକାଶ ରାଜ କରାଟଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ଆଜି ରାଇଗୋଡ଼ାସ୍ଥିତ ଏନ୍କ୍ଲୋଜର୍ ପାଖକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଦୁଇ ବର୍ଷରୁ ଅଧିକ କାଳ ହେଲାଣି ‘ସୁନ୍ଦରୀ’ ଏନ୍କ୍ଲୋଜର ମଧ୍ୟରେ ବନ୍ଦୀ ଜିବନ କାଟୁଛି । ଖୁଆଡ଼ ମଧ୍ୟକୁ ଦିଆଯାଉଥିବା ଶିକାର/ମାଂସ ଖାଉଛି । ଆର୍ସିସିଏଫ୍ଙ୍କ ସମେତ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ରବି ମୀନା, ଏସିଏଫ୍ ସରୋଜ ପଣ୍ଡା, ଶୁଭେଦୁ ବେହେରା, ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁ ଖୁଆଡ଼ ନିକଟକୁ ଯାଇ ବାଘୁଣୀର ଗତିବିଧି ଅନୁଧ୍ୟାନ କରିଥିଲେ । ସିସିଟିଭିରେ ରେକଡର଼୍ ହୋଇଥିବା ସୁନ୍ଦରୀ କାର୍ଯ୍ୟକଳାପ ଦେଖିଥିଲେ । ଅନୁଧ୍ୟାନ ପରେ ‘ସୁନ୍ଦରୀ’ ସୁସ୍ଥ ଥିବା ଆର୍ସିସିଏଫ୍ ପ୍ରକାଶ କରିଛନ୍ତି । ତେବେ ପୂର୍ବାପେକ୍ଷା ବାଘୁଣୀ ମୋଟୀ ହୋଇଯାଇଛି ବୋଲି ସୂଚନା ଦିଆଯାଇଛି । ବନ ବିଭାଗର କର୍ମଚାରୀମାନେ ୨୪ ଘଣ୍ଟିଆ କଡ଼ା ନଜରରେ ବାଘୁଣୀକୁ ରଖିଛନ୍ତି ।


Comments are closed, but trackbacks and pingbacks are open.