
ଗୁଣପୁର,(ବି.ବି.ନୁ୍ୟଜ): ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ନାଇରା ଗାଁର କିରଣ ଗାଣ୍ଠା ହତ୍ୟା ମାମଲାର ପର୍ଦ୍ଧାଫାସ କରିଛି ପୁଲିସ୍ । କିରଣଙ୍କୁ ହତ୍ୟା କରିବା ଲାଗି ସୁପାରି ଦେଇଥିଲା ତାଙ୍କ ଶାଶୂ । ଦୁଇ ସ୍ତ୍ରୀ ଏବଂ ଶାଶୂଙ୍କ ଏଭଳି ଚକ୍ରାନ୍ତ ଯୋଗୁ ଗୁଳି ମାଡ଼ରେ ଟଳି ପଡିଥିଲେ ସେ । ଏହି ମାମଲାରେ ପୁଲିସ୍ ୮ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ଜବତ ହୋଇଛି ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକ ସମେତ ୪ଟି ମୋବାଇଲ୍ ଫୋନ୍, ଏକ ବାଇକ୍ । ଗିରଫ ୮ଜଣ ହେଲେ କିରଣଙ୍କ ଶାଶୂ ବିରାଜିନୀ କରାଡ, ପ୍ରଥମ ସ୍ତ୍ରୀ ରଜନୀ ଗାଣ୍ଠା, ଦ୍ୱିତୀୟ ସ୍ତ୍ରୀ ନିଆମି ଗାଣ୍ଠା, ଦାସୁ ବିଡିକା, ମଧୁସୂଦନ ହିକାବାଡି, ଏ.ଗାଡାକା, ପିଣ୍ଟୁ ହିକାବାଡି ଓ ନୀଳାମ୍ବର । ଏସ୍ଡିପିଓ ରାଜକିଶୋର ଦାସ ଏହି ସୂଚନା ପ୍ରଦାନ କରିଛନ୍ତି ।
ପୁଲିସ୍ କହିଛି ଯେ, କିରଣ ଅଧିକାଂଶ ସମୟରେ ମଦ ପିଇ ପରିବାରରେ ଅଶାନ୍ତି ସୃଷ୍ଟି କରୁଥିଲେ । ତେଣୁ ତାଙ୍କୁ ମାରିଦେବା ଲାଗି ଷଡ଼ଯନ୍ତ୍ର କରିଥିଲେ ଦୁଇ ସ୍ତ୍ରୀ ରଜନୀ, ନିଆମି ଏବଂ ଶାଶୂ ବିରାଜିନୀ । ବହୁ ଦିନରୁ ସେମାନେ ଏଭଳି ଷଡଯନ୍ତ୍ର କରିଥିଲେ ହେଁ ଗତ ୧୨ ତାରିଖରେ ସୁପାରି ଦେଇ ହତ୍ୟା କରିବାରେ ସଫଳ ହୋଇଥିଲେ । ବିରାଜିନୀ ଗୁଡାରୀ ଥାନା ପୂଜାବିଲ୍ ଗାଁର ନୀଳାମ୍ବର ନାମକ ଯୁବକଙ୍କୁ ସୁପାରି ବାବଦରେ ୨୦ ହଜାର ଟଙ୍କା ଦେବା ପାଇଁ ସ୍ଥିର କରିଥିଲେ । ଏହାପରେ ହତ୍ୟାକାଣ୍ଡ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ୍ୟପ୍ରିଣ୍ଟ । ସହଯୋଗୀ ତୋଟାଗୁଡା ଗାଁର ଦାସୁ, ପପିଖାଲ ଗାଁର ମଧୁସୂଦନ, ଚନ୍ଦ୍ରପୁର ବ୍ଲକ୍ ଶିରିପଦର ଗାଁର ଏ.ଗାଡାକା, ପପିଖାଲ ଗାଁର ପିଣ୍ଟୁ ପ୍ରମୁଖଙ୍କ ସହାୟତାରେ ନୀଳାମ୍ବର ହତ୍ୟା କରିବାକୁ ପ୍ରସ୍ତୁତ ହୋଇଥିଲା । ସୁପାରି ବାବଦରେ ପ୍ରଥମେ ୧୦ ହଜାର ଟଙ୍କା ନେଇଥିଲା । ରବିବାର ରାତିରେ ଦେଶୀ ବନ୍ଧୁକ ସହାୟତାରେ ଶୋଇଥିବା ଅବସ୍ଥାରେ କିରଣଙ୍କୁ ହତ୍ୟା କରାଯାଇଥିଲା । ଏ.ଗାଡାକା କିରଣଙ୍କୁ ଗୁଳି ଚଳାଇଥିଲେ ।
ସୂଚନାଥାଉକି, ଗତ ରବିବାର ବିଳମ୍ବିତ ରାତିରେ କିରଣ ଘରେ ଶୋଇଥିବା ବେଳେ ହଠାତ୍ ଗୁଳି ଫୁଟିବାର ଶବ୍ଦ ହୋଇଥିଲା । ପରିବାର ଲୋକେ ଦେଖିବା ବେଳକୁ କିରଣ ଶୋଇଥିବା ଘର ଧୂଆଁରେ ଭରିଯାଇଥିଲା । ଏହାର କିଛି ସମୟ ପରେ କିରଣଙ୍କ ମୁଣ୍ଡରେ ଗୁଳି ବାଜି ରକ୍ତ ବାହାରୁଥିବା ଏବଂ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ପରିବାର ଲୋକେ ଗୁଡାରୀ ଥାନାକୁ ଜଣାଇଥିଲେ । ପୁଲିସ୍ ପହଞ୍ଚି ଆରମ୍ଭ କରିଥିଲା ଅନୁସନ୍ଧାନ ।


Comments are closed, but trackbacks and pingbacks are open.