ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲାର ପ୍ରବୀଣ ରାଜନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ(୫୪)ଙ୍କ ଆଜି ଭୋର ୩ଟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଯକୃତ ସଂକ୍ରମଣ ଜନିତ କ୍ୟାନସର ରୋଗରେ ପୀଡ଼ିତ ସୁବାସଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଗତ ୭ ତାରିଖ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ମା’, ସମ୍ପର୍କୀୟ ଭାଇ ଓ ପୁତୁରାଙ୍କ ସମେତ ମୌସମ ମିଶ୍ର ଓ ଶୁଭେଚ୍ଛୁଉପସ୍ଥିତ ଥିଲେ ।
ଖବରପାଇ ବହୁ ଜନପ୍ରତିନିଧିଙ୍କ ସମେତ ଡବ୍ଲୁ୍ୟଓଡିସି କାର୍ଯ୍ୟାଳୟ ଅଧିକାରୀ ହସ୍ପିଟାଲରେ ପହଞ୍ଚି ସ୍ୱର୍ଗତ ଚୌହାନଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡବ୍ଲୁ୍ୟଓଡିସି ପରିଚାଳନାରେ ଏକ ଆମ୍ବୁଲାନ୍ସ ଜରିଆରେ ସ୍ୱର୍ଗତ ଚୌହାନଙ୍କ ମରଶରୀରକୁ ଜନ୍ମମାଟି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ ଆମ୍ବବାହାଲକୁ ଅଣାଯାଇଥିଲା । ପଶ୍ଚିମ ଓଡ଼ିଶା ମାଟିକୁ ଛୁଇଁବା ପରେ ରେଢ଼ାଖୋଲରୁ ଆରମ୍ଭ କରି ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱର୍ଗତ ଚୌହାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ଅନ୍ତିମ ବିଦାୟ ଦିଆଯାଇଥିଲା । ଦେବବ୍ରତ ମିଶ୍ର ଓ ସୁବାସ ଫେନ୍କ୍ଲବ ସଦସ୍ୟଙ୍କ ପାଇଲଟିଂରେ ଶବ ଶୋଭାଯାତ୍ରାରେ ସ୍ୱର୍ଗତ ଚୌହାନଙ୍କୁ ତାଙ୍କ ଜନ୍ମମାଟି ଆମ୍ବବାହାଲକୁ ନିଆଯାଇଥିଲା । ଗାଁରେ ଶବ ଶୋଭାଯାତ୍ରା ପହଞ୍ଚିବା ପରେ ଗ୍ରାମବାସୀଙ୍କ ତରଫରୁ ଅନ୍ତିମ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଗାଁରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁତୁରା ବିକାଶ ଚୌହାନ ମୁଖାଗ୍ନି ଦେଇଥିଲେ । ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ଚୌହାନଙ୍କ ମୃତୁ୍ୟକୁ ନେଇ ଓଡ଼ିଶା ସମେତ ରାଷ୍ଟ୍ରୀୟ ସ୍ତରରେ ଗଭୀର ଶୋକ ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ ଜରିଆରେ ସ୍ୱର୍ଗତ ଚୌହାନଙ୍କ ମୃତୁ୍ୟରେ ରାଜ୍ୟ ଜଣେ ପ୍ରବୀଣ ରାଜନେତାଙ୍କୁ ହରାଇଲା ବୋଲି ଶୋକପ୍ରକାଶ କରିଛନ୍ତି । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଦଳମତ ନିର୍ବିଶେଷରେ ପଶ୍ଚିମ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ଶୋକ ବ୍ୟକ୍ତ କରିଛନ୍ତି ।ଆଜୀବନ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଗ୍ରହଣ କରିଥିବା ସ୍ୱର୍ଗତ ଚୌହାନ ତାଙ୍କ ପଛରେ ବୁଢ଼ୀ ମା’ ସୁମତି ଚୌହାନଙ୍କ ସମେତ ଭାଇ ପୀତବାସ ଚୌହାନ, ଭଉଣୀ ଚିତ୍ରା ପାଣ୍ଡେ ଏବଂ ଭାଇଙ୍କ ଦୁଇ ପୁଅ ବିକାଶ, ଆକାଶ ତଥା ଝିଅ ବିଜୁଳିକୁ ପଛରେ ଛାଡ଼ି ଚାଲିଯାଇଛନ୍ତି ।
୧୯୬୬ ଡିସେମ୍ବରରେ ବରଗଡ଼ ଜିଲ୍ଲା ଖୁଣ୍ଟପାଲିରେ ଜନ୍ମଗ୍ରହଣ କରିଥିବା ସୁବାସଙ୍କ ଲାଳନପାଳନ ପରିବାର ସ୍ଥାନାନ୍ତର ଯୋଗୁଁ ଆମ୍ବବାହାଲରେ ହୋଇଥିଲା ଏବଂ ସେଠାରେ ହିଁ ତାଙ୍କ ପାଠପଢ଼ା ସମ୍ପାଦିତ ହୋଇଥିଲା । ପିତା ଶ୍ୟାମ ସୁନ୍ଦର ଚୌହାନଙ୍କ ପରଲୋକ ପରେ ବ୍ରହ୍ମଚାରୀ ଦୀକ୍ଷା ନେଇ ସୁବାସ ସ୍ୱେଚ୍ଛାସେବା ଓ ଦେଶସେବାରେ ମନୋନିବେଶ କରିଥିଲେ । ଯୁବାବସ୍ଥାରୁ ହିଁ ଧର୍ମୀୟ ଚେତନା ଉଦ୍ରେକକାରୀ ଆନେ୍ଦାଳନ ସହ ଜଡ଼ିତ ସୁବାସ ୧୯୯୫ରୁ ୨୦୦୦ ଯାଏଁ ହିନ୍ଦୁ ଜାଗରଣ ମଞ୍ଚ ସଭାପତି ଦାୟିତ୍ୱରୁ କର୍ମମୟ ଜୀବନକୁ ଓହ୍ଲାଇଥିଲେ । ୨୦୦୦ରୁ ୨୦୦୩ ଯାଏଁ ଓଡ଼ିଶା ପ୍ରାନ୍ତର ଆର୍ଏସ୍ଏସ୍ର ଯୁଗ୍ମ ପ୍ରଚାରକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିବା ବେଳେ ୨୦୦୧ରୁ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ସଂଯୋଜକ ଦାୟିତ୍ୱ ସମ୍ଭାଳିଥିଲେ । ୨୦୦୩ରୁ ୨୦୦୬ ଯାଏଁ ଓଡ଼ିଶା ବଜରଙ୍ଗ ଦଳ ଆବାହକ ଥିବା ବେଳେ ୨୦୦୬ରୁ ୨୦୦୭ ଯାଏଁ ବଜରଙ୍ଗ ଦଳ ପ୍ରାନ୍ତୀୟ ସଂଯୋଜକ ପଦ ସମ୍ଭାଳିଥିଲେ । ଉତ୍ତମ ପ୍ରଦର୍ଶନ ପାଇଁ ସୁବାସ ୨୦୦୮ରେ ବଜରଙ୍ଗ ଦଳ ଜାତୀୟ ସ୍ତରରେ ସହ ସଂଯୋଜକ ଦାୟିତ୍ୱ ପାଇଥିବା ବେଳେ ୨୦୧୦ରେ ବଜରଙ୍ଗ ଦଳର ଜାତୀୟ ମୁଖ୍ୟ ସଂଯୋଜକ ପଦକୁ ପଦୋନ୍ନତି ପାଇ ସଫଳତାର ସହ ୨୦୧୨ ଯାଏଁ ସମ୍ଭାଳିଥିଲେ । ତା’ ପରେ ରାଜ୍ୟ ଓ ଜିଲ୍ଲା ରାଜନୀତିକୁ ଫେରି ବଜରଙ୍ଗ ଦଳକୁ ସକ୍ରିୟ କରିବାରେ ସକ୍ଷମ ହେବା ପରେ ୨୦୧୪ରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନଜରକୁ ଆସିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ତଥାପି ହାର ନମାନି ସୁବାସ ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗିଥିଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳ ତାଙ୍କୁ ଟିକେଟ୍ରୁ ବଞ୍ଚôତ କରିବା ପରେ ବିଜେଡିରେ ଯୋଗଦାନ କରି ସଙ୍ଗଠନ ଦାୟିତ୍ୱ ପାଇ ଦଳକୁ ସଫଳତା ଆଣିବାରେ ସହଭାଗିତା ରଖିପାରିଥିଲେ । ଯାହାର ପ୍ରତିଦାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ତାଙ୍କୁ ଦେଇଥିଲେ । ଗତ ଡିସେମ୍ବର ମାସରେ ସେ କଳାହାଣ୍ଡିରୁ ଏକ ବୈଠକ ସାରି ସମ୍ବଲପୁର ଫେରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କର ଚିକିତ୍ସା ବେଳେ ସେ ଲିଭର କ୍ୟାନସରରେ ପୀଡ଼ିତ ବୋଲି ଜଣାପଡ଼ିଥିଲା । ଏହାପରେ ସେ ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲରେ ପ୍ରାୟ ୩ ମାସ ଚିକିତ୍ସିତ ହେବା ପରେ ଓଡ଼ିଶା ଫେରିଥିଲେ । ସେ ଭୁବନେଶ୍ୱରରେ ରହୁଥିଲା ବେଳେ ଅଧିକ ଅସୁସ୍ଥ ହେବାରୁ ଗତ ୧୦ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
Comments are closed, but trackbacks and pingbacks are open.