ସୁଷମା ସ୍ୱରାଜ ଓକିଲରୁ କେନ୍ଦ୍ରମନ୍ତ୍ରୀ

Get real time updates directly on you device, subscribe now.

୧୯୫୨ ଫେବ୍ରୁଆରୀ ୧୪ରେ ହରିୟାନାର ଅମ୍ବାଲା କ୍ୟାଣ୍ଟନମେଣ୍ଟଠାରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ । ତାଙ୍କ ପିତା ହରଦେବ ଶର୍ମା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ଜଣେ ସକ୍ରିୟ ସଦସ୍ୟ ରହିଥିଲେ । ଅମ୍ବାଲା କ୍ୟାଣ୍ଟନମେଣ୍ଟସ୍ଥିତ ସନାତନ ଧର୍ମ କଲେଜରେ ସେ ଶିକ୍ଷା ଗ୍ରହଣ କରିଥିଲେ । ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ସୁଷମା । ଏହାଛଡ଼ା ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ଅଧ୍ୟୟନ କରିଥିଲେ ।
୧୯୭୩ରେ ସୁଷମା ସୁପ୍ରିମକୋର୍ଟରେ ଜଣେ ଓକିଲ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୯୭୦ ଦଶକରେ ସେ ପ୍ରଥମେ ରାଜନୀତିରେ ପାଦ ଥାପିଥିଲେ । କିନ୍ତୁ ସକ୍ରିୟ ଭାବେ ସାମିଲ ହୋଇ ନଥିଲେ । ପ୍ରଥମେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।
ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଲ ସୋସିଆଲିଷ୍ଟ ନେତା ଜର୍ଜ ଫର୍ଣ୍ଣାଣ୍ଡିଜ୍ଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ ଓ ୧୯୭୫ରେ ଫର୍ଣ୍ଣାଣ୍ଡିଜ୍ଙ୍କ ଲିଗାଲ୍ ଡିଫେନ୍ସ ଟିମ୍ରେ ସୁଷମା ସାମିଲ ହୋଇଥିଲେ । ଏହାବ୍ୟତୀତ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସୁଷମା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଜରୁରିକାଳୀନ ପରିସ୍ଥିତି ପରେ ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଥିଲେ । ପରେ ସେ ବିଜେପିର ଜଣେ ରାଷ୍ଟ୍ରୀୟ ନେତା ହୋଇଥିଲେ ।
୧୯୭୭ରେ ହରିୟାନା ବିଧାନସଭାକୁ ନିର୍ବାଚିତ
ମାତ୍ର ୨୫ ବର୍ଷ ବୟସରେ ହରିୟାନା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁଷମା ସ୍ୱରାଜ । ୧୯୭୨ରୁ ୧୯୮୨ ପର୍ଯ୍ୟନ୍ତ ସେ ବିଧାୟିକା ରହିଥିଲେ । ଏହପରେ ପୁଣି ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଜୁଲାଇରେ ସେ ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବୀ ଲାଲଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
୧୯୭୯ରେ ୨୭ ବର୍ଷ ବୟସରେ ସୁଷମା ଜନତା ପାର୍ଟି ହରିୟାନାରା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ହରିୟାନାର ବିଜେପି-ଲୋକ ଦଳ ମେଣ୍ଟ ସରକାରରେ ସେ ରାଜ୍ୟର ଶିକ୍ଷା ମନ୍ତ୍ରୀ ରହିଥିଲେ ।
୧୯୯୮ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
୧୯୯୮ ଅକ୍ଟୋବରରେ ସୁଷମା କେନ୍ଦ୍ର କ୍ୟାବିନେଟ୍ରୁ ଇସ୍ତଫା ଦେଇ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ସେତେବେଳେ ଉ+ଟ ଦରବୃଦ୍ଧିକୁ ନେଇ ଦିଲ୍ଲୀ ସରକାର ବିବାଦରେ ପଡ଼ିଥିଲେ । ଏହାପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ଫଳରେ ସୁଷମା ବିଧାନସଭା ଆସନରୁ ଇସ୍ତଫା ଦେଇ ପୁଣି ଜାତୀୟ ରାଜନୀତିରେ ଯୋଗଦେଇଥିଲେ ।
୧୯୯୦ରେ ହେଲେ ରାଜ୍ୟସଭା ସାଂସଦ
ସୁଷମା ସ୍ୱରାଜ ୧୯୯୦ ଏପ୍ରିଲରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏକାଦଶ ଲୋକସଭାକୁ ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ରହିଥିଲେ । ୧୯୯୬ରେ ଦକ୍ଷିଣ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ସେ ଏକାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
୧୯୯୮ରେ ହେଲେ କେନ୍ଦ୍ରମନ୍ତ୍ରୀ
୧୯୯୬ ପରେ ସୁଷମା ପୁଣି ୧୯୯୮ରେ ଦକ୍ଷିଣ ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ଦ୍ୱାଦଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବାଜପେୟୀ ସରକାରରେ ସେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିଲେ ଏବଂ ଟେଲିକମ୍ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ବି ସମ୍ଭାଳିଥିଲେ । ୧୯୯୮ ମାର୍ଚ୍ଚ ୧୯ରୁ ୧୯୯୮ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିଥିଲେ । ଏହି ସମୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଚଳଚ୍ଚିତ୍ର ନିର୍ମାଣକୁ ସେ ଏକ ଶିଳ୍ପ ବୋଲି ଘୋଷଣା କରିଥିଲେ । ଏହାଦ୍ୱାରା ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ବ୍ୟାଙ୍କ ଋଣ ମିଳିବା ସହଜ ହୋଇଥିଲା । ଏହାବ୍ୟତୀତ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନରେ ସେ କମ୍ୟୁନିଟି ରେଡିଓ ଆରମ୍ଭ କରିଥିଲେ ।
୧୯୯୯ରେ ସୋନିଆଙ୍କ ବିପକ୍ଷରେ ଲଢ଼ିଥିଲେ
୧୯୯୯ ସେପ୍ଟେମ୍ବରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ତ୍ରୟୋଦଶ ଲୋକସଭା ନିର୍ବାଚନ ଲଢ଼ିଥିଲେ ସୁଷମା । ସୋନିଆଙ୍କୁ ଟକ୍କର ଦେବା ପାଇଁ ସୁଷମା ହିଁ ଶ୍ରେଷ୍ଠ ବୋଲି ଦଳ ଭାବିଥିଲା । କର୍ଣ୍ଣାଟକର ବେଲାରି ନିର୍ବାଚନ ମଣ୍ଡଳୀରୁ ସୋନିଆଙ୍କ ବିପକ୍ଷରେ ସେ ଲଢ଼ିଥିଲେ । ୧୯୫୧-୫୨ରୁ ଏହି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଅଧୀନରେ ରହିଆସିଥିଲା । ଏହି ନିର୍ବାଚନ ବେଳେ ସୁଷମା ଜୋରଦାର ପ୍ରଚାର କରିଥିଲେ । ଏମିତି କି କନ୍ନଡ଼ ଭାଷାରେ ସେ ସାଧାରଣ ସଭାଗୁଡ଼ିକୁ ଉଦ୍ବୋଧନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ମାତ୍ର ୧୨ ଦିନ ପ୍ରଚାରକୁ ଓହ୍ଲାଇଥିଲେ ସୁଷମା । ତଥାପି ତାଙ୍କ ଭାଗରେ ୩,୫୮,୦୦୦ ଭୋଟ୍ ପଡ଼ିଥିଲା । ମାତ୍ର ୭ଧ କମ୍ ଭୋଟ୍ରେ ସେ ଏହି ନିର୍ବାଚନ ହାରିଥିଲେ ।
୨୦୦୦ରେ ୟୁପିରୁ ରାଜ୍ୟସଭା ଗଲେ
୨୦୦୦ ମସିହାରେ ସୁଷମା ଉତ୍ତର ପ୍ରଦେଶରୁ ପୁଣି ରାଜ୍ୟସଭା ଯାଇଥିଲେ । ୨୦୦୦ ମସିହା ନଭେମ୍ବର ୯ରେ ଉତ୍ତର ପ୍ରଦେଶଠାରୁ ଉତ୍ତରାଖଣ୍ଡ ପୃଥକ୍ ହେବା ପରେ ସେ ଉତ୍ତରାଖଣ୍ଡରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିଲେ । ଏହି ସମୟରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କେନ୍ଦ୍ର କ୍ୟାବିନେଟ୍ରେ ସାମିଲ ହୋଇଥିଲେ । ୨୦୦୦ ସେପ୍ଟେମ୍ବରୁ ୨୦୦୩ ଜାନୁଆରୀ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ ।
୨୦୦୩ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ସୁଷମା ୨୦୦୩ରୁ ୨୦୦୪ ମେ ମାସ ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରହିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ୬ଟି ଏମ୍ସ ସ୍ଥାପନ କରିଥିଲେ । ଭୋପାଳ, ଭୁବନେଶ୍ୱର, ଯୋଧପୁର, ପାଟନା, ରାୟପୁର ଏବଂ ରିଷିକେଶରେ ଏହି ଏମ୍ସ ସ୍ଥାପନ ହୋଇଥିଲା । ୨୦୦୬ ଏପ୍ରିଲରେ ସେ ମଧ୍ୟପ୍ରଦେଶରୁ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଏପ୍ରିଲ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ବିରୋଧୀ ଦଳର ଉପନେତା ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons