ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢୁଛନ୍ତି ସେହି ତୁଳନାରେ ସୁସ୍ଥ ହେଉଥିବା ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଜିଲ୍ଲାରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ମାତ୍ର ୨ ହଜାରରୁ କିଛି ଅଧିକ ସଂଖ୍ୟା ପଛରେ ରହିଛି ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା । ମଙ୍ଗଳବାର ଆଉ ୦୦୦ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୧୩ ହଜାର ପାର୍ କରିଛି । ଏବେ ଏହି ସଂଖ୍ୟା ୧୩୦୮୪ ହୋଇଛି । ସେପଟେ ୨୪୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୫୨୫୬ ହୋଇଛି । ସେହିପରି ୩ କରୋନା ସଂକ୍ରମିତଙ୍କ ମୃତୁ୍ୟ ପରେ ଏହି ସଂଖ୍ୟା ୧୫୮ ଛୁଇଁଛି । ଜିଲ୍ଲାରେ ଏବେ ବି ୨୦୦୬ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଜିଲ୍ଲାରେ ଚଳିତ ମାସରେ ଆକ୍ଟିଭ୍ ପଜିଟିଭ୍ କେସ୍ ଗ୍ରାଫ୍ କ୍ରମେ ତଳମୁହାଁ ହୋଇ ଚାଲିଛି । ଜୁଲାଇ ୨୩ରେ ଜିଲ୍ଲାରେ ଏଯାବତ୍ ଗୋଟିଏ ଦିନରେ ସର୍ବାଧିକ ୭୩୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ଅଗଷ୍ଟ ୭ ତାରିଖରେ ଏଯାବତ୍ ଦିନକରେ ସବୁଠାରୁ ଅଧିକ ୭୦୦ ରୋଗୀ ସୁସ୍ଥ ହୋଇଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦତ୍ତ ତଥ୍ୟ ମୁତାବକ ଜୁଲାଇ ୨୭ରେ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୩୪୨୨ ଆକ୍ଟିଭ୍ କେସ୍ ଥିଲା ଯାହା ଅଗଷ୍ଟ ୨ ତାରିଖରେ ସବୁଠାରୁ ଅଧିକ ୩୬୯୩କୁ ଛୁଇଁଥିଲା । ତେବେ ତା ପରଠାରୁ ଜିଲ୍ଲାରେ ସକ୍ରିୟ ରୋଗୀ ବା ଚିକିତ୍ସାଧୀନ ପଜିଟିଭ୍ ସଂଖ୍ୟା କ୍ରମେ ତଳମୁହାଁ ହୋଇଛି । ୧୫ ଅଗଷ୍ଟ ସୁଦ୍ଧା ଏହା ୨୨୭୨ ଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୦୦୦୦ ରହିଛି । ଜିଲ୍ଲାରେ କରୋନା ସ୍ଥିତିରେ ଲଗାତାର ସୁଧାର ଆସୁଥିବା ଏହି ଗ୍ରାଫ୍ରୁ ସୂଚନା ମିଳୁଛି ।
ଗଞ୍ଜାମ ଜିଲ୍ଲାରେ ସୋମବାର ଚିହ୍ନଟ ହୋଇଛନ୍ତି ୨୪୬ କୋଭିଡ୍ ସଂକ୍ରମିତ ବ୍ୟକ୍ତି । ନୂଆ ପଜିଟିଭ୍ଙ୍କ ମଧ୍ୟରେ ରହିଛନ୍ତି ୨୨୮ ଆକ୍ଟିଭ୍ କଣ୍ଟାକ୍ଟ କେସ୍ । ସେହିପରି ୧୨ ଜଣ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ସୁରଟ ଓ ବାଙ୍ଗାଲୁରୁରୁ ଫେରିଥିବା ଆସିକା ଅଞ୍ଚଳର ୬ ଜଣ ପ୍ରବାସୀ ମଧ୍ୟ ଆକ୍ରାନ୍ତ ତାଲିକାରେ ରହିଛନ୍ତି । ସବୁଠାରୁ ଅଧିକ ୪୨ ସଂକ୍ରମିତ (ସମସ୍ତେ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍) ବ୍ରହ୍ମପୁରରୁ ଠାବ ହୋଇଥିବା ବେଳେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ୨୬ ଆକ୍ଟିଭ୍ କଣ୍ଟାକ୍ଟ, ୪ ଯୋଦ୍ଧା ଓ ୬ ପ୍ରବାସୀ ଆସିକାରୁ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନରେ କେବଳ ଅଗଷ୍ଟ ୧୪ ଓ ୧୫କୁ ବାଦ୍ ଦେଲେ ଅନ୍ୟ ସବୁ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୩ ଶହ ତଳେ ରହି ଆସିଛି ।
ଗଞ୍ଜାମ ଜିଲ୍ଲାରେ ଆଉ ୩ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ୬୮ ବର୍ଷ ବୟସ୍କ ବୃଦ୍ଧା, ଜଣେ ୭୯ ବର୍ଷ ବୟସ୍କ ବୃଦ୍ଧ ଏବଂ ଜଣେ ୬୮ ବର୍ଷୀୟ ବୃଦ୍ଧ ଯିଏ କରୋନାରୀ ଆର୍ଟେରି, ଉଚ୍ଚ ରକ୍ତଚାପ ସମେତ ଏକାଧିକ ରୋଗରେ ପୀଡିତ ଥିଲେ । ଫଳରେ ଗଞ୍ଜାମରେ କରୋନାରେ ପ୍ରାଣ ହରାଇଥିବା ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ୧୫୮ ହୋଇଥିବା ବେଳେ ଅବଶିଷ୍ଟ ୮ ଜଣ ଅନ୍ୟ ସ୍ୱାସ୍ଥ୍ୟଗତ ଜଟିଳତାରୁ ଜୀବନ ହରାଇଛନ୍ତି । ଫଳରେ ଗଞ୍ଜାମରେ ମୋଟ ମୃତ କୋଭିଡ୍ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ୨୭ ମହିଳା (୧୧ ବୃଦ୍ଧା) ଓ ୧୩୮ ପୁରୁଷ (୫୪ ବୃଦ୍ଧ) ଏବଂ ଅନ୍ୟ ଜଣେ ସଂକ୍ରମିତ ରହିଛନ୍ତି । କେବଳ ଅଗଷ୍ଟ ମାସରେ ଏଯାବତ୍ ୪୫୮୪ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ୬୧ ଜଣଙ୍କ ଜୀବନ ଗଲାଣି । ସେହିପରି ୫୭୪୨ ଜଣ ଆରୋଗ୍ୟ ଲାଭ କଲେଣି ।
ଜିଲ୍ଲା ପାଇଁ ଅଗଷ୍ଟ ମାସରେ ବି ଚ୍ୟାଲେଞ୍ଜ୍ ରହିବ । ପୂର୍ବରୁ ଏକାଧିକ ବାର ଏହା କହିଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗଞ୍ଜାମରେ କରୋନା ଗ୍ରାଫ୍ ନିମ୍ନମୁଖୀ ହୋଇ ଚାଲିଥିଲେ ହେଁ ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନାହିଁ । ଏବେ ବି କରୋନା ତାଲିକାର ଶୀର୍ଷରେ ରହିଛି ଗଞ୍ଜାମ । ମୋଟ ସଂକ୍ରମିତ ହେଉ ବା ମୋଟ ମୃତୁ୍ୟ ସଂଖ୍ୟା ସବୁଠୁ ଆଗରେ ରହିଛି ଗଞ୍ଜାମ । ଯଦିଓ ଦୈନିକ ଚିହ୍ନଟ ସଂକ୍ରମିତ ସଂଖ୍ୟା ଓ ଚିକିତ୍ସାଧୀନ ରୋଗୀ ଦୃଷ୍ଟିରୁ ଏବେ ଗଞ୍ଜାମ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି, ତଥାପି ଏବେ ବି ଦୈନିକ ୨ଶହରୁ ୩ଶହ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେଣୁ ଜିଲ୍ଲାରେ ଅନେକ କଟକଣା ଜାରି ରଖିଛି ଜିଲ୍ଲା ପ୍ରଶାସନ । ସୀମା ସିଲ୍, ସପ୍ତାହାନ୍ତ ସଟ୍ଡାଉନ୍, ଦୈନିକ ୧୩ ଘଣ୍ଟା ସଟ୍ଡାଉନ୍ କଟକଣା ଲାଗୁ ରହିଛି । ଏଭଳି ପରିପ୍ରେକ୍ଷୀରେ ଆସନ୍ତା ଶନିବାର ପଡୁଛି ବିନାୟକ ଚତୁର୍ଥୀ । ତେବେ ଜିଲ୍ଲାରେ ଗଣେଶ ପୂଜା (ସାମୂହିକ ବା ସାର୍ବଜନୀନ) ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ମଙ୍ଗଳବାର ଟ୍ୱିଟ୍ କରି ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଉଲ୍ଲେଖଯୋଗ୍ୟ ଯେ- ଅଗଷ୍ଟ ପହିଲାରୁ କଟକଣା କିଛିଟା କୋହଳ କରାଯିବା ପରେ ସମସ୍ତ ଦୋକାନକୁ କୋଭିଡ୍ ନିୟମ ମାନି ଖୋଲିବାକୁ ଅନୁମତି ମିଳିଛି । ଫଳରେ ପ୍ରଥମେ ରାଖୀ ଓ ଏବେ ବିଭିନ୍ନ ସ୍ଥାନରେ ଛୋଟ ବଡ ଗଣେଶ ମୂର୍ତ୍ତି ବିକ୍ରି ଦେଖିବାକୁ ମିଳୁଛି । ତେବେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ପୂଜା ଆୟୋଜକଙ୍କ ଉତ୍ସାହକୁ ଫିକା କରି ଦେଇଛି ।
Comments are closed, but trackbacks and pingbacks are open.