ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍ କ୍ୟୁରୀ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନ୍ୟୁଜ୍) ଆମିକସ କ୍ୟୁରୀ ଇଂ ଏନ କେ ମହାନ୍ତି ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ତାଙ୍କ ସହିତ କୋର କମିଟି ସଦସ୍ୟ ଏନସି ପାଲ୍ ସାମିଲ ଥିଲେ । ସୋମବାର ଅପରାହ୍ନ ୪ଟାରେ ଆମିକସ କ୍ୟୁରୀ ଏଠାରେ ପହଂଚିବା ପରେ ପ୍ରଥମେ ନବଗ୍ରହ ମନ୍ଦିର ଦର୍ଶନ କରିଥିଲେ । ପରେ ସୂର୍ଯ୍ୟମନ୍ଦିର ଭିତରକୁ ଯାଇଥିଲେ । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣରେ ଏଏସଆଇ ଅବହେଳା ପ୍ରଦର୍ଶନ କରି ଆସୁଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଛି । ସୁରକ୍ଷା ଓ ସଂରକ୍ଷଣକୁ ନେଇ ଚିନ୍ତାରେ ସରକାର । ଏ ସଂପର୍କରେ ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆମିକସ କ୍ୟୁରୀ ନିଯୁକ୍ତ ହୋଇଛନ୍ତି । ଆମିକସ କ୍ୟୁରୀ ମନ୍ଦିର ପ୍ରବେଶ ପଥରୁ ନାଟ୍ୟ ମନ୍ଦିର, ଉତ୍ତର ଦ୍ୱାର ପର୍ଯ୍ୟନ୍ତ ପ୍ରାୟ ୨ଘଣ୍ଟା ଧରି ବୁଲି ଅନୁଧ୍ୟାନ କରିଥିଲେ । ଜଗମୋହନ ଦ୍ୱାର,ଦକ୍ଷିଣ ଦ୍ୱାର, ଛାୟାଦେବୀ ମାୟାଦେବୀ ମନ୍ଦିର, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥା, ଉତ୍ତର ଦ୍ୱାର,ଦକ୍ଷିଣ ଦ୍ୱାର ସମ୍ମୁଖରେ ବନ୍ଧା ଯାଇଥିବା ଲୁହା ଭାରା, ବର୍ଷା ପାଣି ଜମୁଥିବା ସ୍ଥାନ, ଲାଇଟ ଆଣ୍ଡ୍ ସାଉଣ୍ଡ ସୋ, ବର୍ଷା ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ବୁଲି ଦେଖିଥିଲେ । ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ ସଂପର୍କରେ ଆମିକସ କ୍ୟୁରୀ ଶ୍ରୀମହାନ୍ତିଙ୍କୁ ପଚାରିବାରୁ ହାଇକୋର୍ଟ ନିର୍ଦ୍ଦେଶରେ ଆସିଛି ଏବଂ ଏଠାକୁ ଆସିବା ପୂର୍ବରୁ ବହିରୁ ମନ୍ଦିର ସଂପର୍କରେ ତଥ୍ୟ ସଂଗ୍ରହ କରିଛି ବୋଲି କହିଛନ୍ତି । ମନ୍ଦିର ଗଠନ ପ୍ରଣାଳୀକୁ ପୁନର୍ଜୀବିତ କରିବା, ବର୍ଷା ଜଳ ନିଷ୍କାସନ ନିମନ୍ତେ ବିଶେଷ ଧ୍ୟାନ ଦେବା, ମନ୍ଦିର ଭିତରୁ ବାଲି କଢାଯିବ କି ନାହିଁ ସେ ସଂପର୍କରେ ଖୁବଶୀଘ୍ର କୋଣାର୍କରେ ଏଏସଆଇ ଓ ଷ୍ଟିୟରିଂ କମିଟିର ଏକ ମିଳିତ ବୈଠକ ବସିବ । ଏହି ବୈଠକରେ ମନ୍ଦିରର ସଂପର୍କରେ ସମ୍ପୂର୍ଣ୍ଣ ଆଲୋଚନା ହେବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons