ବାଲେଶ୍ୱର,(ବି.ବି.ନୁ୍ୟଜ୍): ସେମାନେ ନିଜେ ଜଣେ ଜଣେ କାର୍ଯ୍ୟରତ ବୀର ଯବାନ । ଦେଶ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ଅନେକ ଯନ୍ତ୍ରଣା ସହୁଛନ୍ତି । ତଥାପି ଜନ୍ମଭୂମି ପ୍ରତି ଥିବା କର୍ତ୍ତବ୍ୟରେ କେବେ ବି ହେଳା କରିନାହାନ୍ତି । ନିଜ ଭଳି ଗାଁର ଅନ୍ୟ ଯୁବପିଢ଼ି କିପରି ସେନା ପ୍ରତି ଆକୃଷ୍ଟ ହେବେ । ଦେଶ ସେବା କରିବେ । ସେନେଇ ଉଦ୍ୟମ ଜାରି ରଖିିଛନ୍ତି । ଗାଁର ପ୍ରତି ଘରୁ ଅତିକମ୍ରେ ଜଣେ ଲେଖାଏଁ ଯୁବକ-ଯୁବତୀ ସେନାରେ ଯୋଗ ଦିଅନ୍ତୁ, ଜନ୍ମ ଭୂମିର ସେବା କରନ୍ତୁ, ଅନ୍ୟମାନଙ୍କ ପାଇଁ ଏହି ଗାଁ ଉଦାହରଣ ପାଲଟୁ, ଏହା ହେଉଛି ସେମାନଙ୍କ ଲକ୍ଷ୍ୟ । ସେଥିପାଇଁ ତ ସେମାନେ ଦୀର୍ଘ ବର୍ଷ ହେବ ପାଳି କରି ଛୁଟିରେ ଆସି ଯୁବପିଢ଼ିଙ୍କୁ ସେନାରେ ପ୍ରବେଶ ଲାଗି ପ୍ରଶିକ୍ଷଣ ଦେଉଛନ୍ତି । ଏଭଳି ବିରଳ ଦୃଶ୍ୟ ବସ୍ତା ବ୍ଲକ ରଘନାଥପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବକୁଡ଼ଚି ଗ୍ରାମରେ ଦେଖିବାକୁ ମିଳିଛି ।
ଏହି ଗ୍ରାମର ପରିବାର ସଂଖ୍ୟା ୫୭୦ । ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଆଉ କିଛି ଛେନା ବ୍ୟବସାୟ ମଧ୍ୟ କରନ୍ତି । ଏହା ସତ୍ତେ୍ୱ ଗ୍ରାମର ୧୪ରୁ ଊଦ୍ଧ୍ୱର୍ ଯୁବକ ସେନା ଆର୍ମି, ନେଭି, ଏୟାର ଫୋର୍ସ, ବିଏସ୍ଏଫ, ଓଏସ୍ପିରେ ଚାକିରି କରିଛନ୍ତି । ଏମାନେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି ଗ୍ରାମର ଯୁବପିଢ଼ିଙ୍କ ପାଇଁ । ସେମାନଙ୍କ ତତ୍ତ୍ୱାବଧାନରେ ପ୍ରତିଦିନ ୫୦ରୁ ଊଦ୍ଧ୍ୱର୍ ଯୁବକ-ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି । ଛୋଟ ଛୋଟ ପିଲା, କିଶୋର -କିଶୋରୀ ମଧ୍ୟ ଏଥିରେ ସାମିଲ ହେଉଛନ୍ତି ।
ପ୍ରତିଦିନ ଭୋର ହେଲେ ବିଛଣା ଛାଡ଼ନ୍ତି ଗାଁର ଯୁବଗୋÂୀ । ଏକଜୁଟ୍ ହୁଅନ୍ତି ଗାଁ ସ୍କୁଲ ହତାରେ । ପରେ ଆରମ୍ଭ ହୋଇଯାଏ ଶାରୀରିକ ପ୍ରଶିକ୍ଷଣ । ଦୌଡ଼ଠାରୁ ଆରମ୍ଭ କରି ପ୍ରତିରକ୍ଷା ବିଭାଗରେ ଦିଆଯାଉଥିବା ସମସ୍ତ ପ୍ରକାର ପ୍ରଶିକ୍ଷଣ ନିଅନ୍ତି ଏମାନେ । ପ୍ରଶିକ୍ଷଣ ଦିଅନ୍ତି ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ ଅଭିଜ୍ଞ ସୈନିକ । ଆଟେନସନ, ରିଲାକ୍ସ ଭଳି କମାଣ୍ଡରେ ଫାଟିପଡେ଼ ସ୍କୁଲ ହତା । ପ୍ରାୟ ୩ ଘଣ୍ଟା ପ୍ରଶିକ୍ଷଣ ନେବା ପରେ ସମସ୍ତେ ନିଜ ନିଜ ଘରକୁ ଯାଆନ୍ତି ।
ପ୍ରତି ସେନା ଅଧିକାରୀ ପାଳି କରି ମାସକ ପାଇଁ ଗାଁ’କୁ ଛୁଟିରେ ଆସନ୍ତି । ପାଳି କରି ପ୍ରତିଦିନ ସକାଳୁ ଗାଁ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ଭୋର ୪ଟାରୁ ଆରମ୍ଭ ହୁଏ ପ୍ରଶିକ୍ଷଣ । ସକାଳ ୮ଟା ଯାଏଁ ଚାଲେ । ପ୍ରଶିକ୍ଷଣରେ ସେମାନେ ରନିଂ, ଜମ୍ପିଂ, ଚିଲିଂ, ସ୍କିପିଂ, ଡିପ୍ସ୍, ରୋପିଂ, ପ୍ରଣ୍ଟ ରୋଲ, ଫ୍ରଗ ଜମ୍ପ, ସୁଇମିଂ ଭଳି ବିଭିନ୍ନ ପ୍ରଶିକ୍ଷଣ ଦିଅନ୍ତି । ପ୍ରତିରକ୍ଷା ବିଭାଗର ସମସ୍ତ ଅନୁଶାସନ ଭଳି ଏଠି ମଧ୍ୟ ପ୍ରଶିକ୍ଷଣ ଦିଆଯାଏ । ସେମାନଙ୍କ ପ୍ରଶିକ୍ଷଣ ନିଜ ଆଖିରେ ନ ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ।
ଗ୍ରାମବାସୀ ଜ୍ୟୋର୍ତିମୟ ନନ୍ଦଙ୍କ କହିବା କଥା, ପୂର୍ବରୁ ଏହି ଗ୍ରାମରେ କେହି ସେନାରେ ଯୋଗ ଦେଇନଥିଲେ । ୨୦୦୮ ମସିହାରେ ଗ୍ରାମରେ ପ୍ରଥମ କରି ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହେଲା । ପରେ ଅନ୍ତର୍ଯ୍ୟାମୀ ବାରିକ ପ୍ରଥମ କରି ସିଆର୍ପିଏଫ୍ରେ ଚାକିରି ପାଇଲେ । ବାସ୍ ସେବେଠାରୁ ଗାଁର ଗୋଟିଏ ପରେ ଗୋଟିଏ ଯୁବକ ପ୍ରତିରକ୍ଷା ବିଭାଗରେ ଚାକିରି କରିଆସୁଛନ୍ତି । ଏହି ଗାଁ’ର ଯୁବଗୋÂୀ ଦେଶମାତୃକାର ସେବା କରିବା ପାଇଁ ମା’ ଦୁର୍ଗାଙ୍କ ଆଶୀର୍ବାଦ ରହିଛି । ଏହି କାରଣରୁ ପ୍ରତିବର୍ଷ ଜଣେ କିମ୍ବା ୨ ଜଣ ପିଲାଙ୍କୁ ସେନାର ଚାକିରି ମିଳୁଥିବା ସେ କହିଛନ୍ତି ।
Comments are closed, but trackbacks and pingbacks are open.