ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ:ସାମ୍ବାଦିକଙ୍କୁ ମନା

Get real time updates directly on you device, subscribe now.

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ରାଜ୍ୟ ବିଧାନସଭାର ପରବର୍ତ୍ତୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ମାସରେ କରିବା ନିମନ୍ତେ ବିଚାରବିମର୍ଶ ଚାଲିଛି ବୋଲି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭା ଅଧିବେଶନ ସମୟରେ ସାଧାରଣ ଲୋକ ଓ ସାମ୍ବାଦିକମାନଙ୍କୁ ବିଧାନସଭାକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।
ଶ୍ରୀ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଧାନସଭା ଅଧିବେଶନ ୬ମାସରେ ଅତିକମରେ ଥରେ ବସିବା କଥା। ମାର୍ଚ୍ଚ ମାସରେ ଅଧିବେଶନ ବସିଥିଲା ଓ ଏବେ ସେପ୍ଟେମ୍ବର ମାସରେ ଅଧିବେଶନ କରିବା ନିମନ୍ତେ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା ଚାଲିଛି। ବିଧାୟକମାନେ ୪ ଗଜ ବା ୧୨ଫୁଟ ଦୂରରେ ବସିବେ। ସାମ୍ବାଦିକ ଓ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରୀକୁ ମଧ୍ୟ ବ୍ୟବହାର କରାଯିବ। ବୈଠକ ସମୟରେ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଏଭଳି ଭାବେ ସଂସଦ ଅଧିବେଶନ କରିବା ପାଇଁ ମଧ୍ୟ ଆଲୋଚନା ଚାଲିଛି । ବିଧାନସଭାର ସମସ୍ତ ବିବରଣୀକୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ଯୋଗାଇ ଦିଆଯିବ।ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଜୁଲାଇ ୨ତାରିଖରେ ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା। ବିଧାୟକ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ଚଳିତମାସରେ ହେବାକୁ ଥିବା ସମସ୍ତ କମିଟି ବୈଠକକୁ ବାତିଲ କରିଦିଆଯାଇଥିଲା। ତେବେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଚାହିଁଲେ ଏବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିପାରିବେ। ବିଭିନ୍ନ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ରହି ବିଧାୟକମାନେ ଏହି ବୈଠକରେ ସାମିଲ ହୋଇପାରିବେ।
ସେହିପରି ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ ବିଭାଗୀୟ ବିଧାନସଭା ଷ୍ଟାଣ୍ଡିଂ କମିଟି ଜୁଲାଇ ୨ତାରିଖରେ ବସିଥିଲା। ନୀଳଗିରି ଓ ସାଲେପୁର ବିଧାୟକ ଏହି ବୈଠକରେ ସାମିଲ ହୋଇଥିଲେ। ପରେ ଉଭୟ କରୋନା ପଜେଟିଭ୍ ବୋଲି ଚିହ୍ନଟ ହେବାପରେ ଷ୍ଟାଣ୍ଡିଂ କମିଟିର ସମସ୍ତ ବିଧାୟକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା। ସମସ୍ତ ବିଧାୟକଙ୍କର କୋଭିଡ-୧୯ ନମୂନା ନେଗେଟିଭ୍ ଆସିଥିବାରୁ ଷ୍ଟାଣ୍ଡିଂ କମିଟି ଆଶ୍ୱସ୍ତ ହୋଇଛି। ଏହି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ମିଶ୍ର ବୈଠକ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons