ପୁରୀ,(ବି.ବି.ବୁ୍ୟରୋ): ଏଣିକି ରବିବାର ବି ଜଗା ଦର୍ଶନ ମିଳିପାରିବ । ସେବାୟତ- ପ୍ରଶାସନ ବୈଠକରୁ ଏହି ତଥ୍ୟ ମିଳିଛି । ଜାନୁଆରୀରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା ହଟିଥିଲେ ମଧ୍ୟ ରବିବାର ଶ୍ରୀମନ୍ଦିର ବିଶୋଧନ ପାଇଁ ବନ୍ଦ କରାଯାଉଥିଲା । ଚଳିତ ମାସ ୧୪ ତାରିଖ ରବିବାରଠାରୁ ଭକ୍ତମାନେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ । ଆନନ୍ଦବଜାରରେ ମଧ୍ୟ ମହାପ୍ରସାଦ ସେବନ କରିପାରିବେ । କୋଭିଡ କଟକଣା ଲାଗୁ ପରେ ଆନନ୍ଦବଜାରରେ ମହାପ୍ରସାଦ ସେବନ ବାରଣ ଥିଲା । ଭକ୍ତମାନେ ଶ୍ରୀମନ୍ଦିର ବାହାରେ ରାସ୍ତାରେ ବସି ମହାପ୍ରସାଦ ଖାଉଥିଲେ । ଏନେଇ ଭକ୍ତ ମହଲରେ ଅସନ୍ତୋଷ ବଢୁଥିଲା । ଆଜିର ନିଷ୍ପତ୍ତି ଭକ୍ତଙ୍କୁ ଆନନ୍ଦିତ କରିଛି ।
ଚଳିତ ମାସ ୧୩ ତାରିଖ ଶନିବାର ମହାପ୍ରଭୁଙ୍କ ପଦ୍ମବେଶ । ପରିଦିନ ସକାଳେ ଭକ୍ତମାନେ ଏହି ବେଶ ଦର୍ଶନ କରିବାର ପରମ୍ପରା ରହିଆସିଛି । କାରଣ ବେଶ ସରିବା ବେଳକୁ ବିଳମ୍ବିତ ରାତି ହୁଏ । କିନ୍ତୁ, ଚଳିତବର୍ଷ ରବିବାରରେ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ ଜଣାପଡ଼ିବା ପରେ ଭକ୍ତ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ଏନେଇ ବୁଧବାର ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ସେବାୟତମାନେ ପ୍ରାରମ୍ଭିକ ଆଲୋଚନା କରିଥିଲେ । ଆଜି ବୈଠକ ପରେ ରାସ୍ତା ଖୋଲିଛି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସେବାୟତ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ପଷ୍ଟ କରିଛନ୍ତି ଯେ, ରବିବାର କଟକଣା ହଟାଯାଇଛି କିନ୍ତୁ, ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତମାନେ ମାସ୍କ ପିନ୍ଧିବାକୁ ବାଧ୍ୟ । ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ବିଶୋଧିତ କରିବେ ଓ ସାମାଜିକ ଦୂରତ୍ୱ ରକ୍ଷା କରିବେ । ଶ୍ରୀମନ୍ଦିରରେ ପାନ ବା ଗୁଟଖା ଖାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏଭଳି କରୁଥିବା ଧରାପଡ଼ିଲେ ୧ହଜାର ଟଙ୍କା ଜରିମାନା ଆଦାୟ ହେବ । ଶ୍ରୀମନ୍ଦିରକୁ ପଲିଥିନ ନେବା ବ୍ୟାନ କରାଯାଇଛି । ଏହାର ଉଲ୍ଲଙ୍ଘନ ପାଇଁ ଶହେ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି । ସହରବାସୀଙ୍କ ପାଇଁ ସକାଳ ୬ଟାରୁ ୭ ମିଳୁଥିବା ସ୍ୱତନ୍ତ୍ର ଦର୍ଶନ ସୁବିଧାକୁ ବନ୍ଦ କରାଯାଇଛି । ସହରବାସୀ ଅନ୍ୟ ଭକ୍ତଙ୍କ ଭଳି ଦର୍ଶନ କରିବେ । ଜୋତାଷ୍ଟାଣ୍ଡ ପାଖ ବ୍ୟାରିକେଡ୍ ଦେଇ ଭକ୍ତମାନେ ଧାଡ଼ିରେ ଶ୍ରୀମନ୍ଦିର ପ୍ରବେଶ କରିବେ । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଓ ଅନ୍ୟ ଦ୍ୱାରଗୁଡ଼ିକ ଦେଇ ବାହାରିବେ । ଯେଉଁ ଭକ୍ତମାନେ ନିଜ ଜିନିଷପତ୍ର, ଲଗେଜ ଓ ଅନ୍ୟ ସାମଗ୍ରୀ ଶ୍ରୀମନ୍ଦିର ଉତ୍ତର ପୂର୍ବଦ୍ୱାର ଷ୍ଟାଣ୍ଡରେ ରଖିଥିବେ ସେମାନେ ଉତ୍ତର ଦ୍ୱାର ( ହାତୀ ଦ୍ୱାର) ଦେଇ ବାହାରିଲେ ସୁବିଧାରେ ଜିନିଷ ନେଇପାରିବେ ବୋଲି ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁବିଧା ଉଦେ୍ଧଶ୍ୟରେ ବାର୍ତ୍ତା ଦିଆଯାଇଛି । ସପ୍ତାହରେ ୩ ଥର ରାତିରେ ଶ୍ରୀମନ୍ଦିର ବିଶୋଧନ ହେବ ବୋଲି ସୂଚନା ଦିଆଯାଇଛି । ନିୟମିତ ବ୍ୟବଧାନରେ ଏହି ଏସଓପିର ସମୀକ୍ଷା ହେବ ଓ ପରିବର୍ତ୍ତନ ଅଣାଯିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଆନନ୍ଦବଜାର ମଣ୍ଡପ ତଥା ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନକୁ ୨୦୨୦ ମାର୍ଚ୍ଚ ୨୨ରୁ ବନ୍ଦ ରଖାଯାଇଥିଲା । ଦୀର୍ଘ ସାଢେ଼ ଦର୍ଶ ମାସ ପରେ ଆନନ୍ଦବଜାର ପୂର୍ବ ଭଳି ଭକ୍ତଙ୍କ କୋଳାହଳରେ ଭରିଯିବ । ଆସନ୍ତାକାଲିଠାରୁ ଆନନ୍ଦବଜାରରେ ଭକ୍ତମାନେ ବସି ମହାପ୍ରସାଦ ସେବନ କରିପାରିବେ ।


Comments are closed, but trackbacks and pingbacks are open.