ସେବାୟତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଶ୍ରୀମନ୍ଦିରରେ ସେବାୟତଙ୍କ ସଂଖ୍ୟା କମିବ । ଦାନ ଦକ୍ଷିଣା କେହି ନେବେ ନାହିଁ । ବଂଶଗତ ସେବା ଅସୁରକ୍ଷିତ । ଏହି ତିନି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନେ ବିପଦ ମଣୁଛନ୍ତି । ଏହି ତିନି ବ୍ୟବସ୍ଥା ନେଇ ପ୍ରଶାସନ କିଛି ତଥ୍ୟ ସୁପ୍ରମକୋର୍ଟରେ ଦାଖଲ କରିଥିବାର ସେବାୟତ ତଥ୍ୟ ପାଇଛନ୍ତି । ଏଭଳି ସମ୍ଭାବ୍ୟ ବିପଦକୁ ଏଡ଼ାଇବାକୁ ସେବାୟତମାନେ ଅଣ୍ଟା ଭିଡ଼ିଛନ୍ତି ।
ଏହି ସେବାୟତ ମାରଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାକୁ ଶ୍ରୀମନ୍ଦିର ସେବକମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ନିଯୋଗ ପକ୍ଷରୁ ଇତିମଧ୍ୟରେ ଭିନ୍ନ ପିଟିସନ କରାଯାଇଛି । ସେହିଭଳି ଛତିଶା ନିଯୋଗ ପକ୍ଷରୁ ମଧ୍ୟ ଏହି ତିନି ବିପଦ ଟାଳିବାକୁ ଏକ ପ୍ରତିନିଧି ଦଳ ଆସନ୍ତା କାଲି ନୂଆଦିଲ୍ଳୀ ଯାତ୍ରା କରିବେ । ଏହି ଗୋଷ୍ଠୀରୁ ସୂଚନା ମିଳିଛି ଅଗଷ୍ଟ ୨ ତାରିଖରେ ଶ୍ରୀମନ୍ଦିର ସଂସ୍କାର ନେଇ ଚାଳିଥିବା ମୂଳ ମାମଲାର ଶୁଣାଣି ତାରିଖ ଅଛି । ଏହି ଶୁଣାଣି ତାରିଖରେ ସମସ୍ତ ନିଯୋଗ ପିଟିସନ ଏବଂ ଛତିଶା ନିଯୋଗ ପ୍ରତିନିଧିଙ୍କ ତରଫରୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହେବ ବୋଲି ସୂଚନା ମିଳିଛି । ଛତିଶା ନିଯୋଗ ପ୍ରତିନିଧିମାନଙ୍କ ନେତୃତ୍ୱ ନେଇଛନ୍ତି ବରିଷ୍ଠ ଦାଇତାପତି ବିନାୟକ ଦାସମହାପାତ୍ର । ସେ କହିଛନ୍ତି ଅଗଷ୍ଟ ୨ରେ ସେବାୟତମାନେ ଶ୍ରୀମନ୍ଦିର ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମୂଳ ମାମଲାରେ ପକ୍ଷଭୁକ୍ତ ହୋଇ ସେମାନଙ୍କ ପକ୍ଷକୁ ଉପସ୍ଥାପନ କରିବେ ।
ସୁପ୍ରିମକୋର୍ଟଙ୍କ ୧୨ ଦଫା ନିର୍ଦ୍ଦେଶରେ ଶ୍ରୀମନ୍ଦିରରେ ଦାନ ଦକ୍ଷିଣା ମାଗିବା ବନ୍ଦ, ବଂଶଗତ ସେବା ପରମ୍ପରା ଉଚ୍ଛେଦ ଭଳି ପ୍ରସ୍ତାବ ରହିଛି । ବଂଶଗତ ଅଧିକାରକୁ ସୁରକ୍ଷା ଚାହିଁଲେ ଶ୍ରୀମନ୍ଦିର ପ୍ରଶାସନ ସର୍ତ୍ତ ରଖିଛି ଶ୍ରୀମନ୍ଦିରର ସମସ୍ତ ନିଯୋଗ ସେମାନଙ୍କ ସଦସ୍ୟଙ୍କ ଠାରୁ ଅଣ୍ଡରଟେକିଂ ମାଗିଛି । ଅଣ୍ଡରଟେକିଂରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା କରିବେ ନାହିଁ, ଦର୍ଶନାର୍ଥୀଙ୍କୁ ଉତ୍ତମ ବ୍ୟବହାର କରିବେ, ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ ଆଦି ସର୍ତ୍ତାବଳୀ ରହିଛି । ଏଭଳି ଅଣ୍ଡର ଟେକିଂ ଦେବାକୁ ସମସ୍ତ ନିଯୋଗ ଅମଙ୍ଗ ଅଛନ୍ତି । କାରଣ ନିଯୋଗର କୌଣସି ସଦସ୍ୟ କେତେବେଳେ କ’ଣ କେଉଁଠି କରିବ ତାହା ଉପରେ ନଜର ରଖିବା ନିଯୋଗର କାମ ନୁହେଁ ବୋଲି କର୍ମକର୍ତ୍ତାମାନେ ସ୍ପଷ୍ଟ ଭାବେ ପ୍ରଶାସନକୁ ଜଣାଇ ଦେଇଛନ୍ତି । ତଦ୍ଦ୍ୱାରା ସେବାୟତଙ୍କ ଦ୍ୱାରା ଅଣ୍ଡରଟେକିଂ ଦେବା ପ୍ରକ୍ରିୟା ଅଟକି ରହିଛି । ସେହିଭଳି ବଂଶଗତ ସେବାର ସୁରକ୍ଷା ପ୍ରସଂଗରେ ବିକଳ୍ପ ରୂପେ ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତି ସମ୍ପାଦନ କ୍ଷେତ୍ରରେ ସେବାୟତଙ୍କ ସଂଖ୍ୟା କମାଇବାକୁ ମଧ୍ୟ ପ୍ରଶାସନ ବିଚାର କରୁଛି ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଅନ୍ୟ ସୁପାରିସଗୁଡିକ ଉପରେ ମୋଟାମୋଟି ଭାବେ ସେବାୟତଙ୍କ ମହଲରେ ସେମିତି କିଛି ସମ୍ମିଳିତ ବିରୋଧର ମାତ୍ରା କମ୍ ରହିଛି । ଶ୍ରୀମନ୍ଦିର ରୋଷଘର ଚୁଲିକୁ ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେବା, ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ, ଶ୍ରୀମନ୍ଦିର ପରିବେଶ ପରିମଳ, ଦର୍ଶନାର୍ଥୀଙ୍କ ପାଇଁ ଶୌଚାଳୟ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ସଂଖ୍ୟା କମାଇବା, ଉପାର୍ଜନ, ଆୟବ୍ୟୟର ହିସାବ ଅଡିଟ୍ କରାଇବା ଆଦି ଉପରେ ପ୍ରଶାସନ କ’ଣ ପଦକ୍ଷେପ ନେଇଛି ତାହାର ବିବରଣୀ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟରେ ଦାଖଲ କରିଛି । ତେବେ ବଂଶଗତ ସେବା ଉଚ୍ଛେଦ, ଦାନ ଦକ୍ଷିଣା ବନ୍ଦ ଭଳି ସୁପାରିସକୁ ସେବାୟତମାନେ ବିପଦ ମଣୁଛନ୍ତି । ଏହି କାରଣରୁ ବିଭିନ୍ନ ନିଯୋଗ ପକ୍ଷରୁ ଭିନ୍ନ ମତାମତ ଉପସ୍ଥାପନ ହୋଇଥିବା ବେଳେ ଛତିଶା ନିଯୋଗ ପକ୍ଷରୁ ମଧ୍ୟ ଏହି ଦୁଇ ବିପଦକୁ ଟାଳିବାକୁ ମାମଲାରେ ପକ୍ଷଭୁକ୍ତ ହେବାକୁ ପିଟିସନ ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୨ ତାରିଖରେ ଏହି ମାମଲାର ଶୁଣାଣି ବେଳେ ପ୍ରକୃତ ଚିତ୍ର ପଦାକୁ ଆସିବା ଆଶା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons