ଲଣ୍ଡନ: ୱିମ୍ବଲଡନ୍ର ଷଷ୍ଠ ଦିବସରେ ସିଡେଡ୍ ଖେଳାଳିଙ୍କ ବିଜୟ ଧାରା ବଳବତ୍ତର ରହିଛି । ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ ଆସ୍ଲେ ବାର୍ଟି, ୧୧ତନ ସିଡ୍ ସେରେନା ୱିଲିୟମ୍ସ, ଷଷ୍ଠ ସିଡ୍ ପେଟ୍ରା ଭିଟୋଭା ସହଜ ବିଜୟ ସହ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ତୃତୀୟ ସିଡ୍ ରାଫେଲ୍ ନାଦାଲ୍ ଓ ଅଷ୍ଟମ ସିଡ୍ କି ନିଶିକୋରୀ ବିଜୟ ଧାରା ଜାରି ରଖି ଆଗକୁ ବଢ଼ିଛନ୍ତି ।
ମହିଳା ସିଙ୍ଗଲ୍ସ: ୨୩ ଥର ଗ୍ରାଣ୍ଡସ୍ଲାମ ବିଜୟୀନି ସେରେନା ୱିଲିୟମ୍ସ ତୃତୀୟ ରାଉଣ୍ଡରେ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ସେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ୧୮ତମ ସିଡ୍ ଜର୍ମାନୀର ଜୁଲିଆ ଜର୍ଜେସ୍ଙ୍କୁ ସିଧାସଳଖ ୬-୩, ୬-୪ ସେଟ୍ରେ ପରାସ୍ତ କରିଥିଲେ । ମାତ୍ର ଏକ ଘଣ୍ଟା ୧୨ ମିନିଟ୍ ମଧ୍ୟରେ ସେରେନା ଏହି ବିଜୟ ହାସଲ କରିଥିଲେ । ଅଷ୍ଟ୍ରେଲିଆ ଷ୍ଟାର୍ ଆସ୍ଲେ ବାର୍ଟି ତୃତୀୟ ରାଉଣ୍ଡରେ ଇଂଲଣ୍ଡର ହାରିଏଟ୍ ଡାର୍ଟଙ୍କୁ ଭେଟିଥିଲେ । ମାତ୍ର ୫୩ ମିନିଟ୍ର ମ୍ୟାଚ୍କୁ ବାର୍ଟି ସିଧାସଳଖ ୬-୧, ୬-୧ ସେଟ୍ର ଜିତି ପ୍ରି-କ୍ୱାର୍ଟରରେ ସ୍ଥାନ ପକ୍କା କରିଥିଲେ ।
ଚେକ ଗଣରାଜ୍ୟର ପେଟ୍ରା ଭିଟୋଭା ମଧ୍ୟ ସହଜ ବିଜୟ ସହ ଆଗକୁ ବଢ଼ିଥିଲେ । ସେ ତୃତୀୟ ରାଉଣ୍ଡରେ ପୋଲାଣ୍ଡର ମାଗ୍ଦା ଲିନେଟେଙ୍କୁ ୬-୩, ୬-୨ ସେଟ୍ରେ ମାତ୍ ଦେଇଥିଲେ । ତାଙ୍କୁ ଏହି ମ୍ୟାଚ୍ ଜିତିବାକୁ ଏକ ଘଣ୍ଟା ୯ ମିନିଟ୍ ଲାଗିଥିଲା । ଅପରପକ୍ଷରେ ୧୩ତମ ସିଡ୍ ବେଲିଣ୍ଡା ବେନକିକ୍ ଓ ୧୫ତମ ସିଡ୍ ଚୀନ୍ର କ୍ୱିଆଙ୍ଗ୍ ୱାଙ୍ଗ୍ ପରାଜୟର ସାମ୍ନା କରିଥିଲେ । ୱାଙ୍ଗ୍ ୨-୬, ୭-୬(୧୧-୯), ୪-୬ ସେଟ୍ରେ ବେଲଜିୟମ୍ର ଏଲିସ୍ ମାର୍ଟେନ୍ସଙ୍କ ଠାରୁ ପରାଜିତ ହୋଇଥିଲେ । ସେହିପରି ସ୍ୱିଜରଲାଣ୍ଡର ବେଲିଣ୍ଡା ବେନକିକ୍ ୬-୪, ୪-୬, ୪-୬ ସେଟ୍ରେ ଅଣସିଡେଡ୍ ଖେଳାଳି ଆମେରିକାର ଆଲିସନ୍ ରିସ୍କେଙ୍କ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ ।
ପୁରୁଷ ସିଙ୍ଗଲ୍ସ: ୧୮ ଥର ଗ୍ରାଣ୍ଡସ୍ଲାମ ବିଜେତା ସହଜ ବିଜୟ ସହ ପ୍ରି-କ୍ୱାର୍ଟରରେ ସ୍ଥାନ ସୁନିଶ୍ଚିତ କରିଛନ୍ତି । ସେ ତୃତୀୟ ରାଉଣ୍ଡରେ ଫ୍ରାନ୍ସର ଜୋ ୱିଲିଫ୍ରିଡ୍ ସୋଙ୍ଗାଙ୍କୁ ସିଧାସଳଖ ୬-୨, ୬-୩, ୬-୨ ସେଟ୍ରେ ପରାସ୍ତ କରିଥିଲେ । ତାଙ୍କୁ ଏହି ମ୍ୟାଚ୍ ଜିତିବାକୁ ଏକ ଘଣ୍ଟା ୪୮ ମିନିଟ୍ ଲାଗିଥିଲା । ଅନ୍ୟ ଏକ ମ୍ୟାଚ୍ରେ ଜାପାନ୍ର ତାରକା ଖେଳାଳି କି ନିଶିକୋରୀ ଆମେରିକାର ଷ୍ଟିଭ୍ ଜନସନ୍ଙ୍କୁ ସିଧାସଳଖ ୬-୨, ୬-୩, ୬-୨ ସେଟ୍ରେ ହରାଇଥିଲେ । ସେହିପରି ସାମ୍ କ୍ୱେରୀ ଅଷ୍ଟ୍ରେଲିଆର ଜନ୍ ମିଲ୍ମ୍ୟାନ୍ଙ୍କୁ ଭେଟିଥିଲେ । ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ କ୍ୱେରୀ ୭-୬(୭-୩), ୭-୭(୧୦-୮), ୬-୩ ସେଟ୍ରେ ବିଜୟୀ ହୋଇ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଥିଲେ ।
ପୂର୍ବରୁ ପଞ୍ଚମ ଦିବସରେ ୧୫ ଥର ଗ୍ରାଣ୍ଡସ୍ଲାମ ବିଜେତା ନୋଭାକ୍ ଜୋକୋଭିକ୍ଙ୍କୁ ତୃତୀୟ ରାଉଣ୍ଡ ବିଜୟ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା । ସେ ୩ ଘଣ୍ଟାର ଘମାଘୋଟ ଲଢ଼େଇ ପରେ ପୋଲାଣ୍ଡର ହୁର୍ବଟ୍ ହୁର୍କାଜ୍ଙ୍କୁ ୭-୫, ୬-୭(୫-୭), ୬-୧, ୬-୪ ସେଟ୍ରେ ପରାସ୍ତ କରିଥିଲେ ।
Comments are closed, but trackbacks and pingbacks are open.