ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍) ଓ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)ର ମିଶ୍ରଣ ହେବ । ଏନ୍ଆଇଏନ୍ଏଲ୍କୁ ଅଧିଗ୍ରହଣ କରିନେବ ସେଲ୍ । ଏ ନେଇ ରହିଥିବା ସମସ୍ତ ପ୍ରତିବନ୍ଧକ ଦୂରେଇ ଯାଇଛି । ଏମ୍ଏମ୍ଟିସି ଲିମିଟେଡ୍ ଏଥିପାଇଁ ଶେଷରେ ସବୁଜ ସଂକେତ ଦେଇଛି । ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖାଯାଇ ସାନି ପ୍ରସ୍ତାବ ଉପସ୍ଥାପନ କରାଯାଇଛି ।
ପୂର୍ବରୁ ଏନ୍ଆଇଏନ୍ଏଲ୍କୁ ଅଧିଗ୍ରହଣ ପାଇଁ ସେଲ୍ ଅନେକ ବାର ଆଗ୍ରହ ଦେଖାଇଥିଲା । ଅନେକ ଥର ପ୍ରସ୍ତାବ ବି ଦେଇଥିଲା । କିନ୍ତୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ୨୦୧୨ ଜୁଲାଇରେ ଉକ୍ତ ପ୍ରସ୍ତାବଗୁଡ଼ିକୁ ନାକଚ କରିଦେଇଥିଲା । ଏନ୍ଆଇଏନ୍ଏଲ୍ର ମୁଖ୍ୟ ପୃଷ୍ଠପୋଷକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍ଏମ୍ଟିସି ଲିମିଟେଡ୍ ଉକ୍ତ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ଅଧିଗ୍ରହଣ ହୋଇପାରି ନଥିଲା । ଏବେ ଏନ୍ଆଇଏନ୍ଏଲ୍ରୁ ବାହାରିଯିବା ପାଇଁ ଏମ୍ଏମ୍ଟିସି ନିଷ୍ପତ୍ତି ନେଇଥିବାରୁ ଅଧିଗ୍ରହଣ ବାଟ ପରିଷ୍କାର ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଚିଠି ଲେଖି ଭାରତୀୟ ଇସ୍ପାତ କାର୍ଯ୍ୟନିର୍ବାହୀ ସଂଘ (ଏସ୍ଇଏଫ୍ଆଇ)ର ସାଧାରଣ ସମ୍ପାଦକ ବିମଲ କୁମାର ବିସି ଏହି ଅଧିଗ୍ରହଣ ପ୍ରସ୍ତାବ କଥା ପୁନର୍ବାର ଉଠାଇଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ସେଲ୍ ବଡ଼ଧରଣର ସମ୍ପ୍ରସାରଣ ଯୋଜନା ହାତକୁ ନେଇଛି । ଏହାର ଉତ୍ପାଦନ କ୍ଷମତା ଏବେ ୨୧.୪୨ ନିୟୁତ ଟନ୍ ରହିଥିବା ବେଳେ ୨୦୩୧ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ଏହାକୁ ୫୦ ନିୟୁତ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ ଓଡ଼ିଶାରେ ସେଲ୍ ୩ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଦ୍ୱିତୀୟ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି । ବର୍ତ୍ତମାନ ୧ ନିୟୁତ ଟନ୍ ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ଲାଣ୍ଟ ପାଇଁ ପାଖାପାଖି ୬,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏହା ବାଦ୍ ଜମି ଅଧିଗ୍ରହଣ, ଭିତ୍ତିଭୂମି ବିକାଶ ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହା ଏତେ ସହଜ ନୁହେଁ ।
ପ୍ଲାଣ୍ଟ ନିର୍ମାଣ, ଜଳ ଯୋଗାଣ, ରେଳଲାଇନ୍ ଓ ପାଚେରି ନିର୍ମାଣ ଭଳି ଭିତ୍ତିଭୂମି କାର୍ଯ୍ୟ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ବ୍ୟାପାର । ଏହି କାରଣରୁ ପାରାଦୀପରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଫେଲ୍ ମାରିଥିଲା । ଏଭଳି ସ୍ଥିତିରେ ଓଡ଼ିଶାରେ କାର୍ଯ୍ୟକ୍ଷମ ଅବସ୍ଥାରେ ଥିବା ଏନ୍ଆଇଏନ୍ଏଲ୍କୁ ଅଧିଗ୍ରହଣ କରାଯିବା ଦ୍ୱାରା ସେଲ୍ର ସମ୍ପ୍ରସାରଣ କାର୍ଯ୍ୟ ଠିକ୍ ବାଟରେ ଯିବ ବୋଲି ପ୍ରସ୍ତାବରେ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଏମ୍ଏମ୍ଟିସି ଲିମିଟେଡ୍, ଇପିକଲ୍ ଏବଂ ଓଏମ୍ସି ଲିମିଟେଡ୍ର ଯୌଥ ଉଦ୍ୟୋଗରେ ଏନ୍ଆଇଏନ୍ଏଲ୍ ସ୍ଥାପନ କରାଯାଇଥିଲା । ଏଥିରେ ଏମ୍ଏମ୍ଟିସି ପ୍ରମୁଖ ପ୍ରମୋଟର ସଂସ୍ଥା ରହିଛି । ଏହି ସମନ୍ୱିତ ଇସ୍ପାତ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୧.୧ ନିୟୁତ ଟନ୍ ରହିଛି ।
ଚିଠିରେ ଆହୁରି ଦର୍ଶାଯାଇଛି ଯେ ସେଲ୍ ପୂର୍ବରୁ ୨୦୦୭, ୨୦୧୦ ଓ ୨୦୧୪ରେ ଏନ୍ଆଇଏନ୍ଏଲ୍କୁ ଅଧିଗ୍ରହଣ କରିବାକୁ ଚେଷ୍ଟା କରିଛି । କିନ୍ତୁ ପ୍ରତିଥର ଏହା ବିଫଳ ହୋଇଛି । ବିଭିନ୍ନ କାରଣ ଏଥିରେ ବାଧକ ସାଜିଥିଲା । ୨୦୦୭ ମେ ମାସରେ ପ୍ରମୋଟରମାନଙ୍କୁ ୧,୦୦୦ କୋଟି ଟଙ୍କା ଦେଇ ଏନ୍ଆଇଏନ୍ଏଲ୍କୁ କିଣିବାକୁ ସେଲ୍ ଚାହୁଁଥିଲା । କିନ୍ତୁ ତାହା ସମ୍ଭବ ହୋଇନଥିଲା, ଯେବେ କି ୧୯୮୨ରେ ସେଲ୍ ଦ୍ୱାରା ଏନ୍ଆଇଏନ୍ଏଲ୍ ସ୍ଥାପନ ହୋଇଥିଲା ।
ବର୍ତ୍ତମାନ ଏମ୍ଏମ୍ଟିସି ଏହାର ନିଷ୍ପତ୍ତି ବଦଳାଇଥିବାରୁ ଏନ୍ଆଇଏନ୍ଏଲ୍କୁ ସେଲ୍ ଅଧିଗ୍ରହଣ କରିପାରିବ । ଏହାଦ୍ୱାରା ସେଲ୍ ନିଜ ସମ୍ପ୍ରସାରଣ ଲକ୍ଷ୍ୟ ପୂରଣ କରିପାରିବ । ସମ୍ପ୍ରସାରଣ ଲକ୍ଷ୍ୟ ପୂରଣ କରିବା ଲାଗି ଏନ୍ଆଇଏନ୍ଏଲ୍ର ସାମର୍ଥ୍ୟ ରହିଛି । ୧.୧ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଏନ୍ଆଇଏନ୍ଏଲ୍ ନିକଟରେ ୨,୫୦୦ ଏକର ନିର୍ବିବାଦୀୟ ଜମି ରହିଛି, ଯଦ୍ଦ୍ୱାରା ଉତ୍ପାଦନ କ୍ଷମତା ୫ ନିୟୁତ ଟନ୍କୁ ବଢ଼ିଲେ ବି କୌଣସି ଅସୁବିଧା ହେବନାହିଁ । ସେଲ୍ ଏବଂ ଆର୍ଆଇଏନ୍ଏଲ୍ ଏହାଠାରୁ ନିୟମିତ ଭାବେ କୋକ୍ କ୍ରୟ କରୁଛନ୍ତି । ଏହାର ଷ୍ଟିଲ୍ ମେଲ୍ଟିଂ ସପ୍ (ଏସ୍ଏମ୍ଏସ୍) ରହିଛି, ଯେଉଁଥିରେ ୧୧ ଟନ୍ କନ୍ଭର୍ଟର, ୬ ଷ୍ଟ୍ରାଣ୍ଡ ବିଲେଟ୍ କାଷ୍ଟର, ଆର୍ଗନ୍ ରିନ୍ଜିଙ୍ଗ୍ ଷ୍ଟେସନ୍ ଏବଂ ଆହୁରି ଅନେକ ୟୁନିଟ୍ ରହିଛି ।
ଏହାବ୍ୟତୀତ ଏନ୍ଆଇଏନ୍ଏଲ୍ ନିକଟରେ ଉନ୍ନତ ରେଳ ଓ ସଡ଼କ ସଂଯୋଗ ବ୍ୟବସ୍ଥା ରହିଛି । ଖରସୁଆଁ ନଦୀରୁ ଏହାର ନିଜସ୍ୱ ଜଳଯୋଗାଣ ବ୍ୟବସ୍ଥା ରହିଛି । ପାରାଦୀପ ଠାରୁ ଏହା ବେଶି ଦୂରରେ ନଥିବାରୁ ରପ୍ତାନି କୈନ୍ଦ୍ରିକ ଉତ୍ପାଦନ ବ୍ୟବସ୍ଥା ସମ୍ଭବ ହୋଇପାରିବ । ତା’ଛଡ଼ା କମ୍ ସଂଖ୍ୟକ ସ୍ଥାୟୀ ଶ୍ରମଶକ୍ତି ରହିଛି (ପାଖାପାଖି ୧,୫୫୦) । ଖାଲି ସେତିକି ନୁହେଁ, ଲୁହାପଥର ଓ କୋଇଲା ଖଣି ନିକଟରେ ଏହା ରହିଛି । ସବୁଠୁ ବଡ଼ କଥା ହେଉଛି ଏହା ନିକଟରେ ୮୭୪.୨୯ ହେକ୍ଟର ବ୍ୟାପୀ କ୍ୟାପ୍ଟିଭ୍ ଖଣି ଅଛି । ଖଣି ଲିଜ୍ ଅବଧି ୫୦ ବର୍ଷ ରହିଛି । ଏହି ଖଣିଗୁଡ଼ିକରୁ ଉତ୍ପାଦନ ଦ୍ୱାରା ଏନ୍ଆଇଏନ୍ଏଲ୍ କଞ୍ଚାମାଲ ବାବଦରେ ୧ ନିୟୁତ ଟନ୍ ଉତ୍ପାଦନ ପିଛା ୨୫୦ କୋଟି ଟଙ୍କା ସଞ୍ଚୟ କରିପାରିବ ବୋଲି ଦର୍ଶାଯାଇଛି ।
Comments are closed, but trackbacks and pingbacks are open.