ସୋର: ଜଣେ ବିଚାରାଧୀନ ଯୁବ କଏଦୀଙ୍କର ସନେ୍ଦହଜନକ ଅବସ୍ଥାରେ ମୃତୁ୍ୟ ହୋଇଛି । ଗତ ମଙ୍ଗଳବାର ରାତିରେ ବାଲେଶ୍ୱର ଜିଲ୍ଲା ସୋର ଜେଲରେ ଘଟିଛି ଏପରି ଅଘଟଣ । ତାଙ୍କ ବାପା ସର୍ବେଶ୍ୱର ପୁଅ କମଳାକାନ୍ତକୁ ହତ୍ୟା କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଧୀନ ବାଲିମେଦ ପଞ୍ଚାୟତ ଅନ୍ତର୍ଗତ ଅପର୍ତ୍ତିପୁର ଗ୍ରାମର ସର୍ବେଶ୍ୱର ବାରିକଙ୍କ ପୁଅ କମଳାକାନ୍ତ (୨୭) ଭଦ୍ରକ ଜେଲରେ ବିଚାରାଧୀନ କଏଦୀ ଥିଲେ । କରୋନା କଟକଣା ପାଇଁ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ଉପଲକ୍ଷେ ତାଙ୍କୁ ସୋର ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା ।
ଘଟଣାରୁ ପ୍ରକାଶ, କମଳାକାନ୍ତ ଗତ କିଛି ମାସ ତଳେ ପ୍ରେମ ବିବାହ କରିଥିଲେ । ପରେ ପତ୍ନୀଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ଶ୍ୱଶୁର ଘର ଲୋକଙ୍କ ଅଭିଯୋଗ ମୂଳେ ସେ କେସ୍ ନଂ ୯୮/୨୦୨୦ରେ ଗିରଫ ହୋଇ ଭଦ୍ରକ ଜେଲରେ ବିଚାରାଧୀନ କଏଦୀ ଥିଲେ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସେ ବେକରେ ଗାମୁଛା ଦେଇ ଗ୍ରୀଲ ଗେଟ୍ରେ ଝୁଲି ପଡ଼ିଥିବା ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିଥିଲେ । ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ସୋର ଥାନା ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତି ସୋର ଡାକ୍ତରଖାନା ଓ ଜେଲ ପରିସରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏ ବାବଦରେ ଏକ ମାମଲା ରୁଜୁ ହୋଇଛି । ଅପରପକ୍ଷେ ମୃତ କମଳାକାନ୍ତ ପରିବାର ପକ୍ଷରୁ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରାଯାଇଛି । ସୋର ତହସିଲଦାର ଡ. ଅଶୋକ କୁମାର ଦାସ, ବାରିପଦା ଜେଲ ଅଧୀକ୍ଷକ ଓ ଭଦ୍ରକ ଜେଲ ଅଧୀକ୍ଷକ ଋଷିନାଥ ନାୟକ ସୋର ଜେଲ ପରିସରକୁ ଆସି ଘଟଣାର ତଦନ୍ତ କରୁଛନ୍ତି । କମଳାକାନ୍ତଙ୍କ ମୁଣ୍ଡରେ କ୍ଷତ ଚିହ୍ନ ସହ ବେକରେ ରଶି ଚିହ୍ନ ରହିଛି । ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ³ ମୃତ କମଳାକାନ୍ତଙ୍କ ସାନ ଭାଇ ଦୁଃଶାସନ ମଧ୍ୟ ଜଣେ ବିଚାରାଧୀନ କଏଦୀ ଭାବେ ଏହି ଜେଲରେ ଅଛନ୍ତି । ତାଙ୍କ ବାପା ସର୍ବେଶ୍ୱର ପୁଅ କମଳାକାନ୍ତକୁ ହତ୍ୟା କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥି ସହ ସାନ ପୁଅ ଦୁଃଶାସନର ସୁରକ୍ଷା ପାଇଁ ତାକୁ ଭଦ୍ରକ ଜେଲକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.