ଜୟପୁର,(ବି.ବି.ନ୍ୟୁଜ୍): ପଢିବାକୁ ଯାଇଥିଲେ ସ୍କୁଲ । ହେଲେ ଛାତ୍ରୀ ଜଣକୁ ଝୁଣି ପକାଇଛନ୍ତି କୁକୁର । ଆକ୍ରମଣରେ ବାମପାଖ କପାଳ ଏବଂ ଆଖି ପାଖରୁ ମାଂସ ବାହାରି ପଡିଛି । ଏହାବାଦ୍ ଗୋଡ ଏବଂ ଶରୀରର ଅନ୍ୟାନ୍ୟ ଅଂଶ ଖଣ୍ଡିଆଖାବରା ହୋଇଯାଇଛି । ଆହତ ଛାତ୍ରୀ ଜଣକ ହେଉଛି କୋଟପାଡ ବ୍ଲକ ଘୁମର ପଞ୍ଚାୟତ ଅଁଳାଭଟ୍ଟାର ଧରମୁ ବାଗରିଆଙ୍କ ୮ ବର୍ଷର ଝିଅ ମମତା ବାଗରିଆ । ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ଧରମୁଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ମମତା ଘର ପାଖରେ ଥିବା ଅଁଳାଭଟ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲା । ଅନ୍ୟ ୨ ଜଣ ମଧ୍ୟ ତା ସାଙ୍ଗରେ ଯାଇଥିଲେ । ସ୍କୁୁଲ ଝରକା ପାଖରେ ବ୍ୟାଗ୍ ରଖି ବାରଣ୍ଡା ଦେଇ ଆସୁଥିବା ବେଳେ ପରିସର ଭିତରେ ୪ଟି କୁକୁର ତାକୁ କାମୁଡିବାକୁ ଗୋଡାଇଥିଲେ । ଦୌଡିବା ବେଳେ ଝୁଣ୍ଟି ତଳେ ପଡିଯିବା ପରେ କୁକୁରମାନେ ଆକ୍ରମଣ କରିଥିଲେ । ବାମ ଆଖି ଉପରକୁ କାମୁଡି ଚମଡା ଓ ମାଂସ କାଢି ନେଇଥିଲେ । ଚିକ୍ରାର ଶୁଣି ପାଖରେ ଯାଉଥିବା ଗାଁର ଜଣେ ଲୋକ ତାକୁ କୁକୁର ମୁହଁରୁ ଉଦ୍ଧାର କରିଥିଲେ । ଖବର ପାଇ ପରିବାର ଲୋକେ ପହଞ୍ଚି ତାକୁ କୋଟପାଡ ଡାକ୍ତରଖାନା ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ସେହିପରି ବୈପାରିଗୁଡା ବ୍ଲକ ଦୋରାଗୁଡାର ଗୌର ଦୋରାଙ୍କ ୭ ବର୍ଷର ପୁଅ ପବିତ୍ର କୁକୁର କାମୁଡାର ଶିକାର ହୋଇଛି । ରବିବାର ସକାଳେ ପାଖ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ୫ଟି କୁକୁର ତାକୁ ଆକ୍ରମଣ କରିଥିଲେ । ତଳେ ପକେଇ ଗଡେଇତଡେଇ କାମୁଡି ରକ୍ତାକ୍ତ କରିଦେଇଥିଲେ । ପରିବାର ଲୋକେ ତାକୁ ଉଦ୍ଧାର କରି ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । ପବିତ୍ର ଦୋରାଗୁଡା ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ର ।
Comments are closed, but trackbacks and pingbacks are open.