ବାଙ୍ଗିରିପୋଷି,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ପଥଚାରୀଙ୍କ ପାଇଁ ଏବେ କାଳ ପାଲଟିଛି । ପ୍ରତ୍ୟହ ଦୁର୍ଘଟଣା ଘଟିବା ଫଳରେ ସାଧାରଣରେ ଆତଙ୍କ ଖେଳିଯାଉଛି । ଲକ୍ଡାଉନ୍ ପାଇଁ ବିଭିନ୍ନ ପ୍ରକାର ଯାନବାହନ ଚଳାଚଳ ଉପରେ ରୋକଥିଲା । ଲକ୍ଡାଉନ୍ କୋହଳ ପରେ ଏହି ରାସ୍ତାରେ ପୂର୍ବପରି ଗାଡ଼ିମୋଟର ଯିବା ଆସିବା ବୃଦ୍ଧି ପାଇଛି । ଫଳରେ ପୁଣିଥରେ ମୁଣ୍ଡ ନେଇଛି ଘାଟି ରାସ୍ତା । ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଅଟୋକୁ ପଛ ପଟୁ ଧକ୍କାଦେଇ ମାଲବାହୀ ଟ୍ରକ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ସ୍କୁଲ ଛାତ୍ର ଓ ଅଭିଭାବକଙ୍କର ମୃତୁ୍ୟ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଅଭିଭାବକଙ୍କର ମୃତୁ୍ୟ ଘଟିଛି ।
ପ୍ରାପ୍ତ ସୂଚନା ମୁତାବକ, ଶୁଳିଆପଦା ବ୍ଲକ ଅନ୍ତର୍ଗତ ବଣକାଟୀରେ ଥିବା ଏକ ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟାହ୍ନଭୋଜନ ବାବଦରେ ମିଳୁଥିବା ଚାଉଳ ସହ ବହି ଏବଂ ଡ୍ରେସ ଦିଆଯିବ ବୋଲି ସମସ୍ତ ପିଲାଙ୍କୁ ସ୍କୁଲକୁ ଡକାଇଥିଲେ । ବୁଧବାର ସକାଳୁ ଉକ୍ତ ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ପ୍ରାୟ ୧୦୦ କିମି ବାଟ ବିଶୋଇ ଥାନା ଅନ୍ତର୍ଗତ ଦୋପଟା ଗ୍ରାମରୁ ୪ ଜଣ ମହିଳା, ୩ ଜଣ ପୁରୁଷ ଓ ୮ ରୁ ୧୪ ବର୍ଷ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ର ମିଶି ଏକ ଅଟୋରେ ଯାଉଥିଲେ । ଖୁସି ମନରେ ଯାଉଥିବା ପିଲା ଏବଂ ଅଭିଭାବକଙ୍କ ପାଇଁ ଘାଟି ରାସ୍ତାରେ ଜଗି ରହିଥିଲା କାଳ । ନିଜ ଗ୍ରାମରୁ ୧୦ କିମି ଆସିବା ପରେ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦ୍ରୁତ ଗତିରେ ଘାଟି ଓହ୍ଲାଉଥିବା ଏକ ମାଲ ବୋଝେଇ ଟ୍ରକ ଅଟୋକୁ ପଛପଟୁ ଖୁବ୍ ଜୋରରେ ଧକ୍କା ଦେଇ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଓଲଟି ପଡ଼ିଥିଲା । ଫଳରେ ଟ୍ରକ ଚକ ତଳେ ଚାପିଯାଇ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଫାଗୁ ହେମ୍ବ୍ରମ (୧୪) ଓ ମାନସିଂ ମାର୍ଣ୍ଡି (୪୦)ଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ, ବାଙ୍ଗିରିପୋଷି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏବଂ ପୁଲିସ ପହଞ୍ଚô ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଯମୁନା ହେମ୍ବ୍ରମ (୩୫), ଚମ୍ପା ହାଁସଦା (୪୦), ସିଙ୍ଗରାୟ ସୋରେନ (୩୫), ମାନକୁ ମାର୍ଣ୍ଡି (୪୫), ସିଧ ହାଁସଦା (୯), ସୁନ୍ଦର ମାର୍ଣ୍ଡି (୮), ଲକ୍ଷ୍ମୀ ମାର୍ଣ୍ଡି (୧୮), ବାଘରାୟ ମାର୍ଣ୍ଡି (୨୦), ଫାଗୁ ଟୁଡୁ (୧୧) ଓ ସୁନାରାମ ସୋରେନ (୧୦)ଙ୍କୁ ପ୍ରଥମେ ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୪ଟି ୧୦୮ ଆମ୍ବୁଲାନ୍ସରେ ସମସ୍ତ ଗୁରୁତରଙ୍କୁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାନକୁ ମାର୍ଣ୍ଡି (୪୫)ଙ୍କ ମୃତୁ୍ୟ ଘଟିଥିଲା । ବାଙ୍ଗିରିପୋଷି ପୁଲିସ ମାମଲା ରୁଜୁ କରି ଉଭୟ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ୨୦୧୯ ଜୁଲାଇରେ ଏହିପରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ୨ କାଉଡିଆଙ୍କ ମୃତୁ୍ୟ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ ।
Comments are closed, but trackbacks and pingbacks are open.