ସ୍କୁଲ ଛାତ ଭୁଶୁଡ଼ି ୧୪ ଛାତ୍ରୀ ଆହତ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନ୍ୟୁଜ୍): ପବିତ୍ର ବାହୁଡା ଯାତ୍ରା ଦେଖିବା ସମୟରେ ଘଟିଛି ଅଘଟଣ । ବିଦ୍ୟାଳୟ ଛାତ ଭୁଶୁଡି ୧୪ ଜଣ ଛାତ୍ରୀ ଆହତ ହୋଇଛନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଉଚ୍ଚବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ଆହତ ଛାତ୍ରୀମାନେ ହେଲେ ସୁବର୍ଣ୍ଣା ନାୟକ, ଗୀତାଞ୍ଜଳି ନାୟକ, ସାବିତ୍ରୀ ନାୟକ, ସ୍ୱାତିଲତା ନାୟକ, ସନ୍ତୋଷୀ ନାୟକ, ଅର୍ଚ୍ଚିତା ନାୟକ, ମଧୁସ୍ମିତା ନାୟକ, ଜୟୀ ନାୟକ, ସୋନାଲି ନାୟକ, ନନ୍ଦିନୀ ନାୟକ, ନିରୁପମା ନାୟକ, ରମଣୀ ନାୟକ, ଦମୟନ୍ତୀ ନାୟକ ଓ ବିଦ୍ୟାଜ୍ୟୋତି ନାୟକ । ରମଣୀ ଓ ଦମୟନ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ମଧ୍ୟ ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଛାତ୍ରୀଙ୍କ ସୁରକ୍ଷା ନେଇ ଉଠିଛି ବିରାଟ ପ୍ରଶ୍ନବାଚୀ । ନିମ୍ନମାନର କୋଠା ଯୋଗୁ ଏଭଳି ଅଘଟଣ ଘଟିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଟିକିରି ଉଚ୍ଚବିଦ୍ୟାଳୟ ନିକଟରେ ରହିଛି ଗୁଣ୍ଡିଚା ମନ୍ଦିର । ସ୍କୁଲ ହଷ୍ଟେଲରେ ରହି ପଢୁଥିବା ଛାତ୍ରୀମାନେ ବିଦ୍ୟାଳୟ ଛାତ ଉପରେ ଓ ସିଡିରେ ବସି ବାହୁଡା ଯାତ୍ରା ଦେଖୁଥିଲେ । ୪୦ରୁ ଅଧିକ ଛାତ୍ରୀ ଯାତ୍ରା ଦେଖିବା ସମୟରେ ହଠାତ ଛାତର କିଛି ଅଂଶ ଓ ସିଡି ଭୁଶୁଡି ପଡିଥିଲା । ଜଣଙ୍କ ପରେ ଜଣେ ଛାତ୍ରୀ ତଳେ ପଡି ଆହତ ହୋଇଥିଲେ । ଛାତ ଓ ସିଡିର ଭାଙ୍ଗିଥିବା କଂକ୍ରିଟ ଓ ଅନ୍ୟାନ୍ୟ ଅଂଶ ସେମାନଙ୍କ ଉପରେ ଗଳି ପଡଥିଲା । ନିକଟରେ ଥିବା ଲୋକେ ଓ ସ୍ଥାନୀୟ ବାସିନ୍ଦା ଛାତ୍ରୀମାନଙ୍କୁ ଉଦ୍ଧାର କରି ପ୍ରଥମେ ଟିକିରି ମେଡିକାଲକୁ ନେଇଥିଲେ । କେତେକଙ୍କୁ ଆମ୍ବୁଲାନ୍ସ ଓ ଆଉ କେତେକଙ୍କୁ ଅଟୋ ଯୋଗେ ନିଆଯାଇଥିଲା । ୨ ଜଣ ଛାତ୍ରୀ ରମଣୀ ଓ ଦମୟନ୍ତୀଙ୍କ ପେଟ ଓ ଛାତିରେ କଂକ୍ରିଟ ପଡିଯିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଛାତ୍ରୀମାନଙ୍କ ଗୋଡ ଓ ହାତରେ ଆଘାତ ଲାଗିଛି । ଖବରପାଇ ଛାତ୍ରୀମାନଙ୍କ ଅଭିଭାବକ ପହଞ୍ଚିବା ପରେ ମେଡିକାଲରେ ସୃଷ୍ଟି ହୋଇଥିଲା କୋଳାହଳ । ପିଲାଙ୍କ ଅବସ୍ଥାକୁ ଦେଖି ଅଭିଭାବକମାନେ ଚିନ୍ତିତ ହୋଇପଡିଥିଲେ । ଏଣେ ଅନ୍ୟ ଦୁଇଜଣ ଆହତଙ୍କୁ ଉକ୍ରଳ ଆଲୁମିନା କାରଖାନାର ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଟିକିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଏସଡିପିଓ ତପନ ରଥ କହିଛନ୍ତି । ଆହତ ଛାତ୍ରୀମାନେ ବର୍ତ୍ତର୍ମାନ ବିପଦମୁକ୍ତ ଥିବା ଟିକିରି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅନିଲ କୁମାର ବେହେରା କହିଛନ୍ତିି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons