ଖଲ୍ଲିକୋଟ: ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ୍ ବିଏନ୍ପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ଛେଲୁ ଗ୍ରାମ କୁମ୍ଭାର ସାହିିରେ ପାରିବାରିକ କଳହରୁ ଅଘଟଣ । ସ୍ୱାମୀ-ସ୍ତ୍ରୀଙ୍କ ମନୋମାଳିନ୍ୟ, ରାଗରୁଷା ଏତେ ଭୟଙ୍କର ରୂପ ନେଇଛି ଯେ ଦୁହିଁଙ୍କ ଜୀବନ ଶେଷ ହୋଇଯାଇଛି । ଗୁରୁବାର ସକାଳୁ ଯୌଥ ପରିବାରରେ ରହୁଥିବା ପ୍ରଶାନ୍ତ ମୁଦୁଲି(୪୦)ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ସେହି ଘରେ ତାଙ୍କ ସ୍ତ୍ରୀ ଝିଲି ମୁଦୁଲିଙ୍କ ମୃତଦେହ ବି ପରିବାର ଲୋକେ ଦେଖିବାକୁ ପାଇଥିଲେ । ସୂଚନା ପାଇ ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ତେବେ ଝିଲିକୁ ଶୋଇଥିବା ଅବସ୍ଥାରେ ପେଷଣା ପଥରରେ ଛେଚି ହତ୍ୟା କରିବା ପରେ ପ୍ରଶାନ୍ତ ମୁଦୁଲି (୪୦) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଛତ୍ରପୁର ଏଏସ୍ପି ପ୍ରଦୀପ କୁମାର ଦଳେଇ, ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ମଧ୍ୟ ତନାଘନା କରିଛନ୍ତି । ମୃତ ପ୍ରଶାନ୍ତ ମୁଦୁଲିଙ୍କ ବାପା ଭାସ୍କର ମୁଦୁଲିଙ୍କ ପୃଥକ୍ ଲିଖିତ ଅଭିଯୋଗ ଆଧାରରେ ଝିଲି ମୁଦୁଲିଙ୍କ ମୃତୁ୍ୟକୁ ନେଇ କେସ୍ ନମ୍ବର ୨୩୬/୨୦୨୧ରେ ହତ୍ୟା ମାମଲା ଏବଂ ପ୍ରଶାନ୍ତ ମୁଦୁଲିଙ୍କ ମୃତୁ୍ୟକୁ ନେଇ କେସ୍ ନମ୍ବର ୮/୨୦୨୧ରେ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ଉଭୟ ମାମଲାର ତଦନ୍ତ ଭାର ନିଜେ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଗ୍ରହଣ କରିଛନ୍ତି ।
ପୂର୍ବରୁ ବହୁଥର ଘରୋଇ କଳହକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଦମ୍ପତି । ଥାନାରେ ପରସ୍ପରକୁ ବୁଝାସୁଝା ପରେ କିଛିଦିନ ଭଲରେ କଟୁଥିବା ବେଳେ ପୁଣି ଆରମ୍ଭ ହୋଇଯାଏ ଦାମ୍ପତ୍ୟ କଳହ । ପୁରୁଷୋତ୍ତମପୁର ଥାନାଧିକାରୀଙ୍କ ସୂଚନା ମୁତାବକ ପ୍ରଶାନ୍ତ ମଦ୍ୟପାନ କରି ସ୍ତ୍ରୀ ଝିଲିଙ୍କୁ ମାଡ଼ ମାରିବାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା । ତେବେ ୧୫ ଦିନ ହେଲା ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ଥିଲା । ବୁଧବାର ରାତିରେ ଦୁହେଁ ଅନ୍ୟ ଦିନ ପରି ଦାଣ୍ଡ ଘରେ ଖାଇବା ପରେ ଶୋଇଥିଲେ । ମୃତ ପ୍ରଶାନ୍ତ ମୁଦୁଲି ଏକ ଯୌଥ ପରିବାରରେ ରହୁଥିବା ପୁଲିିସ ତଦନ୍ତରୁ ଜାଣିବାକୁ ପାଇଛି । ବାପା ମାଆ, ଦୁଇ ପୁଅ, ଦୁଇ ବୋହୂ ଓ ନାତିନାତୁଣୀମାନେ ଏକତ୍ର ରହି ଆସୁଥିଲେ । ବୁଧବାର ରାତିରେ ପ୍ରଶାନ୍ତ ଓ ଝିଲି ଦାଣ୍ଡ ଘରେ ୭ ବର୍ଷର ଏକମାତ୍ର ପୁଅ ସନ୍ଦୀପକୁ ନେଇ ଶୋଇଥିବା ବେଳେ ୧୩ ବର୍ଷର ଝିଅ ସୁଇଟି ଅନ୍ୟ କୋଠରିରେ ଗୋସାଇଁ ମାଆ ନିକଟରେ ଶୋଇଥିଲେ । ଉପର ଘରେ ପ୍ରଶାନ୍ତଙ୍କ ବାପା ଓ ଭାଇ, ଭାଉଜ ଶୋଇଥିଲେ । ହେଲେ ଗୁରୁବାର ଭୋର୍ରୁ ପ୍ରଶାନ୍ତଙ୍କ ମାଆ ପ୍ରଥମେ କୋଠରି ଖୋଲିବା ସମୟରେ ଏଭଳି ବୀଭତ୍ସ ଦୃଶ୍ୟ ଦେଖିବାକୁ ପାଇଥିଲେ । ହତବାକ୍ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ । ଥାନାଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଭାସ୍କର ମୁଦୁଲି ଲିଖିତ ଅଭିଯୋଗ କରିଛନ୍ତି ଯେ, ପୁଅ ପ୍ରଶାନ୍ତ ବୁଧବାର ରାତିରେ ବୋହୂ ଝିଲିକୁ ଶୋଇଥିବା ସମୟରେ ଏକ ପେଷଣା ପଥର ଜୀବନରେ ମାରି ଦେଇଛି । ଅନ୍ୟ ଅଭିଯୋଗପତ୍ରରେ ସେ ଦର୍ଶାଇଛନ୍ତି ଯେ, ପୁଅ ପ୍ରଶାନ୍ତ ତାର ସ୍ତ୍ରୀ ଝିଲିକୁ ମାରି ଦେବା ପରେ କୌଣସି ଉପାୟ ନପାଇ ସେହି ଘର ଦୁଲାରୁ ନିଜ ଗାମୁଛାରେ ଓହଳି ଆତ୍ମହତ୍ୟା କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଇ ମୃତୁ୍ୟର ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି । ଏଭଳି ହତ୍ୟା ଓ ଆତ୍ମହତ୍ୟା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦାମ୍ପତ୍ୟ କଳହରୁ ଏବେ ଦୁଇ ସନ୍ତାନ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.