ଗାଇସିଲାଟ,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ଗାଇସିଲାଟ ଥାନା ସନ୍ଧିବାହାଲ ପଞ୍ଚାୟତ ବା‚ାନଗର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କଥାକୁ ନେଇ ଗାଁର ମହେଶ୍ୱର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗାଳିଗୁଲଜ ହେବା ପରେ ମହେଶ୍ୱର ପତ୍ନୀ ସୁଶ୍ରୀତାକୁ ହତ୍ୟା କରି ନିଜେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ପୁଲିସ୍ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।
ସୂଚନା ମତେ ମହେଶ୍ୱରଙ୍କ ପରିବାର କହିଲେ ପତ୍ନୀ ସୁଶ୍ରୀତା, ଦୁଇ ଝିଅ ଗେଲି (୧୫) ଓ ମିଷ୍ଟି (୫) । ବଡ଼ ଝିଅ ଗେଲ୍ଲି ବଲାଙ୍ଗୀର ଜିଲ୍ଲା ଝରନିପାଲି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀ, ସାନ ଝିଅ ଗାଁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢ଼ୁଛି । ମହେଶ୍ୱର ଓ ସୁଶ୍ରୀତାଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ ଲାଗି ରହିଥିଲା । ଗତ ଡିସେମ୍ବର ୧୫ ତାରିଖରୁ ସୁଶ୍ରୀତା ଝିଅର ପାଠପଢା ପାଇଁ ବାପ ଘର ଡୁଙ୍ଗୁରିପାଲିରେ ଘରଭଢ଼ା ନେଇ ରହୁଥିଲେ । ଆଜି ମକର ସଂକ୍ରାନ୍ତି ପାଇଁ ବା‚ାନଗରକୁ ଆସିଥିଲେ । ବଡ଼ ଝିଅ ସାଙ୍ଗସାଥୀ ସହ ନିକଟ ଶିବ ମନ୍ଦିରକୁ ଯାଇଥିଲେ । ସାନ ଝିଅ ମା’ଙ୍କ ସହ ଥିଲା । ବଡ଼ ଝିଅ ମନ୍ଦିରରୁ ଫେରି ମା’ ନିଅାଁରେ ପୋଡ଼ି ଯାଇଥିବା ଦେଖିଥିଲେ । ସଙ୍ଗେସଙ୍ଗେ ଶରଧାପାଲି ଗାଁର ଜଣେ ଯୁବକଙ୍କ ସହ ଗାଇସିଲାଟ ଥାନାରେ ପହଞ୍ଚି ଘଟଣା ବିଷୟରେ ଜଣାଇଥିଲେ ।
ମହେଶ୍ୱର ପତ୍ନୀ ସୁଶ୍ରିତାଙ୍କୁ ପ୍ରଥମେ ବାଡ଼ିରେ ମାଡ଼ ମାରିଥିଲା । ପରେ କିରାସିନି ଢାଲି ପୋଡ଼ି ମାରିବା ପରେ ନିଜେ କୀଟନାଶକ ପିଇ ଘରୁ ଅଳ୍ପ ଦୂର ରାସ୍ତା କଡ଼ରେ ଥିବା ଏକ ବାରଣ୍ଡାରେ ମରି ପଡିଥିବା ଦେଖିବାକୁ ମିଳିଛି । ମହେଶ୍ୱରଙ୍କ ଶବ ନିକଟରେ ଏକ ଭୁଜାଳି ପଡିଥିଲା । ସୁଶ୍ରିତାର ଅର୍ଦ୍ଧଦଗ୍ଧ ଶବ ନିକଟରେ ରକ୍ତ ଲାଗିଥିବା ବାଡ଼ି, ଭଙ୍ଗା ଚୂଡ଼ି, କୀଟନାଶକ, ଭଙ୍ଗା ମୋବାଇଲ ଆଦି ପୁଲିସ୍ ଜବତ କରିଛି । ଘଟଣାସ୍ଥଳକୁ ପଦ୍ମପୁର ଏସ୍ଡିପିଓ ପ୍ରଦୀପ ସାହୁ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛନ୍ତି । ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ହସ୍ପିଟାଲକୁ ନେଇଥିବା ବେଳେ ଗୁରୁବାର ସକାଳେ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.